September 29, 2024

ସମ୍ବଲପୁର ଲୋକସଭା ଆସନ:ନୂଆଁ ଦିଶାର ସମ୍ଭାବନା !

Share

 

ସମ୍ବଲପୁର: ରାଜ୍ୟ ରାଜନୀତିରେ ସମ୍ବଲପୁର ଲୋକସଭା ଆସନ ପାଲଟିଛି ସବୁଠୁ ବଡ ହଟସ୍ପଟ। କେହି କାହାକୁ କମ୍ ନାହାଁନ୍ତି ସତ,କିନ୍ତୁ ଆକ୍ଷେପ ପ୍ରତି ଆକ୍ଷେପ, ଅଭିଯୋଗ ପ୍ରତି ଅଭିଯୋଗ ର ଫର୍ଦ୍ଦ ସରଛି। ଗତ ସନ୍ଧ୍ୟାରେ ସରିଛି ନିର୍ବାଚନ ପ୍ରଚାର।ଅବଶ୍ୟ ଅନ୍ଧାରୀ ବିଜେ ସବୁ ନିର୍ବାଚନ ଠାରୁ ଟପି ଯାଇଛି।ଚଳିତ ନିର୍ବାଚନରେ ବିଜେପି ଓ ବିଜେପି ମଧ୍ୟରେ ତୀବ୍ର ମୁକାବିଲା ହେଉଥିବା ଦଳୀୟ କର୍ମୀ ଓ ନେତା ମାନେ କହୁଥିବା ବେଳେ ବିଜେଡି ଦଳରୁ ନିର୍ବାଚିତ ହୋଇଥିବା ସମ୍ବଲପୁର ଲୋକସଭା ଆସନର ପୁର୍ବତନ ସାଂସଦ ଭେଟେରିଆନ ନେତା ନଗେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ସବୁ ଗଣିତକୁ ଓଲଟ ପାଲଟ କରିଥିବା ଅନୁମାନ କରାଯାଉଛି।ନଗେନ୍ଦ୍ର ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀ।

ଏହି ଆସନରୁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରି ପୁନଃ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ବେଳେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ଛିଡା କରାଇ ବିଜେପିର ଦମ୍ଭ ଓ ଶକ୍ତି ହ୍ରାସ ପାଇଁ ସମସ୍ତ ବଳ ପ୍ରୟୋଗ କରିଛି।ତେବେ ଭେଟେରିଆନ ନେତା ନଗେନ୍ଦ୍ର ପ୍ରଧାନ ଗେମଚେଞ୍ଜର ଭୂମିକା ରହିଛନ୍ତି।

ରାଜ୍ୟରେ ସରିଛି ୨ ଫେସର ମତଦାନ ସରିଥିବା ବେଳେ ସକାଳ ପାହିଲେ ଅର୍ଥାତ୍ ମେ ୨୫ ତାରିଖରେ ତୃତୀୟ ଫେସ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ପଶ୍ଚିମ ଓଡିଶାର ହଟ୍ ସିଟ୍ କୁହାଯାଉଥିବା ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି ସାରା ଦେଶର ନଜର। ସମ୍ମାନଜନକ ସମ୍ବଲପୁର ଲୋକସଭା ଆସନ ପାଇଁ ବାଜି ସାରିଛି ରଣ ଦୁନ୍ଦୁଭି। ଶାଣୀତ ହୋଇଛି ନିର୍ବାଚନ ପ୍ରଚାର।ତେଜିଛନ୍ତି ନେତା ଜନତା ସମସ୍ତେ।ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି ସମ୍ବଲପୁର ଲୋକସଭା ଆସନ ।

