May 12, 2025

ଲାଞ୍ଜିଗଡ଼ ଅଞ୍ଚଳରେ ଗୋଚର ଜମି ଆଉ ନାହିଁ 

Share

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା )ଲାଞ୍ଜିଗଡ଼ ଅଞ୍ଚଳରେ ଆଜି କାଲି ଗାଈ ଗୋରୁ ରଖିବା ଏକ ସମସ୍ୟା ହୋଇଗଲାଣି l ଏ ଅଞ୍ଚଳରେ ପୂର୍ବେ ପ୍ରଚୁର ପରିମାଣରେ ଗୋଚର ଭୂମି ଥିଲା l ତେଣୁ ଗାଈ ଗୋରୁ ମନ ଇଚ୍ଛା ଚରିବୁଲି ପେଟ ପୁରାଇ ଘରକୁ ଫେରୁଥିଲେ l ପ୍ରାୟତଃ ଅଧିକାଂଶ ଲୋକେ ଗାଈ, ମଇଁଷି, ଛେଳି ମେଣ୍ଢା ପ୍ରଭୃତି ଗୃହ ପାଳିତ ପଶୁ ପାଳନ କରୁଥିଲେ l ଏହି ସବୁ ପଶୁ ପାଳନ ଦ୍ୱାରା ସେମାନେ ଲାଭବାନ ହେଉଥିଲେ l ଏଇ ସବୁ ଗୃହ ପାଳିତ ପଶୁ ଚରିବା ପାଇଁ ପ୍ରଚୁର ଚରାଭୂଇଁ ଥିଲା l

କିନ୍ତୁ ଏଠାରେ ବେଦାନ୍ତ ଆଲୁମିନା ପ୍ରକଳ୍ପ ହେବା ପରଠୁ କ୍ରମେ ଗୋଚର ଭୂମିର ପରିମାଣ ହ୍ରାସ ହୋଇ ଆସିଲା l ବେଦାନ୍ତ କମ୍ପାନୀକୁ ତାର ଆଲୁମିନା ପ୍ରକଳ୍ପ ପାଇଁ ହଜାର ହଜାର ଏକର ଜମି ସରକାର ଯୋଗାଇ ଦେଲେ, ଯାହା ମଧ୍ୟରେ ଅଧିକାଂଶ ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଭୂମି ରହିଛି l ପୁଣି ବିସ୍ଥାପିତ ମାନଙ୍କ ପାଇଁ କଲୋନୀ ଓ କମ୍ପାନୀ କର୍ମଚାରୀଙ୍କ ପାଇଁ ଷ୍ଟାଫ କଲୋନୀ ପାଇଁ ପ୍ରଚୁର ଜମି ଯୋଗାଇ ଦିଆଗଲା, ଯେଉଁଥିରେ ଅନେକ ଗୋଚର ଜମି ରହିଛି l ଆଉ ବାକି ଯେଉଁ ଜମି ବାହାରେ ରହିଗଲା, ତାହା ମଧ୍ୟ ଗୋରୁ ଚରିବା କାର୍ଯ୍ୟରେ ଆସୁନାହିଁ l କାରଣ ବେଦାନ୍ତର ଆଲୁମିନା ପ୍ରକଳ୍ପରୁ ଲାଲ ଧୂଳି ଓ ପାଉଁଶ ସବୁ ଉଡ଼ି ଆସି ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିବା ସହିତ ଗଛ ପତ୍ର ଘାସ ସବୁକୁ ଆଚ୍ଛାଦିତ କରୁଛି, ଫଳରେ ଗାଈ ଗୋରୁ ମଇଁଷି ପେଟ ବିକଳରେ ସେ ସବୁ ଖାଇବା ଯୋଗୁଁ ନାନା ପ୍ରକାର ମାରାତ୍ମକ ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l ଏହା ବ୍ୟତୀତ ଅନ୍ୟ ଏକ ସମସ୍ୟା ମଧ୍ୟ ରହିଛି l ତାହା ହେଲା, ଆଉ ଯେଉଁ ଜଙ୍ଗଲ ଓ ଗୋଚର ଭୂମି ରହିଥିଲା, ତାହା ମଧ୍ୟ ଅନେକ ଲୋକ ଅକ୍ତିଆର କରି ନେଇଛନ୍ତି ଏବଂ କିଛି ଜମି ମାଫିଆ ଗୋଚର ଜମି ସବୁକୁ ନିଜ କବ୍ଜାକୁ ନେଇଛନ୍ତି l ଏଥିରେ ଆମ ଲାଞ୍ଜିଗଡ଼ ରାଜସ୍ୱ ନିରୀକ୍ଷକ ବା ଆର. ଆଇ ବିଶେଷ ଭାବେ ଦାୟୀ l ସେମାନଙ୍କ ଠାରୁ ପ୍ରଚୁର ଅର୍ଥ ନେଇ ସେମାନଙ୍କୁ ସେ ସବୁ ଜମି ବଣ୍ଟନ କରି ତାଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେଉଛନ୍ତି ସାଧାରଣରେ ଆଲୋଚନା ହେଉଛି l ଏଥିପାଇଁ ଲୋକଙ୍କ ମନରେ ମଧ୍ୟ ପ୍ରବଳ ଅସନ୍ତୋଷ ଦେଖାଦେଉଛି l ଏ ସବୁ ଦୃଷ୍ଟିରୁ ଲାଞ୍ଜିଗଡ଼ ଅଞ୍ଚଳରେ ଗାଈ ଗୋରୁ ପ୍ରଭୃତି ଗୃହପାଳିତ ପଶୁ ପାଳନ ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର