December 25, 2024

ଋଷିକୂଲ୍ୟା ଡ୍ୟାମ୍ ପାଇଁ ଜନଶୁଣାଣିରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ !

Share

 

ଆଜି ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ଚର୍ଚ୍ଚିତ ଜନଶୁଣାଣି ଶିବିର ଗାଜରବାଡ଼ି ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା, ଶୀତ ଓ କୋହଲା ପାଗ ସତ୍ତ୍ୱେ ଡ୍ୟାମ୍ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ୨୩ ଖଣ୍ଡ ଗ୍ରାମର ଶତାଧିକ ଲୋକ ଯୋଗଦେଇ ଡ୍ୟାମ୍ ନିର୍ମାଣକୁ ବିରୋଧ କରିଥିଲେ । ସମସ୍ତେ ଗୋଟିଏ ସ୍ଵରରେ ଡ୍ୟାମ୍ ହେଲେ ଆମର ଭିଟାମାଟି ଚାଲିଯାଇ ସର୍ବନାଶ ହେବ ତେଣୁ ତାକୁ ଆମେ ଜୋରଦାର ବିରୋଧ କରୁଛୁ ବୋଲି କହିଥିଲେ । ଏହା ବ୍ୟତୀତ ବର୍ଷର‌ ଅଧିକାଂଶ ସମୟ ପ୍ରାୟତଃ ଶୁଷ୍କ ରହୁଥିବା ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଡ୍ୟାମ୍ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ମରିଯିବ ଏବଂ ତା’ର ଉପରେ ନିର୍ଭରଶୀଳ ଶତାଧିକ ଗାଁର ହଜାର ହଜାର ଲୋକଙ୍କ ଚାଷବାସ ଓ ଜୀବନ ଜୀବିକା କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ଅନେକ ଗାଁର ଲୋକେ ଲିଖିତ ଭାବେ ବି ଜନଶୁଣାଣୀରେ ନିଜର ଆପତ୍ତି ଜଣାଇଥିଲେ । ଶେଷରେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସୋରଡା ବିଡ଼ିଓ ଏବଂ ତହସିଲଦାର ଆପଣମାନଙ୍କ ଆପତ୍ତିକୁ ଆମେ ସରକାରଙ୍କ ପାଖକୁ ପଠାଇଦେବୁ ବୋଲି ଘୋଷଣା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା । ସିପିଏମ ପାର୍ଟି ପକ୍ଷରୁ ଦୁଇ ଜଣ ସ୍ଥାନୀୟ ନେତା ଜନ ଶୁଣାଣୀକୁ ଆସି ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣକୁ ସମର୍ଥନ କରିବା ସହ ତା’ର ପାଣିକୁ ଜିଲ୍ଲାର ଚାଷୀମାନଙ୍କୁ ଦିଆଯାଉ ବୋଲି କହି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସେହି ଅଞ୍ଚଳର ବାସିନ୍ଦା ତଥା ଏଆଇକେଏମଏସର ବ୍ଳକ ସଭାପତି କାଳୀଚରଣ ନାୟକ ଡ୍ୟାମ୍ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀ ମରିଯିବ ଏବଂ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ବିପଦାପନ୍ନ ହେବ ବୋଲି କହି ତାକୁ ବନ୍ଦ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଆଦିବାସୀ ନେତା ରାଜୁ ମଳିକ, ଉଗ୍ରସେନ ମଳିକ, ବ୍ରଜମୋହନ ମଳିକ ପ୍ରମୁଖ ଯୋଗ ଦେଇ ଡ଼୍ୟାମକୁ ବିରୋଧ କରିବା ସହ ନିଜର ଭିଟାମାଟିକୁ ବଞ୍ଚାଇବାକୁ ସଂଗ୍ରାମ କରିବାକୁ ଘୋଷଣା କରିଥିଲେ ।