ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ୨୬ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଛୁଟି ରଦ୍ଦ, ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ
ଖୋର୍ଦ୍ଧା, -( ପ୍ରିୟଙ୍କା ମହାପାତ୍ର) ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟାଳୟ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ସମସ୍ତ ଛୁଟିକୁ ତତ୍କାଳ ପ୍ରଭାବରୁ ରଦ୍ଦ କରାଯାଇଛି। ଏଥିସହ ଛୁଟିରେ କିମ୍ବା ମୁଖ୍ୟାଳୟ ବାହାରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।
ବିନା ଅନୁମତିରେ କୌଣସି ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ସମ୍ଭାବ୍ୟ ବାତ୍ୟା ଜନିତ ଜରୁରୀ ପରିସ୍ଥିତିର ମୁକାବିଲା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ଜରୁରୀକାଳୀନ ସେବାକୁ ସ୍ୱାଭାବିକ ରଖିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।ଏନେଇ ଜାରି ନିର୍ଦ୍ଦେଶନାମା ନମ୍ବର ୨୦୬୪୬/ଇମର୍ଜେନ୍ସି, ତାରିଖ ୨୫ ଅକ୍ଟୋବର ୨୦୨୬ର ନକଲ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଏବଂ ସମସ୍ତ ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ପଠାଯାଇଛି।
ତେବେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ ରହିଥିବାବେଳେ, ବର୍ତ୍ତମାନ ସୁଦ୍ଧା ବାତ୍ୟାର ସ୍ଥଳଭାଗ ଛୁଇଁବା ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ଏହି ନିର୍ଦ୍ଦେଶନାମାରେ ଦିଆଯାଇନାହିଁ।
