ଜଙ୍ଗଲ ଜମିରେ ମାଫିଆଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ଆଦିବାସୀ ସମାଜର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବୁଗୁଡା : ତା ୨୬/୧୧/୨୫ : ସମ୍ପ୍ରତି ବୁଗୁଡା ଅଞ୍ଚଳର ଜଙ୍ଗଲ ଜମିରେ ମାଫିଆ ଓ ଦଲାଲଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ସ୍ଥାନୀୟ ଆଦିବାସୀ ସମାଜ ପକ୍ଷରୁ ବୁଧବାର ଦିନ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ବିଡିଓ ଦୁତିକୃଷ୍ଣ ପାତ୍ର ଏବଂ ତହସିଲଦାର ତାପସ ରାଉତଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି।
ଏ ନେଇ ପୂର୍ବରୁ ଗତ ୨୧ ତାରିଖ ଦିନ ମାଣିତରା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗାଁ କଣ୍ଡରାଇରେ ଆଦିବାସୀ ସମାଜର ସଭା ଆୟୋଜିତ ହୋଇ ଅଞ୍ଚଳର ଅନ୍ୟ ଆଦିବାସୀ ଗ୍ରାମ ବେଲଗାଁ, ସମଲାଇ, ନିମପଲ୍ଲୀ ସଂଲଗ୍ନ ଜଙ୍ଗଲ ଜମିରେ ସେମାନଙ୍କ ଜୀବନ ଓ ଜୀବିକାକୁ ବିପର୍ଯ୍ୟୟ ସାଙ୍ଗକୁ ବନ୍ଯପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରି ପ୍ରଭାବଶାଳୀ ଭୂମାଫିଆ ଏବଂ ଦଲାଲ ଗୋଷ୍ଠୀ ଅବିଚାରିତ ଭାବେ ବୁଲଡୋଜର ଚଳାଇ ଜଙ୍ଗଲ ଧ୍ବଂସ କରୁଥିବାରୁ ଆଦିବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଏହାର ପ୍ରତିକାର ନିମନ୍ତେ ବିଚାର ବିମର୍ଷ ହୋଇଥିଲା। ତେବେ ଆଜି ଆଦିବାସୀ ସମାଜର ପୁରୁଷ ଓ ମହିଳାମାନେ ହାତରେ ଧନୁଶର ସହିତ ଅନ୍ଯାନ୍ଯ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବୁଗୁଡା ସହର ରାଜରାସ୍ତାରେ ଶୋଭାଯାତ୍ରା କରି ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଦତ୍ତ ଦାବିପତ୍ରରେ ବୁଗୁଡା ବ୍ଲକର କଣ୍ଡରାଇ ସମେତ ସମସ୍ତ ଆଦିବାସୀ ଗ୍ରାମରେ ଉଭୟ ବ୍ଯକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବା , ଶିକ୍ଷା ଓ ସଡକ ଆଦି କ୍ଷେତ୍ରରେ ରହିଥିବା ସମସ୍ଯାର ସ୍ଥାୟୀ ସମାଧାନ କରିବା , ଜମି ମାଫିଆ ଓ ଦଲାଲଙ୍କ ଦ୍ବାରା ଜଙ୍ଗଲରେ ବୃକ୍ଷ ଛେଦନ ଏବଂ ବୁଲଡୋଜର ଚାଳନା ଭଳି ଦୌରାତ୍ମ୍ୟକୁ ଦୃଢ ହସ୍ତରେ ଦମନ କରିବା , ଆଦିବାସୀଙ୍କୁ ହାତକୁ କାମ ଯୋଗାଇବା , ଆଦିବାସୀଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ ନକରିବା , ବନ୍ଯପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନକରିବା , ଜଙ୍ଗଲ ଧ୍ବଂସକୁ ରୋକିବା , ୪୦୦ ଫୁଟ ପର୍ଯ୍ୟନ୍ତ ଗଭୀର ନଳକୂପ ଖନନ
ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେତୁ ଏହାକୁ ନିଷିଦ୍ଧ କରିବା , ସରକାରୀ ସ୍କୁଲ ବନ୍ଦ କରିବା ପରିବର୍ତ୍ତେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ସହ ସ୍କୁଲ ଚାଲୁ କରିବା ଭଳି ଦାବୀ ସମୁହ ସ୍ଥାନ ପାଇଥିଲା।
