November 15, 2024

ଗଜପତି:-ରାଜ୍ୟ ସ୍ତରୀୟ ସାମ୍ବାଦିକ (ଓୟୁଜେ) ମହା ସମାବେଶରେ ଆଦିବାସୀ ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଖଣି ଓ ପରିବହନ ମନ୍ତ୍ରୀ । କହିଲେ ସାମ୍ବାଦିକ ମାନଙ୍କ ସୁରକ୍ଷା , ସ୍ୱାସ୍ଥ୍ୟବୀମା ଏବଂ ପେନସନ ବ୍ୟବସ୍ଥା ପାଇଁ ଆମେ ଚେଷ୍ଟିତ।  ———————————————- ଗଜପତି ଜିଲ୍ଲା ସଦର

Share

ଗଜପତି ଜିଲ୍ଲା ସଦ ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ “ଓଡ଼ିଶା ସାମ୍ବାଦିକ ୟୁନିଅନ”ର ରାଜ୍ୟ ସ୍ତରୀୟ ମହା ସମାବେଶରେ ରାଜ୍ୟ ଆଦିବାସୀ ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ ଖଣି , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ଯେଉଁ ଦୀର୍ଘ ଦିନର ଦାବୀ ରହିଛି , ସୁରକ୍ଷା , ସ୍ୱାସ୍ଥ୍ୟବୀମା ଏବଂ ପେନସନ ସେ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରେ ଉପସ୍ଥାପନ ଓ ଆଲୋଚନା କରି ତାର ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ।

