April 24, 2026

ଗୋ ସୁରକ୍ଷା ନାଁରେ ଧରାକୋଟରେ ଦଳିତମାନଙ୍କ ଉପରେ ଅସାମାଜିକ ଗୁଣ୍ଡାମାନଙ୍କ ବର୍ବର ଆକ୍ରମଣ ନେଇ ଦଳିତ ମହାସଭା ପକ୍ଷରୁ ଏସପି ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

IMG-20250624-WA0045
Share

 

 

ଧରାକୋଟରେ ଦଳିତ ସମ୍ପ୍ରଦାୟର ଦୁଇ ଜଣ ବ୍ୟକ୍ତିଙ୍କୁ ତଥାକଥିତ ଗୋ ରକ୍ଷକମାନେ ଗତ ୨୨ ତାରିଖରେ ଯେଉଁଭଳି ମରଣାନ୍ତକ ଆକ୍ରମଣ କରି ନିର୍ଯ୍ୟାତନା ଦେଇଛନ୍ତି, ତା’ର ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ନେତୃତ୍ୱରେ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବିମାନଙ୍କ ତରଫରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମେ ଛତ୍ରପୁର ଠାରେ ଗଞ୍ଜାମ ଏସପିଙ୍କୁ ସାକ୍ଷତ କରି ସ୍ମାରକପତ୍ର ପ୍ରଦାନ କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ଅପରାହ୍ନରେ ମହାସଭା ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଧରାକୋଟ ଘଟଣା ପରି ବର୍ବରୋଚିତ ଘଟଣା ପଛରେ ଉଭୟ ସାମ୍ପ୍ରଦାୟିକ ଓ ଜାତିଗତ ରାଜନୀତିର ମନୁବାଦୀ ବିଚାର ରହିଛି ବୋଲି କୁହାଯାଇଛି । ଆକ୍ରମଣକାରୀମାନେ ଗୋ ସୁରକ୍ଷା ନାଁରେ ସାମ୍ପ୍ରଦାୟିକ ଆଭିମୁଖ୍ୟ ରଖି ଆକ୍ରମଣ କରିବା ସହ ପିଡୀତମାନଙ୍କୁ ସେମାନଙ୍କ ଜାତିର ଉଲ୍ଲେଖ କରି ଅତ୍ୟାଚାର କରିଥିଲେ । ଏହାକୁ କେବଳ ଏକ ଆଇନ ଶୃଙ୍ଖଳା ଜନିତ ସମସ୍ୟା ଅଥବା ଏକ ବିଛିନ୍ନ ଘଟଣା ଭାବେ ନଦେଖି ସାମଗ୍ରିକ ଭାବେ ଦେଖିବାକୁ ଅନୁରୋଧ କରାଯାଇଛି । ଯଦିଓ ବିଭତ୍ସତା ଦୃଷ୍ଟିରୁ ଏହି ଘଟଣା ଅଭୂତପୂର୍ବ ଅଟେ କିନ୍ତୁ ଗୋ ସୁରକ୍ଷା ନାଁରେ ଦଳିତଙ୍କ ଉପରେ ଅତ୍ୟାଚାରର ଏହା ପ୍ରଥମ ଘଟଣା ନୁହେଁ । ଜିଲ୍ଲାର ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ପ୍ରୋତ୍ସାହନରେ ଅସାମାଜିକ ଲୋକମାନେ ଗୋ ସୁରକ୍ଷାର ଆଳ ନେଇ ରାସ୍ତାରେ ଗାଈଗୋରୁ ନେଇ ଯାଉଥିବା ଚାଷୀ ଓ ବ୍ୟବସାୟୀମାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ଡରାଇ ଧମକାଇ ବଟି ଆଦାୟ କରି ଆସୁଛନ୍ତି । ଅନେକ କ୍ଷେତ୍ରରେ ପାରମ୍ପାରିକ ଭାବେ ଗାଈଗୋରୁ ବ୍ୟବସାୟ କରି ପେଟ ପୋଷୁଥିବା ଦଳିତ ଲୋକମାନେ ଏମାନଙ୍କର ଆକ୍ରମଣର ଶିକାର ହୋଇ ଲହୁ ଲୁହାଣ ହେଲେ ବି ପୋଲିସ ଓଲଟା ପିଡୀତମାନଙ୍କୁ ଗିରଫ କରି ଜେଲକୁ ପଠାଉଛି । ଅତଏବ ଗୋ ସୁରକ୍ଷା ନାଁରେ ଏହି ତଥାକଥିତ ଗୋ ରକ୍ଷକମାନଙ୍କ ବେଆଇନ କାର୍ଯ୍ୟକଳାପ ଓ ହିଂସା ତୁରନ୍ତ ବନ୍ଦ ହେବା ଦରକାର । ଏଭଳି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ କଡା ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ଏହା ବ୍ୟତୀତ ଧରାକୋଟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ପୀଡ଼ିତ ଲୋକଙ୍କୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି ।

 

ଆଜିର ଏହି କାର୍ଯ୍ୟକ୍ରମରେ ଧରାକୋଟ ଘଟଣାର ଉଭୟ ପୀଡ଼ିତଙ୍କ ସମେତ ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ, ସନ୍ତୋଷ ନାୟକ, ସଞ୍ଜୟ ନାୟକ, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ କୁମାର, ରୋହିତ ନାୟକ, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନାନ୍ଦେଶୁ ସେନାପତି, ଶିକ୍ଷକ ନେତା ଅଶୋକ ଦଳାଇ, ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀର ଭାଲଚନ୍ଦ୍ର ଷଡ଼ଙ୍ଗୀ, ସିପିଏମ ତରଫରୁ ଯୁଦ୍ଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ସନ୍ତୋଷ ମହାପାତ୍ରଙ୍କ ଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଦିତ୍ୟ ରଥ ଯୋଗ ଦେଇ ପିଡୀତମାନଙ୍କୁ ସମର୍ଥନ ଜଣାଇବା ସହ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ ।

ଆଇଏଫଟିୟୁ ନେତା ପ୍ରତାପ ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

You may have missed