ଆଗକୁ ଆସୁଛି ଦଣ୍ଡ ଯାତ୍ରା ,ନାଟକ ରିହର୍ସାଲରେ ମସଗୁଲ କଳାକାର

ବୁଗୁଡ଼ା : ତା ୨୫/୦୩/୨୫ : ଆଗକୁ ଆସୁଛି ଦଣ୍ଡଯାତ୍ରା । ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରାର ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରୀକାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ରିହର୍ସାଲରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି । ଏ ବର୍ଷ ବୁଗୁଡ଼ାରେ ଅନୁସନ୍ଧାନମୂଳକ ସାମାଜିକ ନାଟକ “ରାଜଧାନୀ କୁଲି ରାଜକୁମାର” , ଗୋଲିଆରେ “ହାଇଦର”, ଭାମଶ୍ୟାଳିରେ “ହାଏ କୃଷ୍ଣ ବୋଲି ଯାଏ ଜୀବ” ,ପାଣିକେଶରରେ କାଳ୍ପନିକ ନାଟକ “ସୁଖ ସରିଗଲା ସ୍ବର୍ଗଦ୍ବାରରେ” ପଙ୍କଳବାଡି ଓ ପୋଚାଲୁଣ୍ଡିର “କହିବାକୁ ଲାଜ ଶୁଣିଲେ ପାପ” , ତାଳସାକରରେ ପୌରାଣିକ ନାଟକ “କାଳିଆ ସାଜିଛି କଳା ଛଞ୍ଚାଣ” , କାନକୁଟୁରୁରେ ପୌରାଣିକ ନାଟକ “ମହାଦାନୀ କର୍ଣ୍ଣ” , ଚିଲିଖମାରେ ପୌରାଣିକ ନାଟକ “ନର୍କ କୁଣ୍ଡେ ନାରାୟଣ”, ପାଣିକେଶରରେ କାଳ୍ପନିକ ନାଟକ “ସୁଖ ସରିଗଲା ସ୍ବର୍ଗଦ୍ବାରରେ” , ଆଶ୍ରମକରଡ଼ାବାଡ଼ି, ଡାକରାବାଡି ଓ ବଣପଲ୍ଲୀରେ “ଭାରତଲୀଳା” , ମରାଇପଲ୍ଲୀରେ ପୌରାଣିକ ନାଟକ ” ଇନ୍ଦ୍ରଜିତ ବଧ “, ଚିରିକିପଡାରେ “ଗାହାଣ” , ଭାବସରରେ ପୌରାଣିକ ନାଟକ “ମହିରାବଣ ବଧ”, ବକ୍ସିପଲ୍ଲୀରେ ସାମାଜିକ ନାଟକ “ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ” ଆଦି ନାଟକ ପରିବେଷଣ ହେବାକୁ ଯାଉଥିବା ନେଇ ବିଭିନ୍ନ ଦଣ୍ଡନାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି । ତେବେ ଏସବୁ ନାଟକ ପରିବେଷଣ କାଳରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ଅଗ୍ରାହ୍ୟ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।