ବିଶେଷ ଚମତ୍କାର ବିଷୟ ହେଉଛି ଏଠାକାର ସଚେତନ ଭୋଟର ନିଜର ସାଂସଦଙ୍କୁ ଲଗାତାର ବଦଳାଇଛନ୍ତି । ଇତିହାସ କହେ କ୍ରମାଗତ ଭାବେ ୨ ଥର କୌଣସି ଦଳର ଜଣେ ପ୍ରାର୍ଥୀ କେହି ସାଂସଦ ହେବାର ନଜିର ନାହିଁ।ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି କଂଗ୍ରେସ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଭରସା କରିଛି । ପୁର୍ବରୁ ଏହି ଆସନରୁ କଂଗ୍ରେସର ଦୁଲାଲ ପ୍ରଧାନ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ପ୍ରଚାର ମୈଦାନରେ ଠିଆ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକଟ କାଟି ନଗେନ୍ଦ୍ରଙ୍କୁ ବିଜେଡିରୁ କଂଗ୍ରେସକୁ ଆଣି ଦଳ ନଗେନ୍ଦ୍ରଙ୍କ ଉପରେ ଭରସା କରିଛି।ସେପଟେ ଦୁଲାଲ କିନ୍ତୁ ବିଜେପି କ୍ୟାମ୍ପରେ ଯୋଗଦେଇଛନ୍ତି।ସମ୍ବଲପୁରରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ, କଂଗ୍ରେସର ଭୋଟ ହାର ବିଜୟର ବ୍ୟବଧାନକୁ ନିର୍ଣ୍ଣୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।ଅବଶ୍ୟ ଗତ ନିର୍ବାଚନ ଅପେକ୍ଷା କଂଗ୍ରେସ ଭଲ ଫଳ କରିବା ସମ୍ଭାବନା ରହିଛି।

ସମ୍ବଲପୁର ଲୋକସଭାର ରାଜନୈତିକ ସମୀକରଣକୁ ଦେଖିବାକୁ ଗଲେ ୧୯୫୧ ମସିହାରେ ଗଠିତ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ ରହିଥିବା ବେଳେ ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ଆଠମଲ୍ଲିକ ଏବଂ ଦେବଗଡ଼ ସାମିଲ ରହିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୪ ଲକ୍ଷ ୬୮ ହଜାର ୫୩୦ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୪୩ ହଜାର ୩୮୦ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୨୫ ହଜାର ୪୫ ରହିଛି । ସେହିପରି ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୦୫ ରହିଛି । ପୂର୍ବରୁ ଶ୍ରଦ୍ଧାକର ସୁପକାର, ବନମାଳି ବାବୁ, କୃପାସିନ୍ଧୁ ଭୋଇ ଓ ପ୍ରସନ୍ନ ଆଚାର୍ଯ୍ୟ,ଅମର ପ୍ରଧାନ,ନିତିଶ ଗଙ୍ଗଦେବଙ୍କ ଭଳି ନେତା ମାନଙ୍କୁ ସାଂସଦ ଭାବେ ସମ୍ବଲପୁର ଭୋଟର ନିର୍ବାଚିତ କରିଛନ୍ତି । ଏହି ଆସନରୁ କଂଗ୍ରେସ ସର୍ବାଧିକ ୬ ଥର ଜିତିଥିବା ବେଳେ କୃପାସିନ୍ଧୁ ଭୋଇ ଏବଂ ପ୍ରସନ୍ନ ଆଚାର୍ଯ୍ୟ ୩ ଥର ଲେଖାଏଁ ସାଂସଦ ହୋଇସାରିଛନ୍ତି।ତେବେ ସବୁଠୁ ବଡ କଥା ହେଲା ପୁର୍ବ ନିର୍ବାଚନ ଓ ୨୦୨୪ ନିର୍ବାଚନ ମଧ୍ୟରେ ବହୁ ପାର୍ଥକ୍ୟ ରହୁଛି।ଏହି ନିର୍ବାଚନ ଦଳର ନିତି ଆଦର୍ଶ ଅପେକ୍ଷା ବ୍ୟକ୍ତିତନ୍ତ୍ର ଓ ପାରିବାପଣିଆର କେନ୍ଦ୍ର ବିନ୍ଦୁ ସାଜିଛି।ଚଳିତ ନିର୍ବାଚନରେ ଦଳୀୟ ନେତା ଓ କର୍ମୀଙ୍କ ଛଡା ସାଧାରଣ ଜନତାଙ୍କ କେବଳ ଭୋଟ ଦେବା ଛଡା ସେଭଳି କୌଣସି ଉପଯୋଗୀ ଭୂମିକାରେ ରହିଥିବା ନଜିର ରହିନି।ବରଂ ଜନ ସଚେତନା ବୃଦ୍ଧି ହୋଇଥିବା ଲକ୍ଷ କରାଯାଇଛି।ବିଜେପି ଓ ବିଜେଡି ନିଜର ସବୁ ଶକ୍ତି ଖଟାଇଥିଲେବି କଂଗ୍ରେସ କିନ୍ତୁ ନିଜ ରାସ୍ତାରେ ଚାଲିଛି।ବିଶେଷ ସଭା ସମିତି ଅବା ପ୍ରଚାର ପ୍ରସାର କରିନଥିଲେ ମଧ୍ୟ ଭୋଟର ମନକୁ ନଗେନ୍ଦ୍ର ଭେଦ କରିଥିବା ସ୍ପଷ୍ଟ ହୋଇଛି।

