ଗଜପତି ରେ ଜାତୀୟ ଖାଉଟି ଦିବସ ପାଳନ..
ଜାତୀୟ ଖାଉଟି ଦିବସ ଅବସରରେ ଗ୍ରାହକ ଅଧିକାର କମିଟି ଗଜପତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସ୍ ଷ୍ଟାଣ୍ଡ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୮୬ ମସିହା ଡ଼ିସେମ୍ବର ୨୪ ତାରିଖ ଆଜିର ଦିନରେ ଗ୍ରାହକ ସୁରକ୍ଷା ଆଇନ୍,୧୯୮୬ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା, ଯାହା ଗ୍ରାହକ ବା ଖାଉଟି ଙ୍କ ପାଇଁ ଏକ ବ୍ୟାପକ ଅଧିକାର ସ୍ଥାପନ କରିଥିଲା। ଗଜପତି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଗ୍ରାହକ ଅଧିକାରର ଗୁରୁତ୍ୱ ଏବଂ ସୁରକ୍ଷା ବାବଦରେ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି।ଏହି ପରିପ୍ରେକ୍ଷୀରେ ଗଜପତି ଗ୍ରାହକ ଅଧିକାର ସୁରକ୍ଷା କମିଟିର
ସମ୍ପାଦିକା ତନୁଜା ଶତପଥୀ, ସଭାପତି ରୋକମ ଲୋକନାଥ, ଶିଶିର କୁମାର ଭଞ୍ଜ ସାମନ୍ତ, ଶିବାଶିଷ ପଟନାୟକ,ମୁଚି ବାଙ୍ଗାରି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଲିଫଲେଟ ବାଣ୍ଟିବା ସହ ପ୍ରତୈକ ନାଗରିକ ଦୈନନ୍ଦିନ ଜୀବନରେ ଟଙ୍କା ବିନିଯୋଗ କରି କ୍ରୟ କରିବା ବେଳେ ଉନ୍ନତ ମାନର ସେବା ଓ ଜିନିଷ କିଭଳି ପାଇବେ ତା ସହିତ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ଠକାମୀର ଶିକାର ହେଲେ କିଭଳି ଖାଉଟି ଅଦାଲତ ର ଆଶ୍ରୟ ନେବେ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜିର ଦିନରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ। ଏ ସମ୍ପର୍କରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପଚରାଯିବା ପରେ ଜାତୀୟ ଖାଉଟି ଦିବସ ବିଷୟରେ ଅବଗତ ନଥିବା କହିଥିଲେ।
