ପାତ୍ରପୁର ବ୍ଲକରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ
ଚିକିଟି ଶୁଭଶ୍ରୀ ପ୍ରଧାନ,
ତାରିଖ ୨୫/୦୯/୨୫
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ୨୪/୨୫ ଆର୍ଥିକ ବର୍ଷରେ ହୋଇଥିବା ମନରେଗା କାର୍ଯ୍ୟ ବିଶେଷର ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଡେପୁଟି କଲେକ୍ଟର ସୁବ୍ରତ ସତପଥି ସଭାପତିତ୍ବ କରିଥିଲେ।ଜନଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷକ ଡ଼ଃ ରବିନ୍ଦ୍ର ନାଥ ମଲାଣ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ ଓ ସହକାରୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ଉପସ୍ଥିତ ରହି ମନରେଗା ଜନଶୁଣାଣୀ କରିଥିଲେ। ଉକ୍ତ ଶିବିରରେ ବ୍ଲକର ୨୩ ଗୋଟି ପଞ୍ଚାୟତରେ କରାଯାଇଥିବା ନରେଗା ଯୋଜନାରେ ପ୍ରକଳ୍ପ ସ୍ତରୀୟ ବିକାଶ, ଶ୍ରମ ଦିବସ ସୃଷ୍ଟି ସହ ଶ୍ରମ ନିଯୁକ୍ତି ଏବଂ ଶ୍ରମିକ ମଜୁରୀ ଦେୟ ନେଇ ତର୍ଜମା କରାଯାଇଥିଲା । ଏହା ସହିତ ହାସଲ କରାଯାଇଥିବା ସଫଳତା ନେଇ ଏପିଓ ପ୍ରଣତି ପୁରୋହିତ ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ହୋଇଥିବା ଚାରା ରୋପଣ ଓ ମଜୁରୀ ପ୍ରଦାନ ବିଷୟରେ ସାମନ୍ତିଆପଲ୍ଲୀ ବନପାଳ ଅଭିନାଶ ଚୌଧୁରୀ ସବିଶେଷ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଜନଶୁଣାଣୀ ଶିବିରରେ ରେଞ୍ଜରଙ୍କ ଅନୁପସ୍ଥିତି ଥିବା ନେଇ ଡେପୁଟି କଲେକ୍ଟର ଅସନ୍ତୋଷ ପ୍ରକାଶ କରିଛନ୍ତି।ସୂଚନା ଅନୁସାରେ ପାତ୍ରପୁର ବ୍ଲକରେ ୩,୧୨,୨୪୦ ଶ୍ରମ ଦିବସ ସୃଷ୍ଟି କରାଯାଇ ୪୪ ପ୍ରତିଶତ ସଫଳତା ପାଇଥିବା ଜଣାପଡ଼ିଛି । ସର୍ବମୋଟ ୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି । ବ୍ଲକରେ ସର୍ବମୋଟ ୨୧,୨୧୮ ଜବକାର୍ଡ ଧାରୀ ରହିଥିବା ବେଳେ ସେଥି ମଧ୍ୟରୁ ୧୨୬ ଡବକାର୍ଡଧାରୀଙ୍କୁ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଆଯାଉଥିବା ତଥ୍ୟ ରହିଛି । ଏହି ଶିବିରରେ କେବଳ ଚାରି ସରପଞ୍ଚ, ଚାରି ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ କିଛି ଜନସାଧାରଣ ଉପସ୍ଥିତ ଥିଲେ। ଏଥି ସହିତ ଶିବିରରେ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଏଡିଇଓ ମାନେ ଉପସ୍ଥିତ ଥିଲେ।