ସମ୍ବଲପୁର ଲୋକସଭା ଆସନକୁ ବିଜେଡି ୧୯୯୮, ୧୯୯୯, ୨୦୦୪ ଓ ୨୦୧୪ ରେ ଅକ୍ତିଆର କରିଥିଲା । ଏଥର ଏହି ଆସନ ପାଇଁ ବିଜେଡି ନିଜର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ବିଗତ ଦିନର ଟାଣୁଆ ନେତା ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଯାଜପୁର ବିଧାନସଭା ଆସନରେ ହାଟ୍ରିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥର ସାମନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହୋଇଥିବାରୁ ଦଳ ଏଠାରେ ବିଜେପି ଠାରୁ କୌଣସି ଗୁଣରେ ପଛରେ ପଡିନି।ଜଣେ ଡାଳେ ଡାଳେ ଗଲେ ଅନ୍ୟ ଜଣକ ପତ୍ରେ ପତ୍ରେ ଚାଲିଛି_। ଦଳର ସମ୍ବଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ କହିଛନ୍ତି, “ସମ୍ବଲପୁର ବିଧାନସଭା ଓ ଲୋକସଭା କ୍ଷେତ୍ରର ଭୋଟର ମାନେ ସମ୍ବେଦନଶୀଳ ଅଟନ୍ତି ।ବିଜେଡିର ସାଂସଦ ପ୍ରାର୍ଥୀ କିଭଳି ବହୁ ସଂଖ୍ୟକ ଭୋଟରେ ଜିତିବେ ତାହା ପାଇଁ ସମ୍ବଲପୁର ବାସୀ କାମ କରିବେ ବୋଲି ଆଶା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ବିଭିନ୍ନ ଜନ ହିତ କଲ୍ୟାଣକାରୀ ଯୋଜନା ଭରସାରେ ବିଜେଡି ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛି ।କିନ୍ତୁ ସେମାନେ ବିଚାରକୁ ନେଇନାହାଁନ୍ତି ବୈତରଣୀ ମଝିରେ କେତେ ଫାଟ ରହିଛି?

