ଦମ୍ପତିଙ୍କୁ ପିସ୍ତଲ ଦେଖାଇ ଅଳଙ୍କାର ଲୁଟ ଘଟଣାରେ ୩ ଡକାୟତ ଗିରଫ
ବୁଗୁଡ଼ା : ତା ୨୪/୧୨/୨୫ : ଗତ ମଙ୍ଗଳବାର ସକାଳ ପ୍ରାୟ ୦୯.୫୦ ସମୟରେ ଓଡଗାଁର ମନୋଜ କୁମାର ପାତ୍ର ତାଙ୍କ ସ୍ତ୍ରୀ ସୋନାଲି ପାତ୍ର ଏବଂ ପୁଅ ସ୍ୱସ୍ତିକ ପାତ୍ର ସହିତ ତାଙ୍କ ଶ୍ୱଶୁର ଘର ଗୋଲାପାଲି ଗ୍ରାମକୁ ଯାଇ ମୋଟର ସାଇକେଲ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ତିନି ଦୁର୍ବୁତ୍ତ ବାଇକ ଯୋଗେ ସେମାନଙ୍କୁ ପିଛା କରି ଗହଙ୍ଗୁ ରୋଡର ବାଲିପଦର ପେଟ୍ରୋଲ ପମ୍ପ ନିକଟରେ ମନୋଜଙ୍କ ସ୍ତ୍ରୀଙ୍କୁ ପିସ୍ତଲ ଦେଖାଇ ବେକରୁ ୧୦ ଗ୍ରାମ ଓଜନର ସୁନା ମଙ୍ଗଳସୂତ୍ର ଏବଂ ୧.୫ ଗ୍ରାମ ଓଜନର ସୁନା ହାର ଝାମ୍ପି ନେଇଥିଲେ । ଏ ସମୟରେ ଭାରସାମ୍ୟ ହରାଇ ମନୋଜଙ୍କ ବାଇକ କଂକ୍ରିଟ୍ ରାସ୍ତାରେ ପଡିଯାଇଥିବା ଫଳରେ ତାଙ୍କ ସ୍ତ୍ରୀଙ୍କ ହାତ ଭାଙ୍ଗି ଯିବା ସହ ଆଣ୍ଠୁ, ଗୋଡ, ପିଠି ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ ଆଘାତ ଲାଗିଥିଲା। ତାଙ୍କ ପୁଅର ମଧ୍ୟ ମୁହଁ, ମୁଣ୍ଡ ଏବଂ ପାଦରେ ଆଘାତ ଲାଗିଥିଲା। ପଛରେ ବସିଥିବା ଅପରାଧୀମାନଙ୍କ ମଧ୍ୟରୁ ଜଣେ ସେମାନଙ୍କୁ ଟାର୍ଗେଟ କରି ପିସ୍ତଲ ଦେଖାଇଥିଲା ବେଳେ ସିଟ୍ ମଝିରେ ବସିଥିବା ଅନ୍ୟ ଜଣେ ମଙ୍ଗଳସୂତ୍ର ଏବଂ ହାର ଛଡ଼ାଇ ନେଲେ। ଅପରାଧ ଘଟାଇବା ପରେ ସେମାନେ ତାଙ୍କର ମୋଟର ସାଇକେଲରେ ଦ୍ରୁତ ଗତିରେ ପଳାଇଗଲେ। ଘଟଣାଟି ଦେଖିଥିବା ଜଣେ ଗ୍ୟାରେଜ ମେକାନିକ୍ ସ୍ଥାନୀୟ ପୋଲିସକୁ ଫୋନ୍ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଆଜି ଅଭିଯୁକ୍ତ ପ୍ରକାଶ ମାଲିଙ୍କୁ ଗିରଫ କରିବା ସହ ସହଯୋଗୀ ଅଭିଯୁକ୍ତ ରାଜା ପାତ୍ର (୧୯) ଏବଂ ରୁଦ୍ର ନାୟକ (୧୯)କୁ ଗିରଫ କରିବା ସହ ଅଭିଯୁକ୍ତ ପ୍ରକାଶର ବୟାନ ଅନୁଯାୟୀ, ଚୋରି ହୋଇଥିବା ସୁନା ହାର ଏବଂ ଭଙ୍ଗା ମଙ୍ଗଳସୂତ୍ର ଉଦ୍ଧାର କରିଥିଲେ। ସେମାନଙ୍କୁ ୧୫ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ନ୍ୟାୟିକ ହାଜତରେ ରଖିବା ପାଇଁ ପ୍ରାର୍ଥନା କରାଯାଇ ଥିବା ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି l
