June 6, 2025

ଅଲଟିମେଟ୍‌ ଖୋ ଖୋ ଉଦ୍‌ଘାଟିତ: ଜଗରନଟ୍ସର ବିଜୟ ଅଭିଯାନ…

Share

 

କଟକ(ସ୍ଵ.ପ୍ର)ଭରପୂର ଦର୍ଶକ ଓ ପ୍ରବଳ ଉତ୍ସାହ ମଧ୍ୟରେ ଅଲ୍‌ଟିମେଟ୍‌ ଖୋ ଖୋ ଦ୍ବିତୀୟ ସଂସ୍କରଣ ସ୍ଥାନୀୟ ଜବାହରଲାଲ ‌ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ୬ଟି ଦଳକୁ ନେଇ ଆୟୋଜିତ ଏହି ବହୁ ପ୍ରତୀକ୍ଷିତ ଲିଗ୍‌ରେ ଘରୋଇ ଦଳ ଓଡ଼ିଶା ଜଗରନଟ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଉଦ୍‌ଘା‌ଟନୀ ମୁକାବିଲାରେ ଏହି ବିଜେତା ଦଳ ୩୭-୨୭ରେ ରାଜସ୍ଥାନ ୱାରିଅର୍ସକୁ ମାତ୍‌ ଦେଇଛି। ଘ‌ରୋଇ ଦଳ ପାଇଁ ଅକ୍ଷୟ ମାସାଲ ୮ ପଏଣ୍ଟ ପାଇଥିଲା ବେଳେ ରୋହନ ସିଂଙ୍ଗାଡେ, ଅବିନାଶ ଦେଶାଇ, ଗୌତମ ଏମ୍‌କେ ୪ ମିନିଟ୍‌ରୁ ଅଧିକ ସମୟ ଲେଖାଏଁ ବିତାଇଥିବାରୁ ଓଡ଼ିଶାକୁ ଅଧିକ ପଏଣ୍ଟ ମିଳିବାରେ ସହାୟକ ହୋଇଥିଲା। ଓଡ଼ିଶା ଖେଳାଳି ଆଟାକିଂ ବେଳେ ସ୍କାଏ ଓ ପୋଲ୍‌ ଡାଇଭ୍‌ରୁ ୬ ଲେଖାଏଁ ଏବଂ ଟୋଟାଲ ଟଚ୍‌ରୁ ୨୦ ପଏଣ୍ଟ୍‌ କରାୟତ୍ତ କରିଛି। ଡିଫେଣ୍ଡିଂ ବେଳେ ୩ ବୋନସ ପଏଣ୍ଟ ହାସଲ କରିଛି। ଅନ୍ୟ ଏକ ମ୍ୟାଚ୍‌ରେ ଉପବିଜେତା ତେଲୁଗୁ ଯୋଦ୍ଧାସ୍‌ ୪୬-୪୪ରେ ମୁମ୍ବାଇ ଖିଲାଡ଼ିଜ୍‌କୁ ପରାସ୍ତ କରିଛି।
ଉଦ୍‌ଘାଟନୀ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଅଲ୍‌ଟିମେଟ୍‌ ଖୋ ଖୋର ସିଇଓ ତଥା ଲିଗ୍‌ କମିସନର ତେନଜିଂଗ ନିୟାଗିଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନ ଉତ୍ସବରେ ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ‌ବେହେରା, ଭାରତୀୟ ମହିଳା ଖୋ ଖୋ ଦଳର ଅଧିନାୟିକା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ନସରିନ୍‌ ଶେଖ ଓ କଟକ ମେୟର ସୁବାସ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳାଳି ମାନେ ଶପଥ ପାଠ କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ୬ ଫ୍ରାଞ୍ଚାଇଜ୍‌ ଚେନ୍ନାଇ କୁଇକ୍‌ ଗନ୍‌ସର ଶ୍ରୀନାଥ ଚିଟ୍ଟୋରୀ, ଗୁଜରାଟ ଜାଏଣ୍ଟସ୍‌ର ବିନୟ ସିଂହ, ମୁମ୍ବାଇ ଖିଲାଡିଜ୍‌ର ପୁନିତ ବଲାନ, ଓଡ଼ିଶା ଜଗରନଟ୍ସର ରଂଜିତ ପରିଡ଼ା, ରାଜସ୍ଥାନ ୱାରିଅର୍ସର ଜିଗର ଶାହ, ‌ତେଲୁଗୁ ଯୋଦ୍ଧାସ୍‌ର ପି‌କେଏସ୍‌ଭି ସାଗର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।