ସେହିପରି ସମ୍ବଲପୁର ପାଇଁ ବିଜେପି ନିଜର ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଛି । ତେବେ ଗତ ନିର୍ବାଚନରେ ଏଠାରେ ବିଜେପିର ନିତିଶ ଗଙ୍ଗଦେବ ବିଜୟୀ ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ପାଇଁ ଏହା ସୁରକ୍ଷିତ ଆସନ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଦେବଗଡ଼ ଲୋକସଭା ସାଂସଦ ଓ ମଧ୍ୟ ପ୍ରଦେଶ ଓ ବିହାରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ଧର୍ମେନ୍ଦ୍ର ମୋଦୀ ସରକାରରେ ବିଭିନ୍ନ କ୍ଷମତା ସଂପର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାମ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରି ସାରିଛନ୍ତି । ବିଜେପିର ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ସାଧାରଣ ଲୋକଙ୍କ ସମର୍ଥନ ସହିତ ବିଜେପି ସଂଗଠନରେ ଉତ୍ସାହ ବଢିଛି । ଏଥର ସମ୍ବଲପୁର ଲୋକସଭା ସମେତ ୭ଟି ବିଧାନସଭା ଆସନରେ ବିଜେପି ଜୟଲାଭ କରିବ ବୋଲି ବିଜେପି ଆଶାବାଦୀ ରହିଛି।ଲୋକ ଅବଶ୍ୟ ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି ସତ,ହେଲେ ପ୍ରାର୍ଥି ନାଁ ଦଳର ପରିବର୍ତ୍ତନ ଚାହିଁଛନ୍ତି ତାହା ସ୍ପଷ୍ଟ ନୁହେଁ।ଏହି ସାତ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସମ୍ବଲପୁର,ରେଙ୍ଗାଲି,ଦେବଗଡ,ରେଢାଖୋଲ ଓ କୁଚିଣ୍ଡାରେ ବିଜେପିର ସମାନ ପ୍ରାର୍ଥୀ ଥିବା ବେଳେ ବିଜେଡି କିନ୍ତୁ ନିଜର ବୁଦ୍ଧିମତା କୌଶଳ ପ୍ରୟୋଗ କରି ସବୁ ଆସନରେ ପ୍ରାର୍ଥୀ ବଦଲାଇଛି।ତେଣୁ ବିଜେଡିର ଏହି ପ୍ରାର୍ଥୀ ପରିବର୍ତ୍ତନରେ ବହୁ ଆସନ ତାଙ୍କ ହାତକୁବି ଯାଇପାରେ।ତେବେବି ଏଥର ସମ୍ବଲପୁର ଭୋଟର ବିକାଶର ଚିହ୍ନ ପଦ୍ମକୁ ନିଜର କରି ମୋଦି ଗ୍ୟାରେଣ୍ଟି ଓ ବିକଶିତ ଭାରତ ଆଧାରରେ ଜନମତ ଏକାଠି କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ବିଶ୍ୱାସକୁ ନେଉଛି।

ଅନ୍ୟପକ୍ଷରେ ବିଜେଡିରୁ ଏହି ଆସନରେ ସାଂସଦ ହୋଇଥିବା ନଗେନ୍ଦ୍ର କୁମାର ପ୍ରଧାନ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ କଂଗ୍ରେସ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାହାକୁ ବଦଳାଇ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ କରା ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେପି ଶାସନ କାଳରେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାର ବୃଦ୍ଧି, ସରକାରୀ ସଂସ୍ଥାର ଘରୋଇ କରଣ ଭଳି ସମସ୍ୟା ବିରୋଧରେ କଂଗ୍ରେସ ସଂଗ୍ରାମ କରୁଛି । ବିଜେଡି ସରକାରର ୨୪ ବର୍ଷମଧ୍ୟରେ ରାଜ୍ୟରେ ବୋରୋଜଗାରୀ ବୃଦ୍ଧି ପାଇଛି । ଉଭୟ ସରକାର ଜାତିଗତ ଜନଗଣନାକୁ ବିରୋଧ କରୁଛନ୍ତି । କଂଗ୍ରେସ ପ୍ରତି ଲୋକଙ୍କ ଭିତିରି ସମର୍ଥନ ରହିଛି ଓ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସ୍ଥାନୀୟ ଅଞ୍ଚଳରେ ମୌଳିକ ସମସ୍ୟାର ମୁଦ୍ଦା ଉପରେ ଲଢେଇ କରିବ କଂଗ୍ରେସ ବୋଲି ସାଂସଦ ପ୍ରାର୍ଥୀ କହିଛନ୍ତି।ସେକ୍ଷେତ୍ରରେ ୭ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ମଧ୍ୟ ଭଲ ଓ ବହୁ ଯାଗାରେ ଟାଣୁଆ ଓ ଦାୟିତ୍ୱବାନଙ୍କ ଉପରେ ଭରସା କରିଥିବାରୁ କଂଗ୍ରେସ ଭୋଟ ସାଉଁଟିବାର ଆଶା କରାଯାଉଛି।