ସ୍ଥାନୀୟ ୟୁନିଅନ ବ୍ୟାଙ୍କ୍ ଆରସେଟି ହଲ ଠାରେ ଓଡିଶା ସାମ୍ବାଦିକ ୟୁନିଅନ’ର ରାଜ୍ୟ ସ୍ତରୀୟ ମହାସମାବେଶ ତଥା ଗଜପତି ଜିଲ୍ଲା ସାମ୍ବାଦିକ ୟୁନିଅନ’ର ପ୍ରଥମ ଦ୍ଵିବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଓଡ଼ିଶା ସାମ୍ବାଦିକ ୟୁନିଅନ’ର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ସଭାପତିତ୍ଵ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସାମ୍ବାଦିକ ମାନଙ୍କ ୩ ଟି ନ୍ୟାଯ୍ୟ ଦାବୀ ସାମ୍ବାଦିକଙ୍କ ସୁରକ୍ଷାରେ ଆକ୍ଟ ଆଣିବା ସହ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ ଟଙ୍କା କରିବା ଏବଂ ୨୦ ହଜାର ଟଙ୍କା ପେନସନ ଦେବା ଉପରେ କହିଥିଲେ । ରାଜ୍ୟ ଆଦିବାସୀ ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଏବଂ ରାଜ୍ୟ ଖଣି , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକର ନିରପେକ୍ଷ ସମ୍ବାଦ ପରିବେଷଣ ହେଉଛି ତାର ସ୍ୱାଭିମାନ । ସାମ୍ବାଦିକ ମାନେ ବିଭିନ୍ନ ସମୟରେ ବିପତ୍ତିକ ପରିସ୍ଥିତିରେ କାର୍ଯ୍ୟକରି ସମ୍ବାଦ ସଂଗ୍ରହ କରୁଛନ୍ତି ଏବଂ ସମାଜ ଓ ସରକାରଙ୍କୁ ସୁଧାରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକ ମାନେ ସବୁବେଳେ ସତ୍ୟ ଓ ନିରପେକ୍ଷ ସହ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରି ଆସୁଛନ୍ତି । ସେମାନଙ୍କ ଅନେକ ସମସ୍ୟା ଓ ଦାବୀ ରହିଛି ଯାହାକି:- ପେନସନ , ସୁରକ୍ଷା ଓ ସ୍ୱାସ୍ଥ୍ୟବୀମା । ଗଣ ମାଧ୍ୟମର ଭୂମିକାରେ ଥିବା ସାମ୍ବାଦିକ ଭାଇ ମାନଙ୍କ ସବୁକଥା ବୁଝିବା ସରକାରଙ୍କ ଦାୟିତ୍ଵ । ତେଣୁ ସାମ୍ବାଦିକ ମାନଙ୍କ ଏହି ୩ ଟି ଦାବିକୁ ନେଇ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରେ ଏହି ଦାବୀ ଉପସ୍ଥାପନ କରି ଆଲୋଚନା କରିବୁ ଏବଂ ଆଗାମୀ ଦିନରେ ଏହି ଦାବୀ ଗୁଡ଼ିକର କିଭଳି ସମାଧାନ ହେବ , ସେଥିପାଇଁ ଆମେ ଚେଷ୍ଠା କରିବୁ ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ସାମ୍ବାଦିକ ମାନେ ଦୂରଦୂରାନ୍ତକୁ ଯାଇ ଅନେକ ରିସ୍କ ଅଞ୍ଚଳରୁ ଖବର ସଂଗ୍ରହ କରି ସମ୍ବାଦ ପରିବେଷଣ କରିବା ଅତ୍ୟନ୍ତ କଷ୍ଟକର ବୋଲି କହି ମୁଁ ସାମ୍ବାଦିକ ମାନଙ୍କ ଭୂମିକା କଣ ଜାଣିଛି ।। ଗଣତନ୍ତ୍ରରେ ସେମାନଙ୍କ ଭୂମିକା କଣ ହେବା ଉଚିତ୍ ଏବଂ କଣ ହେଲେ ଗଣତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ସୁଦୃଢ଼ ହେବ , ସେ ସମ୍ପର୍କରେ ମତ ରଖି ନିରପେକ୍ଷ ସାମ୍ବାଦିକତା ପାଇଁ ଯାହା ଦରକାର , ସେ ସମ୍ପର୍କରେ ମୁଁ କୋର କମିଟି ସହ କଥାବାର୍ତ୍ତା ହୋଇ ଏହାକୁ ଠିକ୍ ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଠାରେ ଉପସ୍ଥାପନା କରିବି ବୋଲି କହିଥିଲେ ଏବଂ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସାମ୍ବାଦିକ’ର ଯେଉଁ ମହତ୍ତ୍ଵ ରହିଛି , ସେଥିରେ ସେମାନଙ୍କ ଯେଉଁ ଦାୟିତ୍ୱବୋଧ ଓ ଗୁଣାତ୍ମକ ମାନ ରହିଛି , ତାହା ନିଶ୍ଚିତ ଭାବେ ସମ୍ବାଦ ପରିବେଷଣ ରେ ପ୍ରତିଫଳିତ ହୋଇଥାଏ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ୟୁନିଅନର ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଡିଏସପି ଡ଼ଃ ଚନ୍ଦ୍ର ଶେଖର ହୋତା , ଜିଲ୍ଲା ୟୁନିଅନ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ଉପସଭାପତି