ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ – ୨୦୨୫ ଉଦଯାପିତ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ବ୍ଲକ ଵିକ୍ରମପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ – ୨୦୨୫ ହର୍ଷ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ବିଧାୟକ ଗୁଣପୁର ବିଧାନସଭା ଶ୍ରୀ ସତ୍ୟଜିତ ଗମାଙ୍ଗ , ବକ୍ତା ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବିଶଙ୍କର ଗମାଙ୍ଗ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅଶୀମା ରାଓ , ରାୟଗଡ଼ା ମଣ୍ଡଳ ଶିକ୍ଷା ନିରୀକ୍ଷକ ଶ୍ରୀ ଶ୍ୟାମଘନ ଭୂୟାଁ , ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ଦଳେଇ , ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶଵର , ଅଧ୍ୟକ୍ଷ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଵିକ୍ରମପୁର ଶ୍ରୀ ଅନନ୍ତ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ମଞ୍ଚାସିନ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏକଲବ୍ୟ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ଉପସ୍ଥିତ ଅତିଥିମାନଙ୍କୁ ଚକିତ କରିଥିଲା । ମଞ୍ଚାସିନ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ମୂଳକ ମନୋଭାବ ନେଇ ଆଗକୁ ଵଢିଲେ ଜୀବନରେ ପ୍ରତିଷ୍ଠା ଲାଭ କରିପାରିବ ବୋଲି କହିଥିଲେ । ବକ୍ତା ରବିଶଙ୍କର ଗମାଙ୍ଗ ଶିକ୍ଷକ ମାନଙ୍କୁ ଗୁରୁ ଦ୍ରୋଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଏକଲବ୍ୟର ଉଦାହରଣ ଦେଇ ଗୁରୁ ଶିଷ୍ୟର ସମ୍ପର୍କ କେତେ ଦୃଢ଼ ସେ ବିଷୟରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ଜିଲ୍ଲା ସଦରମହକୁମାରେ ଏହି ଶିଶୁ ମହୋତ୍ସବ ସରଗିଫୁଲ ପାଳନ କରାଯାଉଥିବା ବେଳେ , ଏ ବର୍ଷ ପ୍ରଥମ ଥର କରି ଗୁଣପୁର ବ୍ଲକ ବିକ୍ରମପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମାବେଶ ଖେଳକୁଦ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବାଳକ ୪୪୫ ଓ ବାଳିକା ୧୦୮୩ ଏପରି ସର୍ବମୋଟ ୧୫୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀ ମାନଙ୍କ ସଙ୍ଗରେ ୪୮୯ ଜଣ ଶିକ୍ଷକ ଓ ସହଯୋଗୀ କର୍ମଚାରୀ ଆସିଥିବା ସୂଚନା ମିଳିଛି । ବିଶେଷ କରି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଛାତ୍ରଛାତ୍ରୀଙ୍କ ସୃଜନୀ ଶକ୍ତିକୁ ଆହୁରି ବିକଶିତ କରାଇବା ଏଵଂ ସେମାନଙ୍କୁ ଉତ୍ତମ ନାଗରିକ ରୂପେ ଗଢିତୋଳିବାର ଲକ୍ଷ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସରଗିଫୁଲ ହେଉଛି ଏକ ଉପଯୁକ୍ତ ମାଧ୍ୟମ । ଯାହାକୁ ବର୍ଷ ସାରା ଛାତ୍ରଛାତ୍ରୀ ମାନେ ଚାତକ ପରି ଜଗି ରହିଥାନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଵହୁ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିଥିବା ଦେଖିବାକୁ ମିଳିଛି । ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ , ଆଦର୍ଶ ଶିକ୍ଷକ , ଆଦର୍ଶ ସ୍କୁଲ , ଉତ୍ତମ ଏ ଏନ୍ ଏମ୍ , ଉତ୍ତମ ମେଟ୍ରନ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ଗଙ୍ଗାଧର ବେହେରା , ଅର୍ଚ୍ଚନା ପଣ୍ଡା , ବିଶିକେଶନ ବାଘ , ଗୋପିନାଥ ପରିଛା , ମୋହନ କେରିମେରିକା , ସିଲା ଶ୍ରୀନିବାସ ,ଦିଲୀପ ଚୌଧୁରୀ , ସୁନୀଲ କୁମାର ଗୈାଡ , ବୃନ୍ଦାବନ ସାହୁ , ମନୋଜ ତୁଳ , ସନ୍ତୋଷ ପଣ୍ଡା , ସିମାଞ୍ଚଳ ପାତ୍ର , ରାଜ କିଶୋର ପାଣିଗ୍ରାହୀ , ଅନିଲ ଦାସ , ଲକ୍ଷ୍ମୀନାରାୟଣ ପାଳ , ସୀମା ସୁନ୍ଦର ନାୟକ, କିରଣ କୁମାର ପ୍ରମୁଖଙ୍କ ସହ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।