ତେବେ ୨୦୨୪ ନିର୍ବାଚନରେ ବିଜେପି,ବିଜେଡି ଓ କଂଗ୍ରେସ ସହ ମୋଟ ୧୪ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି l ଏହି ୩ ମୁଖ୍ୟ ଦଳ ବାହାରେ ବହୁଜନ ସମାଜ ପାର୍ଟିର ସଦାନନ୍ଦ ରନବିଡା, ରାଷ୍ଟ୍ରୀୟ ମାନବ ପାର୍ଟିର ଖଗେଶ୍ୱର ବେହେରା, ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ )ର ନବ କିଶୋର ପ୍ରଧାନ,କୋଶଲ ଜନତା ଦଳର ପୁରୁଷୋତ୍ତମ ପାତ୍ର, ଭାରତୀୟ ନ୍ୟାୟ ଅଧିକାର ପାର୍ଟିର ରାକେଶ ବାଗ, ନ୍ୟାସନାଲ ଜନ ଦଳର ସୁବାଷ ମହାପାତ୍ର, ପଶ୍ଚିମାଞ୍ଚଳ ବିକାଶ ପାର୍ଟିର ଲକ୍ଷ୍ମଣ କୁମାର ଭୋଇ ନିର୍ବାଚନ ମୈଦାନରେ ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବରିଷ୍ଠ ସାମ୍ବାଦିକ ଆତ୍ମାରାମ ସୁପକାର, ଜ୍ଞାନ ବେହେରା, ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘର ପୁର୍ବତନ ସଭାପତି ତଥା ଆଇନଜ୍ଞ ସୁଶୀଲ କୁମାର ବାବୁ ଓ ଶ୍ରୀରାମ ପାଣ୍ଡେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି ।ନିଜ ଦଳ ବଳ କେହି ନିର୍ବାଚନ ଲଢୁଛନ୍ତି ତ କିଏ ନିଜର ସ୍ୱାଭିମାନର ଡାକରା ଦେଇ ଜନ ସମର୍ଥନ ହାସଲ ଲକ୍ଷରେ ରହିଛନ୍ତି।

 

