March 10, 2026

ଅଧ୍ଯାପକଙ୍କ ଉଗ୍ର ଆଚରଣ ପ୍ରତିବାଦରେ କ୍ରୀଡାଛାତ୍ରଙ୍କ ବିକ୍ଷୋଭ ,କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପରେ ଘଟିଲା ଶାନ୍ତିପୂର୍ଣ୍ଣ ସମାଧାନ 

IMG-20251124-WA0053
Share

 

ବୁଗୁଡ଼ା : ତା ୨୪/୧୧/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ଏନସିସି ଆର୍ମି ଓ୍ବିଙ୍ଗ୍ ଲେଫ୍ଟନାଣ୍ଟଙ୍କ ଉଗ୍ର ଆଚରଣ ପ୍ରତିବାଦରେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କ୍ରୀଡାଛାତ୍ରଙ୍କ ଉତ୍ତେଜନାପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଘଟିଥିବା ଜଣାଯାଇଛି। ପ୍ରକାଶ ଯେ, ରବିବାର ଦିନ କଲେଜର କ୍ରୀଡା ପ୍ରାଙ୍ଗଣରେ ଏନସିସି ଦିବସ ପାଳନ ଅବସରରେ ନିକଟରେ ଭଲିବଲ୍ ଖେଳାଭ୍ଯାସ ଯୋଗୁଁ କିଛିଟା ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏଥିରେ ବିରକ୍ତ ହୋଇ ଏନସିସି ଆର୍ମି ଓ୍ବିଙ୍ଗ୍ ଲେଫ୍ଟନାଣ୍ଟ ଜଣକ ଖେଳାଳୀଙ୍କ ପ୍ରତି ଉଗ୍ର ଆଚରଣ ପ୍ରଦର୍ଶନ କରିଥିଲେ। ଏହାର ପ୍ରତିବାଦ କରିବାକୁ ଯାଇ ସୋମବାର ସକାଳେ କ୍ରୀଡାଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ ଅସ୍ବଭାବିକ ପରିସ୍ଥିତି ସାଙ୍ଗକୁ ଅଭାବନୀୟ ଘଟଣା ଘଟିଥିଲା। କଲେଜ ଛାତ୍ରଛାତ୍ରୀଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଥିଲା। ଖବର ପାଇ ପୋଲିସ ପହଞ୍ଚିବା ପରେ କଲେଜ ପରିସରରେ ଉତ୍ତେଜନା ହ୍ରାସ ପାଇଥିଲା। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଶାନ୍ତି ରକ୍ଷା ନିମନ୍ତେ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ଆହ୍ବାନ କ୍ରମେ ଏକ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, +୨ ଓ +୩ କ୍ରୀଡା ଉପଦେଷ୍ଟା ଆତ୍ମ ପ୍ରକାଶ ନାୟକ ଓ ଅକ୍ଷୟ କୁମାର ସାହୁ , କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ଅଧ୍ୟାପକ ପ୍ରଦୀପ କୁମାର ଦାଶ, ଜୟରାମ ବିଷୋୟୀ, ସଞ୍ଜୟ କୁମାର ପ୍ରଧାନ, ଶଙ୍କର ପରିଡା ଓ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ସମେତ କ୍ରୀଡାଛାତ୍ରମାନେ ଉପସ୍ଥିତ ରହିଥିଲେ। ଏ ଅବସରରେ ଅଧ୍ଯାପକଙ୍କ ଅନାବଶ୍ୟକ ଉଗ୍ର ଆଚରଣ ଏବଂ କ୍ରୀଡାଛାତ୍ରଙ୍କ ଅସଙ୍ଗତ ଉଗ୍ର ପ୍ରତିବାଦକୁ ନାପସନ୍ଦ କରାଯିବା ସହ ଏଭଳି ଘଟଣା ଶିକ୍ଷାନୁଷ୍ଠାନ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଥିଲା।ଆଇଆଇସି ଏବଂ ଅଧ୍ଯାପକବୃନ୍ଦଙ୍କ ଦ୍ବାରା ପ୍ରତିବାଦକାରୀ ଛାତ୍ରଗୋଷ୍ଠୀକୁ ମାର୍ଗ

 

 

 

ଦର୍ଶନ ସହ କଲେଜର ଗୌରବ ବୃଦ୍ଧି ଏବଂ ନିଜ ନିଜର ଉଜ୍ଜ୍ବଳ ଭବିଷ୍ୟତ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ବୈଠକରେ ଅଭୁତପୂର୍ବ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଘଟିଥିବା ବେଳେ ପରିଶେଷରେ ଛାତ୍ର ବାଦଲ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।