କୁକୁଡ଼ାଖଣ୍ତି ତହସିଲ ତରଫରୁ ଗ୍ରାମକଣ୍ଠ ଓ ଜଙ୍ଗଲଜମି ପଟ୍ଟାବଣ୍ଟନ
କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମିନି ଷ୍ଟେଡିୟମ ଠାରେ ଗ୍ରାମକଣ୍ଠ ଓ ଜଙ୍ଗଲଜମି ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ବାଇଶିଟି ଗ୍ରାମ ପଞ୍ଚାୟତର ୯୮୦ ଜଣଙ୍କୁ ଗ୍ରାମକଣ୍ଠ ପଟ୍ଟା ଏବଂ ୧୨୭ ଜଣଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି। ଗୁରୁଣ୍ଠି ରାଜସ୍ୱ ମଣ୍ଡଳର ସର୍ବାଧିକ ୧୮୪ ଜଣ, ବାଲିପଡା ରାଜସ୍ୱ ମଣ୍ଡଳର ୧୫୧ ଜଣ ଓ ପାଣ୍ଡିଆଝୋଳି ରାଜସ୍ୱ ମଣ୍ଡଳର ୧୦୯ ଜଣ ହିତାଧିକାରୀ ଏଥିରେ ସାମିଲ ଥିଲେ। ସେହିପରି ବନ୍ଥପଲ୍ଲୀର ୪୪ , ବୋରିଗାଁର ୪୫, ବଉଳଝୋଳିର ୪୬, ଚଣ୍ଡୀପଦରର ୫୮, ଦକ୍ଷିଣପୁରର ୬୮ ,କୃପାସିନ୍ଧୁପୁରର ୩୫, କୁକୁଡାଖଣ୍ଡିର ୧୭, ଲାଠିର ୯୦ , ନିମଖଣ୍ଡିର ୬୭ ଏବଂ ସାହାଳାର ୩୬ ଜଣ ଆବେଦନକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଲାଠି, ବନ୍ଥପଲ୍ଲୀ ଏବଂ ସାହାଳା ରାଜସ୍ୱ ମଣ୍ଡଳର ସମୁଦାୟ ୧୨୭ଜଣ ଜଙ୍ଗଲଜମି ପଟ୍ଟା ପାଇଲେ। ଗତ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଶୁଭାରମ୍ଭ ହୋଇଥିବା ଗ୍ରାମକଣ୍ଠ ପଟ୍ଟାବଣ୍ଟନ ଅଭିଯାନ କ୍ରମରେ ଜିଲ୍ଲା ପ୍ରଶାସନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ତହସିଲରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। କୁକୁଡାଖଣ୍ଡି ତହସିଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପୌରୋହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର,ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ମଞ୍ଚାସୀନ ଥିଲେ। ଗତ ବର୍ଷେ ଭିତରେ ସବୁ ସହକର୍ମୀଙ୍କ ସାମୂହିକ ଉଦ୍ୟମ ଯୋଗୁଁ ଏତେ ସଂଖ୍ୟକ ପଟ୍ଟା ପ୍ରସ୍ତୁତ ହୋଇପାରିଥିବାରୁ ପ୍ରାରମ୍ଭିକ ସୂଚନାରେ ସମସ୍ତଙ୍କ ପ୍ରତି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ କୃତଜ୍ଞତା ଜ୍ଞାପନ କରିଥିଲେ। ତହସିଲ ପକ୍ଷରୁ ନିଆଯାଉଥିବା ଲୋକାଭିମୁଖୀ ପଦକ୍ଷେପକୁ ଅତିଥିମାନେ ପ୍ରଶଂସା କରିଥିବା ବେଳେ ଲୋକସେବାକୁ ଚାକିରୀର ମୂଳମନ୍ତ୍ର ଭାବେ ଗ୍ରହଣ କରି ତ୍ୱରିତ ଏବଂ ତ୍ରୁଟିଶୂନ୍ୟ ରାଜସ୍ୱସେବା ଯୋଗାଇବା ପ୍ରକ୍ରିୟାକୁ ବଳବତ୍ତର ରଖିବା ପାଇଁ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ନିର୍ଦ୍ଧାରିତ ସମୟସୀମାକୁ ସମ୍ମାନ ଦେଇ, ଯୋଜନାବଦ୍ଧ ଉଦ୍ୟମ ଦ୍ୱାରା ସୁଦୂରପ୍ରସାରୀ ଲୋକସେବା ସମ୍ଭବ ବୋଲି ଉପଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ତହସିଲଦାର ଶୁଭସ୍ମିତା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ତହସିଲଦାର ସ୍ୱାଗତିକା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ରାଜସ୍ୱ ପରିଦର୍ଶକଙ୍କ ସମେତ ତହସିଲର ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