ଗଜପତି:- ଆଦିବାସୀ ଝିଅ ଜ୍ୟୋତ୍ସ୍ନା ଶବର “ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର” ପାଇବା ପାଇଁ ମନୋନୀତ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପାହାଡ ଘେରା ବଣଜଙ୍ଗଲ ପରିପୂର୍ଣ ପେକଟ ଗ୍ରାମର ବାସିନ୍ଦା କୀର୍ତ୍ତନ ଶବରଙ୍କ କନ୍ୟା ତଥା ଆଦିବାସୀ ଝିଅ ସୁଶ୍ରୀ ଜ୍ୟୋତ୍ସ୍ନା ଶବର (୧୭) “ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର” ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଜ୍ୟୋତ୍ସ୍ନା ଏକମାତ୍ର ଏବଂ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି । ଆସନ୍ତା ୨୬ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ଜ୍ୟୋତ୍ସ୍ନା ଭାରୋତ୍ତଳନ( ୱେଟ ଲିଫ୍ଟିଂ) କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେଇ ଗୌରବ ଜନକ ସଫଳତା ଅର୍ଜନ କରିଛନ୍ତି । ଏମିତି କି , ସୁଶ୍ରୀ ଜ୍ୟୋତ୍ସ୍ନା ୨୦୧୯ ମସିହାରୁ ନିୟମିତ ଭାବେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସ୍ ରେ ରହି ଶିକ୍ଷା ଲାଭ କରିବା ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତଳନ ପ୍ରଶିକ୍ଷଣ ଗ୍ରହଣ କରି ଆସୁଛନ୍ତି ।
ଜ୍ୟୋତ୍ସ୍ନା ଏହି ସଫଳତା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରାପ୍ରାପ୍ର ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନାଗା’ଙ୍କ ଅଧ୍ୟକ୍ଷତାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜ୍ୟୋତ୍ସ୍ନା ର ବାପା କୀର୍ତ୍ତନ ଶବର ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଆଜି ମଧ୍ୟାହ୍ନ ସମୟରେ ଜିଲ୍ଲା ପ୍ରଶାସନଙ୍କ ଏକ ଗାଡ଼ି ଯୋଗେ ସେ ବିଶାଖାପାଟଣା ଏରୋଡ୍ରମ ଯାଇ ସେଠାରୁ ଫ୍ଲାଇଟ ଯୋଗେ ନୂଆଦିଲ୍ଲୀ ଯାଇଛନ୍ତି ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————