ପୁର୍ବ ଇତିହାସ କହୁଛି ୨୦୧୯ରେ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ନିଜର ନିକଟତମ ପ୍ରାର୍ଥୀ ବିଜେଡିର ନଳିନୀ କାନ୍ତ ପ୍ରଧାନଙ୍କୁ ୯ ହଜାର ୧୬୨ ଖଣ୍ଡ ଭୋଟରେ ହରାଇଥିଲେ । ନୀତେଶ ୪ ଲକ୍ଷ ୭୩ ହଜାର ୭୭୦ ଖଣ୍ଡ ଭୋଟ ଓ ନଳିନୀ ୪ ଲକ୍ଷ ୬୪ ହଜାର ୬୦୮ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧ ଲକ୍ଷ ୩୫ ହଜାର ୯୬୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ନିଜର ନିକଟତମ ପ୍ରାର୍ଥୀ ବିଜେପିର ସୁରେଶ ପୂଜାରୀ ଙ୍କୁ ୩୦ ହଜାର ୫୭୬ ଖଣ୍ଡ ଭୋଟରେ ହରାଇଥିଲେ । ନଗେନ୍ଦ୍ର ୩ ଲକ୍ଷ ୫୮ ହଜାର ୬୧୮ ଖଣ୍ଡ ଭୋଟ ଓ ସୁରେଶ ୩ ଲକ୍ଷ ୨୮ ହଜାର ୪୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ୨ ଲକ୍ଷ ୪୨ ହଜାର ୧୩୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । କିନ୍ତୁ ୨୦୦୯ ମସିହାକୁ ଦେଖିଲେ ଏହି ନିର୍ବାଚନ ମଣ୍ଡଳୀର ପରିବର୍ତ୍ତନର ଆକଳନ ସହଜରେ ଅନୁମେୟ କରିହେବ।୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ନିଜର ନିକଟତମ ପ୍ରାର୍ଥୀ ବିଜେଡିର ରୋହିତ ପୂଜାରୀଙ୍କୁ ୧୪ ହଜାର ୮୭୪ ଖଣ୍ଡ ଭୋଟରେ ହରାଇଥିଲେ । ଅମରନାଥ ୩ ଲକ୍ଷ ୪ ହଜାର ୮୯୦ ଖଣ୍ଡ ଭୋଟ ଓ ରୋହିତ ୨ ଲକ୍ଷ ୯୦ ହଜାର ୧୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ଲାଠ ୧ ଲକ୍ଷ ୫୦ ହଜାର ୯୧୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ସେହିପରି ୨୦୧୯ରେ ବିଭିନ୍ନ ବିଧାନସଭା ଆସନରୁ ବିଧାୟକ ଭାବେ
କୁଚିଣ୍ଡାରୁ କିଶୋର ଚନ୍ଦ୍ର ନାୟକ (ବିଜେଡି),ରେଙ୍ଗାଲି ନାଉରୀ ନାୟକ (ବିଜେପି),ସମ୍ବଲପୁର ଜୟନାରାୟଣ ମିଶ୍ର (ବିଜେପି),ରେଢାଖୋଲ ଇଂ ରୋହିତ ପୂଜାରୀ (ବିଜେଡି),ଦେବଗଡ଼ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ (ବିଜେପି),ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା (ବିଜେଡି) ଓ
ଆଠମଲ୍ଲିକ ରୁ ରମେଶ ଚନ୍ଦ୍ର ସାଏ (ବିଜେଡି)ନିର୍ବାଚିତ ହୋଇଥିଲେ।ଅର୍ଥାତ୍ ୭ କ୍ଷେତ୍ର ରୁ ୪ ଆସନରେ ବିଜେଡି ୩ ଆସନରେ ବିଜେପିର ବିଜୟ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା। ସେହିପରି ଗତ ୩ ଟି ଲୋକ ସଭା ନିର୍ବାଚନରେ ଭୋଟର ମାନେ ଲଗାତାର ନିଜର ନିର୍ବାଚିତ ପ୍ରତିନିଧି ବଦଳାଇଛନ୍ତି । ୨୦୦୯ ରେ କଂଗ୍ରେସର ଅମରନାଥ ପ୍ରଧାନ , ୨୦୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ଓ ୨୦୧୯ରେ ବିଜେପିର ନୀତେଶ ଗଙ୍ଗଦେବ ସାଂସଦ ହୋଇଥିଲେ।ବର୍ତ୍ତମାନ କିନ୍ତୁ ସମ୍ବଲପୁର ଭଳି ହଟ୍ ସିଟ୍ କୁ ବିଜେପି ଓ ବିଜେଡି ଅକ୍ତିଆର କରିବାକୁ ମୁଖ୍ୟ ଲଢେଇରେ ଥିବା ବେଳେ କଂଗ୍ରେସ ବିଜୟର ନିର୍ଣ୍ଣାୟକ ଭୁମିକା ନିର୍ବାହ କରିବ ଏଥିରେ ତିଳେମାତ୍ର ସନ୍ଧେହ ନାହିଁ।

ମୋଟାମୋଟି ଭାବେ ପଶ୍ଚିମ ଓଡିଶାରେ ବିଜେପିର ଦବଦବା ରହିଟିବା ଯୋଗୁଁ ବିଜେପିର ଏହି ଦୂର୍ଗ ଭାଙ୍ଗିବା ପାଇଁ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ଓ ସମ୍ବଲପୁର ଲୋକସଭା ଆସନରୁ ବିଜେଧଫି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତି ବିଜେଡିର ସଫଳତା ଉପରେ ପ୍ରଭାବ ପଡିବ ନାଁ ଏମାନଙ୍କ ରାଜନୈତିକ କୌଶଳ ଆଗରେ ବିଜେପି ନିଜର ଦବଦବା ରଖିବ ତାହାହିଁ ରାଜ୍ୟ ରାଜନୀତିରେ ନୂତନ ସମୀକରଣର ଆଧାର ହେବା ସମ୍ଭାବନା ରହିଛି।

ତେବେ ମିଶନ ବିହିନ ବିକାଶର ଗ୍ୟାରେଣ୍ଟି ଜନମତ କାହା ସପକ୍ଷରେ ଯାଉଛି ତାହା ଜୁନ ୪ ତାରିଖରେ ସ୍ପଷ୍ଟ ହୋଇଯିବ।(ଡା.ରାଜାରାମ ଷଡଙ୍ଗୀ)