September 21, 2024

ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଅହରାତ୍ର ଗଣଧାରଣା ସ୍ଥଗିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ

Share

ବ୍ରହ୍ମପୁର,ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୧୫ ଦଫା ଦାବିରେ ଯୁଗ୍ମ ଶ୍ରମ କମିଶନର ବ୍ରହ୍ମପୁର କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୧ ଘଟିକା ଆରମ୍ଭ ହୋଇଥିବା ଅହରାତ୍ର ଗଣଧାରଣା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ତ୍ରିପାଠୀଙ୍କ ପ୍ରତିଶ୍ରୁତି ପରେ ସନ୍ଧ୍ୟା ୭ ଘଟିକା ରେ ଧାରଣା ସ୍ଥଗିତ ରହିଲା ବୋଲିି ଜିଲ୍ଲା ସଭାନେତ୍ରୀ ପି.ପାର୍ବତୀ ଧାରଣା ସ୍ଥଳରେ ଘୋଷଣା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଦାବି କାର୍ଯ୍ୟକାରୀ ନହୁଏ ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୬/୧୦/୨୦୨୩ ରିଖରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ଶ୍ରମ ବିଭାଗର ସ୍ଥାଣୁତା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇନଥିଲେ। ‌କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମର ନିର୍ମାଣ ଶ୍ରମିକ ରାଜେନ୍ଦ୍ର ନାହକ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ କାଳୀନ ସହାୟତା ମିଳିପାରିଲା ନାହିଁ । ଝିଅ ବିବାହ ସହାୟତା ପାଇବା ପାଇଁ ୪ ବର୍ଷ ତଳେ ଆବେଦନ କରିଥିବା ଆସିକା ବ୍ଳକର ବିଷ୍ଣୁପ୍ରିୟା ସ୍ବାଇଁ ଆଜି ପର୍ଯ୍ୟନ୍ତ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇ ଦାଦନ ଖଟୁଛନ୍ତି। ଆବେଦନର ୬୦ ଦିନ ମଧ୍ୟରେ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁ ସୃଷ୍ଟ ନିର୍ଦ୍ଦେଶନାମା ଥିବା ସତ୍ତ୍ୱେ ରତନା ବାଡତ୍ୟା ଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଢି ଥିବା ୨୧ ବର୍ଷର ପୁଅ ସହୟତା ରାଶି ପାଇବା ପାଇଁ ବହୁ ଆକୁଳ ମିନତି କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ନ ପାଇବା ଅତ୍ୟନ୍ତ ଦୁଃଖଦାୟକ । ପାରାଲିସିସ ରୋଗରେ ଶଯ୍ୟାଶାୟୀ ବାପା, ଅବିବାହିତ ସାନ ଭଉଣୀ ଓ ବୃଦ୍ଧା ଜେଜେ ମା ଙ୍କ ଆର୍ଥିକ ଭରଣ ପୋଷଣ କରିବା ପାଇଁ ତାମିଲନାଡ଼ୁରେ ଦାଦନ ଖଟୁଛନ୍ତି ।ଏପରି ଜଗା ସାହୁ ର ପରିବାର ସମେତ ଅନେକ ପରିବାର ବିବାହ ସହାୟତା ରାଶି, ମୃତ୍ୟୁକାଳୀନ ସହାୟତା ରାଶି, ଶିକ୍ଷା ସହାୟତା ରାଶି ପାଇବା ପାଇଁ ମାସ ମାସ ବର୍ଷ ବର୍ଷ ଧରି ଅପେକ୍ଷା କରି ହତୋତ୍ସାହିତ ହେଉଛନ୍ତି। ରାଜନୈତିକ ଅଭିସନ୍ଧି ରଖି ଧରାକୋଟ ବ୍ଳକ ସମେତ କେତେକ ବ୍ଳକର ନିର୍ମାଣ ଶ୍ରମିକଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇନାହିଁ । ଏହି ୧୫ ଦଫା ଦାବିରେ ଦୁର୍ବଳ ୱେବ ସାଇଟ୍, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ, ପ୍ରତି ବ୍ଲକରେ ଶ୍ରମ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ସହକାରୀ ଶ୍ରମ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଏବଂ ଅଧିକାରୀ ନିଯୁକ୍ତ କରିବା, ଅନଲାଇନରେ ଆବେଦନର ମାରପେଞ୍ଚ ନୀତି ବନ୍ଦ କରିବା, ବ୍ଳକ କ୍ୟାମ୍ପ ନାମରେ ନିର୍ମାଣ ଶ୍ରମିକଙ୍କୁ ଭୂଆଁ ବୁଲାଇବା ବନ୍ଦ କରିବା, ଆବେଦନର ୬୦ ଦିନ ମଧ୍ୟରେ ସହାୟତା ରାଶି ପ୍ରଦାନ ଏବଂ ପଞ୍ଜିକରଣ,
ମୃତ୍ୟୁ କାଳୀନ, ବିବାହ ସହାୟତା ଓ ଶିକ୍ଷା ସହାୟତା ଅହେତୁକ ବିଳମ୍ବ ନକରି ନିର୍ଧାରିତ ସମୟ ସୀମା ମଧ୍ୟରେ ସହାୟତା ରାଶି ପ୍ରଦାନ କରିବା, ସମସ୍ତ ଶ୍ରମକଙ୍କ ନବୀକରଣ, ବନ୍ଦ ହୋଇ ଯାଇଥିବା ସମସ୍ତ ସହାୟତା ତୁରନ୍ତ ଚାଲୁ କରିବା, ସେସ ୧ ପ୍ରତିଶତ ବଦଳରେ ୨ ପ୍ରତିଶତକୁ ବୃଦ୍ଧି କରିବା, ଆଦି ଦାବି ରଖିଥିଲେ। ଏହି ଅହରାତ୍ର ଗଣଧାରଣା ରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ରାଜ୍ୟ ସଭାପତି ସାଥୀ ଶଙ୍କର, ଜିଲ୍ଲା ସଭାନେତ୍ରୀ ପି. ପାର୍ବତୀ, ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଯଶୋଦା ନାୟକଙ୍କ ସମେତ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ବିଷ୍ଣୁପ୍ରିୟା ସ୍ବାଇଁ, କୌଶଲ୍ୟା ନାହକ, ଗାୟତ୍ରୀ ସାହୁ, ବାସନ୍ତୀ ସାହୁ, ହାର ନାହକ, ରୀନା ଗୌଡ଼, ଗାୟତ୍ରୀ ବିଶ୍ବାଳ, ରଙ୍ଗବତୀ ବେହେରା, ସଞ୍ଜୟ ନାୟକ, ଫକୀର ପାତ୍ର ଆଦି ବହୁ ଶ୍ରମିକ ଓ ଶ୍ରମିକ ପରିବାର ବର୍ଗ ଉପସ୍ଥିତ ଥିଲେ।(ନୁରୁଲ ଅମିନ ମଲିକଙ୍କ ରିପୋର୍ଟ)