ପିପୁଲ୍ସ କଲେଜରେ ସମ୍ବିଧାନ ହତ୍ଯା ଦିବସ ପାଳନ ସହ ଆଲୋଚନାଚକ୍ର

ବୁଗୁଡା : ତା ୨୫/୦୬/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବିଧାନ ହତ୍ଯା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାଚକ୍ରର ଶୀଷର୍କ ” ଦି ପ୍ରିଏମ୍ବଲ୍ ଏଜ୍ ଏ ବିକନ୍ ଅଫ୍ ଡେମୋକ୍ରାଟିକ୍ ଭିଜିଲାନ୍ସ ” ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଲେଜ ସଭାଗୃହରେ ଅଧ୍ଯକ୍ଷ ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶରଣକୁଳ କଲେଜ ଅଧ୍ୟାପକ ଅନ୍ତର୍ଯ୍ୟାମି ପରିଡା ଯୋଗଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ବିନୋଦ କୁମାର କର, ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଗତ ୧୯୭୫ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ତାଙ୍କର ସମସ୍ତ ବିରୋଧୀ ନେତାଙ୍କୁ ୧୯୭୧ର ଆଭ୍ଯନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ (ମିସା) ବଳରେ ବେଆଇନ ଭାବେ ଜେଲରେ ରଖାଯାଇଥିବା , ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବା , ଇନ୍ଦିରା ଗାନ୍ଧୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ସାଧାରଣ ନାଗରିକଙ୍କ ସ୍ବାଧୀନତା ହରଣ ହୋଇଥିବା ଆଦି ସମସ୍ତ କଥା ଓ ବ୍ଯଥା ସମ୍ପର୍କେ ଅତିଥିଗଣ ଆଲୋକପାତ କରିଥିଲେ। ଏଥି ସହ ସେହି ସମୟରୁ ଜୁନ ୨୫ ତାରିଖଟି ଭାରତୀୟ ଗଣତନ୍ତ୍ରରେ କଳା ଦିବସ ଭାବେ ବିବେଚିତ ହୋଇ ଆସୁଥିବା ବେଳେ ଏବେ ତାହା ସମ୍ବିଧାନର ହତ୍ଯା ଦିବସରେ ରୂପାନ୍ତରିତ ହୋଇଥିବା ନେଇ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାଚକ୍ର ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନେଇ ବୁଗୁଡା ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ପରେ ସେମାନଙ୍କ ମଧ୍ୟରେ କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମନିଷା ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ରୂପାଲି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
