ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉଦଘାଟିତ


ବୁଗୁଡ଼ା : ତା ୧୭/୧୨/୨୪ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବରେ ସ୍କୁଲ ଅଧ୍ଯକ୍ଷ ବାଲଗୋପାଲ ଶତପଥୀ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଟ୍ରଷ୍ଟି ଏ.ଜାନକୀ ରାଣୀ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବି.ଗୋପାଳ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରୁ କ୍ରୀଡା ଜ୍ଯୋତି ଆସି ପହଞ୍ଚିବା ପରେ ସ୍କୁଲର ଶୈକ୍ଷିକ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ସହ ପ୍ରତିଯୋଗୀଙ୍କ ଶପଥ ପାଠ କରାଯାଇଥିଲା । ଏ ଅବସରରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍ , ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ମ୍ୟୁଜିକ୍ ଚେୟାର୍, କଙ୍ଗାରୁ ରେସ୍, ସ୍ଲୋ ସାଇକିଲିଂ, ମୁର୍ଗା ରେସ୍, ପୁଚି, ବଲ୍ ଥ୍ରୋ, ସ୍କିପିଙ୍ଗ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ଶିକ୍ଷୟିତ୍ରୀ ସୁନିତା ରାଉତ, ରଞ୍ଜିତା ପ୍ରଧାନ, ରଶ୍ମିତା ଦାଶ,କୁସୁମବାଳା ତ୍ରିପାଠୀ, ଗୀତାଞ୍ଜଳି ଚୌଧୁରୀ, ସନ୍ତୋଷିନୀ ବେହେରା ଓ ଶିକ୍ଷକ ପ୍ରଭଞ୍ଜନ ଖଣ୍ଡୁଆଳ ପ୍ରମୁଖ ପରିଚାଳନା କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ନନ୍ଦିନୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।