ଶ୍ରୀ କେ: ରାମସ୍ୱାମୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କ ଗହଣରେ ମନ୍ତ୍ରୀ ଦ୍ବୟ ମହା ସମାବେଶର ସାମ୍ବାଦିକ ସ୍ମରଣିକା ଉନ୍ମୋଚନ କରିବା ସହ ସଙ୍ଗୀତଜ୍ଞ ପଣ୍ଡିତ ରଘୁନାଥ ପାତ୍ର ଓ କେତେକ ସାମ୍ବାଦିକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଏବଂ ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ରଙ୍କୁ ୟୁନିଅନର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା , ପେନସନ ଓ ସ୍ୱାସ୍ଥ୍ୟବୀମା ଦାବୀ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ଓୟୁଜେ:ର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି କହିଥିଲେ ଯେ , ସାମ୍ବାଦିକ ମାନଙ୍କ ଯେଉଁ ଯଥାର୍ଥ ଓ ମୌଳିକ ଦାବୀ ଯଥା:- ମାସିକ ପେନସନ ୨୦ ହଜାର ଟଙ୍କା , ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ ଟଙ୍କା ଓ ସାମ୍ବାଦିକଙ୍କ ସୁରକ୍ଷା ଆକ୍ଟ ସବୁ ଦାବୀ ରହିଛି , ଏହା ପୂର୍ବ ସରକାର ଓ ବର୍ତ୍ତମାନର ସରକାର ଠାରେ ଦାବୀ ରଖାଯାଇଛି । ବର୍ତ୍ତମାନର ସରକାର ଏ ଦିଗରେ ଦାବୀ ସମସ୍ୟାର ସମାଧାନ କରାଯିବା ଦିଗରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଚାପ୍ ସୃଷ୍ଟି ହେବା ଆବଶ୍ୟକ । ଭାରତର ୧୭ ଟି ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସନ ମିଳୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ମଧ୍ୟପ୍ରଦେଶରେ ସାମ୍ବାଦିକ ମାନଙ୍କୁ ୨୦ ହଜାର ଟଙ୍କା ପେନସନ ଦିଆଯିବା ସହ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପେନସନ ଦିଆଯାଉଛି । ତେଣୁ ଓଡ଼ିଶା ସରକାର ଏ ଦିଗରେ ମଧ୍ୟପ୍ରଦେଶ କୁ ଏକ ମଡେଲ ଭାବରେ ଗ୍ରହଣ କରି ଓଡ଼ିଶାରେ ମଧ୍ୟ ସେହିଭଳି ପେନସନ ବ୍ୟବସ୍ଥା ଗ୍ରହଣ କରାଯାଉ । ସେହିଭଳି ସ୍ୱାସ୍ଥ୍ୟବୀମା ଯେଉଁ କାର୍ଯ୍ୟକାରୀ ହେଉଛି , ସେଥିରେ କୌଣସି ସ୍ପଷ୍ଟତା ରହୁନାହିଁ । ତାର ପରିମାଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ଏବଂ ଏଥିରେ ସାମ୍ବାଦିକ ମାନଙ୍କ ବାପା ମାଆ ଙ୍କୁ ମଧ୍ୟ ସାମିଲ କରାଯାଉ । ଅନ୍ୟପକ୍ଷରେ ଓଡ଼ିଶା ଏକ ପ୍ରଥମ ରାଜ୍ୟ ଯେଉଁଠି ସାମ୍ବାଦିକ ଅଧିସ୍ବୀକୃତି ନାହିଁ । ତେଣୁ ଆମର ଦାବୀ ହେଉଛି ଯେ , ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶା ରାଜ୍ୟରେ ମଧ୍ୟ ଅଧିସ୍ବୀକୃତି ନିୟମ ପରିବର୍ତ୍ତନ କରାଯାଇ ସେଥିରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଅଧିସ୍ବୀକୃତି ଦିଆଯିବା ସହ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ କରାଯାଉ । ଭାରତରେ ୨ଟି ରାଜ୍ୟ ଛତିଶଗଡ ଓ ମହାରାଷ୍ଟ୍ରରେ ସାମ୍ବାଦିକ ପ୍ରୋଟେକ୍ସନ୍ ଆକ୍ଟ କରି ସାରିଛନ୍ତି । ଓଡ଼ିଶାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ବହୁ ପରିମାଣରେ ବିପନ୍ନ , ବିଶେଷ କରି ନକସଲ ପ୍ରଭାବିତ ଅଞ୍ଚଳରେ ଯେଉଁ ସାମ୍ବାଦିକ ମାନେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ନିରାପତ୍ତାର ଘୋର ଆବଶ୍ୟକତା ରହିଛି ବୋଲି କହିଥିଲେ ।

 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ଶିଷ୍ୟା ମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

————————————————