September 29, 2024

“ବିପଦର ବନ୍ଧୁ ସମ୍ମାନ- ୨୦୨୪” ରେ ସମ୍ମାନିତ ହେଲେ ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ଵିତୀ ସାର୍ 

Share

—ଭଞ୍ଜନଗର, 26,9,2024,. ଗଞ୍ଜାମ ଜିଲ୍ଲା ଭଂଜନଗର ଟାଉନ ହଲ୍ ଠାରେ ଆଜି ବିପଦର ବନ୍ଧୁ, ଓଡ଼ିଶା ତରଫରୁ ଏହାର ୭ମ ସ୍ଵନକ୍ଷତ୍ର ଦିବସ ଉତ୍ସବ ପାଳନ ହୋଇଯାଇଛି। ବହୁ ଆଡମ୍ବରପୂର୍ଣ୍ଣ ଏହି ଭବ୍ୟ ଉତ୍ସବ ରେ ମୂଖ୍ୟ ଅତିଥି, ବରେଣ୍ୟ ଅତିଥି, ବିଶିଷ୍ଟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ଭଂଜନଗର ତହସିଲଦାର ଶ୍ରୀ ଉମା ଶଙ୍କର ବେହେରା, ଭଞ୍ଜନଗର ଏସ୍.ଡି.ପି.ଓ ଶ୍ରୀ ସୁଜିତ କୁମାର ନାୟକ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡାକ୍ତର ସୀତାଂଶୁ ଶେଖର ଶତପଥୀ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେଂନ୍ଦୁ ରଞ୍ଜନ ରାୟ, ଭଂଜନଗର ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲି, ଭଂଜନଗର ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମୂରଲୀ କୃଷ୍ଣ ପଣ୍ଡା, ଭଂଜନଗର ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ସମୀର କୁମାର ବିଶ୍ବାଳ, ବିପଦର ବନ୍ଧୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଜି. ଶିବରାମ ପାତ୍ର। ଏହି ମହାନ୍ ତଥା ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ପ୍ରାକ୍ତନ ଶିକ୍ଷକ, ବିଶିଷ୍ଟ କବି, ସୁଲେଖକ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି। ସମସ୍ତ ଅତିଥି ମାନଙ୍କ ଗହଣରେ ଭଂଜନଗର ତହସିଲଦାର ଶ୍ରୀ ଉମାଶଙ୍କର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଏହି କାର୍ଯ୍ୟକ୍ରମ ରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

ବିପଦର ବନ୍ଧୁ ଓଡ଼ିଶା, ସାରା ରାଜ୍ୟରେ ଓ ଦେଶରେ ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭାବରେ ବେଶ୍ ସୁଖ୍ୟାତି ଲାଭ କରିଛି। ବିଭିନ୍ନ ପ୍ରକାରର ବିକାଶ ମୂଳକ କାର୍ଯ୍ୟ ତଥା ସାମାଜିକ କାର୍ଯ୍ୟ ଏବଂ ମାଙ୍ଗଳିକ କାର୍ଯ୍ୟ ସଂପାଦନ ପାଇଁ ବିପଦର ବନ୍ଧୁ ଓଡ଼ିଶା ଆଜି ଦେଶର ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ କୋଣ ଅନୁକୋଣରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରକ୍ତଦାନ ଶିବିର ଆୟୋଜନ, ଗରୀବ ଲୋକଙ୍କୁ ଚିକିତ୍ସା, ଅଭାବୀ ମାନଙ୍କୁ ସ୍ବାବଲମ୍ବୀ କରିବା, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଶିଶୁ ଙ୍କୁ ମୌଳିକ ଶିକ୍ଷା ଅଧିକାର, ବୃକ୍ଷ ଚାରା ରୋପଣ, ପଶୁ ସୁରକ୍ଷା, ଗ୍ରାମ୍ୟ ସ୍ଵଚ୍ଛତା, ଜଳ ଛତ୍ର ସେବା ତଥା ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଓ ସଚେତନତା ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ ଏହି ଅନୁଷ୍ଠାନ ଆୟୋଜନ କରିଆସୁଛନ୍ତି। ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ପ୍ରତ୍ୟେକ ସଦସ୍ୟ ଜଣେ ଜଣେ ରକ୍ତ ବୀର, ସ୍ଵାସ୍ଥ୍ୟ ସାଥୀ, ଶିକ୍ଷାଦାନ ର ମାଧ୍ୟମ, ପ୍ରକୃତି ପ୍ରେମୀ, ତଥା ସର୍ବୋପରି ଜଣେ ବିପଦ ଆପଦ ର ବନ୍ଧୁ, ଅସମୟ ର ବନ୍ଧୁ, ଦୁଃଖର ବନ୍ଧୁ ଓ ଅସହାୟ ର ସହାୟ। ମାନବିକତା, ସାମାଜିକ ମୂଲ୍ୟବୋଧ, ଜାତୀୟତା ମୂଲ୍ୟବୋଧ ଏବଂ ସହଯୋଗୀତା ଓ ସହଭାଗିତା ର ବାର୍ତ୍ତା ବହନ କରୁଥିବା ଏକ ଅନୁଷ୍ଠାନ ହେଉଛି ବିପଦର ବନ୍ଧୁ ଓଡ଼ିଶା ସାମାଜିକ ଅନୁଷ୍ଠାନ।

‌ଆଜି ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ଏହାର ୭ମ ପ୍ରତିଷ୍ଠା ଦିବସ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ଉଲ୍ଲେଖନୀୟ ଅବଦାନ ତଥା ନିଃସ୍ଵାର୍ଥପର ସେବା ପାଇଁ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି କ୍ରମରେ ଆଜି ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ବ୍ୟାପକ ବୃକ୍ଷ ଚାରା ରୋପଣ, ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପାଇଁ ପ୍ରକୃତି ବନ୍ଧୁ ତଥା ସିଆରସିସି ରୂପେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ବିପଦର ବନ୍ଧୁ ଓଡ଼ିଶା ତରଫରୁ ” ବିପଦର ବନ୍ଧୁ ସମ୍ମାନ -୨୦୨୪ ” ରେ ସମ୍ମାନିତ କରାଯାଇଛି। ଉପସ୍ଥିତ ସମସ୍ତ ଅତିଥି ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଛ ଓ ମେଡାଲ ଦେଇ ତାଙ୍କୁ ସମ୍ମାନୀତ କରିଥିଲେ। ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ଏହିଭଳି ଅଭିନବ ପ୍ରୟାସ, ଅନନ୍ୟ କାର୍ଯ୍ୟକ୍ରମ ତଥା ନିଆରା ପଦକ୍ଷେପ କୁ ଚାରିଆଡ଼େ ସ୍ଵାଗତ, ସମର୍ଥନ, ସହଯୋଗ ଓ ପ୍ରଶଂସା କରାଯାଉଛି। ଭଞ୍ଜନଗର ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ର ସଭାପତି ବାଦଲ ତ୍ରିପାଠୀ ଓ ଭଞ୍ଜନଗର ବ୍ଳକ ସଂଯୋଜକ ପ୍ରଦୀପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ମୁଖପାତ୍ର ଚିନ୍ମୟ ପଲାଇ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ, ଶୁଭଚିନ୍ତକ, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