November 26, 2024

କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ..

Share

 

ଦେଶର କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ କେନ୍ଦ୍ରର ମୋଦି ସରକାରର କୃଷକ, ଶ୍ରମିକ ତଥା ଜନବିରୋଧୀ ନୀତି ବିରୁଦ୍ଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଏହି କ୍ରମରେ ଆଜି ସାରା ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ , ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ପ୍ରତିବାଦ ବିକ୍ଷୋଭର ଆୟୋଜନ କରାଯାଇଥିଲା । ଆଜି ପୂର୍ବାହ୍ନରେ ରାୟଗଡା ସ୍ଥିତ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଶହ ଶହ କୃଷକ , ଶ୍ରମିକ ଓ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥଲେ । ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ପୂର୍ବାହ୍ନରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ସେଠାରେ ଅନୁଷ୍ଠିତ ସଭାରେ ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏଆଇକେମର ରାଜ୍ୟ ନେତା ତ୍ରିପତ୍ତି ଗମାଙ୍ଗ, ଆଇଏନଟିୟୁସିର ନେତା ଭବାନୀ ଶଙ୍କର ଜେନା, ଅନାସିମ ଶବର, ଅଖିଲ ଭାରତ କୃଷକ ମହାସଭାର ରାଜ୍ୟ ସଭାପତି ବୃନ୍ଦାବନ ବିଡିକା ସିଆଇଟିୟୁର ଚଦଂନ ହରିନାଥ, ଆଇଏଫଟିୟୁ ରାଜ୍ୟ ସମ୍ପାଦକ ଅଗେନ୍ଦ୍ର ନାୟକ, ଖଣି ଶ୍ରମିକ ନେତା ଧନେଶ୍ଵର ନାୟକ, କୃଷକ ନେତା ରାମଚନ୍ଦ୍ର ପ୍ରାସ୍କା, ରୁନା ନାୟକ, ଅର୍ଜୁନ ଗମାଙ୍ଗ, ନିର ପାତ୍ର, ବଳରାମ କୁସୁଲିଆ, ଆଛାନା ମଣ୍ଡାଙ୍ଗି, ପାର୍ବତୀ ଶବର, ପ୍ରତିମା ଶବର

ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାର କିପରି କର୍ପୋରେଟମାନଙ୍କ ସ୍ଵାର୍ଥରେ ଦେଶର କୃଷକ ଓ ଶ୍ରମିକମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି କହିଥିଲେ। ସରକାରଙ୍କ କର୍ପୋରେଟ ପ୍ରୀତିର ଉଦାହରଣ ଦେଇ ଗତ ଦଶ ବର୍ଷ ମଧ୍ୟରେ ସରକାର ଦେଶର ହାତଗଣତି ପୁଞ୍ଜିପତିଙ୍କ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଛାଡ଼ କରିଥିବା ବେଳେ କୃଷକମାନଙ୍କ ଟଙ୍କା ଟିଏ ବି ଋଣଛାଡ଼ କରାଯାଇନି ବୋଲି କହିଥିଲେ । ଏହା ବ୍ୟତୀତ ଜନ ବିରୋଧି ବିଦ୍ୟୁତ୍ ବିଲ୍ – ୨୦୨୨ର ପ୍ରତ୍ୟାହାର, ସର୍ବନିମ୍ନ ମଜୁରୀକୁ ୨୬ ହଜାର ଟଙ୍କାକୁ ବୃଦ୍ଧି, ମନରେଗା ଯୋଜନାରେ ଦୈନିକ ମଜୁରୀ ୬୦୦ ଟଙ୍କାକୁ ଓ ବାର୍ଷିକ କାର୍ଯ୍ୟ ଦିବସକୁ ୨୦୦ ଦିନକୁ ବୃଦ୍ଧି କରିବାକୁ ତଥା ଶ୍ରମିକ ବିରୋଧି ଚାରି ଶ୍ରମକୋଡର ପ୍ରତ୍ୟାହାର ତଥା ପୁରୁଣା ପେନସନ ଯୋଜନା ଲାଗୁ କରିବା, ଦରଦାମ୍ ହ୍ରାସ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଓ ସରକାରୀ ସହୟତା ଯୋଗାଇବା ଆଦି ଦାବି କରାଯାଇଥିଲା ।

ଶେଷରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୃଷକ ଓ ଶ୍ରମିକମାନଙ୍କ ସ୍ଵାର୍ଥ ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଲାଞ୍ଜିଗଡ଼,ପୁରନ୍ଦର ଦଣ୍ଡସେନା,/ ନ୍ୟୁଜ୍ ଉପାନ୍ତ ଖବର