March 12, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଭୂମିର ଊର୍ବରତା ଓ ଜଳସ୍ତର ହ୍ରାସ କରୁଛି ନୀଳଗିରି ଚାଷ।……….

IMG-20251123-WA0099
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳରେ କାୟା ବିସ୍ତାର କରିଛି (ୟୁକାଲ ପଟାସ ) ନୀଳଗିରି ଚାଷ । ସ୍ୱଳ୍ପ ଖର୍ଚ୍ଚ , ଅଳ୍ପ ପରିଶ୍ରମ ଓ କମ ପାଣିରେ ଚାଷ ହେବା ସହ ଅଧିକ ଆର୍ଥିକ ଲାଭ ଦୃଷ୍ଟିରୁ ନୀଳଗିରି ଚାଷ ବ୍ୟାପକ ପରିମାଣରେ ହେଉଥିବା ଦେଖିବାକୁ ମିଳୁଛି। ଏକ ଏକର ଜମିରେ ଏହି ନୀଳଗିରି ଚାରା ରୋପଣ ବା ଚାଷ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଥରେ ଜମିରେ ଲାଗିବା ପରେ ଏହା ୨୦ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଦେଇଥାଏ। ପ୍ରତି ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ନୀଳଗିରି କଟାଯାଇ ବିକ୍ରି ହୋଇଥାଏ। ଏକର ପ୍ରତି ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ପର୍ଯ୍ୟନ୍ତ ଚାଷୀ ଅର୍ଜନ କରିଥାଏ। ଅନ୍ୟପକ୍ଷେ ମକା ଚାଷ ହେଉଥିବା ଡଙ୍ଗର ଓ ଟିକିରା ବା ଢ଼େପ୍ ଜମି ଗୁଡିକରେ ମକା ପରିବର୍ତ୍ତେ ନୀଳଗିରି ଚାଷ କୁ ଗୁରୁତ୍ଵ ଓ ଆଗ୍ରହ ଦେଖାଉଛନ୍ତି ଚାଷୀ। ମକା ଚାଷ ଏକର ପ୍ରତି ୨୦ ରୁ ୨୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମକା ଅମଳ ପରେ ୪୦ ହଜାର ଟଙ୍କା ମିଳିଥାଏ। ଅର୍ଥାତ୍ ଖର୍ଚ୍ଚ ଯାହା ହୋଇଥାଏ ତାର ଏକ ଗୁଣ ହିଁ ମିଳିଥାଏ। ଅଧିକ ଲାଭ ଦୃଷ୍ଟିରୁ ନୀଳଗିରି ଚାଷ ବ୍ୟାପକ ପରିମାଣରେ ବୃଦ୍ଧି ପାଉଥିବା ଅଞ୍ଚଳରେ ଦେଖିବାକୁ ମିଳୁଛି। ବିଶେଷକରି ଜିଲ୍ଲାର ଉମରକୋଟ ରାଇଘର ଓ ଝରିଗାଁ ବ୍ଲକରେ ଦିନକୁ ଦିନ ଏହି ଚାଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଝଡବର୍ଷା ଟାଣ ଖରା କୁଆପଥର ବର୍ଷା ପ୍ରଭାବରେ ମକା ଚାଷ କ୍ଷତଗ୍ରସ୍ତ ହେଉଥିବା ସ୍ଥଳେ ନୀଳଗିରି ଚାଷ କୌଣସି ପ୍ରକାରେ ପ୍ରଭାବିତ ହେଉନଥିବାରୁ ଚାଷୀ ନୀଳଗିରି ଚାଷ କରିବାକୁ ଆଗେଇ ଆସୁଛନ୍ତି। ଅନ୍ୟପଟେ ବିଭିନ୍ନ ଦଲାଲ ଙ୍କ ଦ୍ଵାରା ଚାଷୀ କୁ ଏଥିପ୍ରତି ଅଧିକ ଲାଭର ଲାଳସା ଦେଖାଇ ଚାଷ କରିବାକୁ ପ୍ରବର୍ତ୍ତାଇ ଜମିରେ ଚାଷ କରାଉଛନ୍ତି। ଆଉ କେତେକ ଦଲାଲ ଟଙ୍କା ଲୋଭ ଦେଖାଇ ଲିଜ ଆକାରରେ ଜମି ଅକ୍ତିଆର କରି ନୀଳଗିରି ଚାଷ କରୁଛନ୍ତି। ଝରିଗାଁ ବ୍ଲକ କୃଷି ଅଧିକାରୀ ସୁନୀତା ସିଂହ ଙ୍କୁ ନୀଳଗିରି ଚାଷ ପ୍ରସଙ୍ଗରେ ପଚାରିବାରୁ ଆର୍ଥିକ ଲାଭ ଚାଷୀ ପାଉଛନ୍ତି ସତ ହେଲେ ଭୂମିର ଉର୍ବାରତା ହ୍ରାସ ପାଇବା ସହ ଭୁ ଜଳ ସ୍ତର କ୍ଷୀପ୍ର ଗତିରେ କମୁଛି। ଯାହାଫଳରେ ପରିବେଶବିତ୍ ଏହି ଚାଷ କୁ ନେଇ ଉଦବେଗ ଓ ଚିନ୍ତା ପ୍ରକଟ କରୁଛନ୍ତି। ଚାଷ ହେଉଥିବା ଜମି ନଷ୍ଟ ହେବା ସହ ପାଖାପାଖି ରହିଥିବା ଜମି,ପୋଖରୀ ନଦୀ କୁଆଁ ଆଦିରେ ଥିବା ସଞ୍ଚିତ ଜଳ ଶୋଷି ନେଉଛି ନୀଳଗିରି ଗଛ। କୃଷି ବିଶେଷଜ୍ଞଙ୍କ ଆକଳନ ପ୍ରକାରେ ଗୋଟିଏ ଗଛ ଦୈନଦିନ ୫୦ ଲିଟର ରୁ ୧୦୦ ଲିଟର ପର୍ଯ୍ୟନ୍ତ ପାଣି ଶୋସୁଛି। ଏହାର ପତ୍ର ପଡ଼ି ଜମି ର ପୋଷାକ ତତ୍ତ୍ଵ ନଷ୍ଟ ହୋଇ ଜମି ବାଂଝ ଅବସ୍ଥାରେ ପରିଣତ ହେଉଥିବା ସୁନୀତା ସିଂହ ପ୍ରତିକ୍ରିୟାରେ କହିଛନ୍ତି। ବ୍ଲକରେ ପ୍ରାୟ ୫ ଶହ ରୁ ୭ ଶହ ହେକ୍ଟର ଜମିରେ ନୀଳଗିରି ଚାଷ ହେଉଛି। ମକା ଉତ୍ପାଦନ କ୍ଷେତ୍ରରେ ଏହି ଅଞ୍ଚଳ ପ୍ରମୁଖ ହୋଇଥିବା ବେଳେ ଖର୍କ ତୁଳନାରେ ଲାଭ ସେପ୍ରକାର ହେଉନଥିବା ଯୋଗୁଁ ଅଣନ ମକା ର ଉଚିତ୍ ମୂଲ୍ୟ ଏବଂ ବଜାର ସୁବିଧା ଉପଲବ୍ଧ ନଥିବା ଯୋଗୁଁ ନୀଳଗିରି ଚାଷ ପ୍ରତି ଚାଷୀ ମନୋବୋଳାଉଛି। ହୋର୍ଟି କଳଚର୍ ଅଧିକାରୀ ଜିନ୍ ଲିଙ୍କନ ମେହେର କହିଛନ୍ତି ନୀଳଗିରି ପରିବର୍ତ୍ତେ କାଜୁ ଆମ୍ବ ପଣସ ନଡିଆ କଦଳୀ ତାଳ ଗୁଆ ଆଦି ଲାଭଜନକ ଗଛ ଉକ୍ତ ଜମିରେ ଲଗାଇ ଯତ୍ନ ନେଲେ କୃଷକର ଆର୍ଥିକ ପ୍ରଗତି ହେବା ସହ ଶୁଦ୍ଧ ପରିବେଶ ହୋଇପାରିବ। ଏହାର ପ୍ରତିକାର ନକଲେ ୯୦ ପ୍ରତିଶତ ଅଞ୍ଚଳବାସୀଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର କରୁଥିବା ବେଳେ କୃଷି ଉପଯୋଗୀ ଭୂମି ତାର ଜୈବ ବିଭିତତା ହରାଇବା ସହ କୌଣସି ଚାଷ ପାଇଁ ଅନୁପଯୋଗୀ ହେବ ବୋଲି ଶ୍ରୀ ଲିଙ୍କନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ନୀଳଗିରି ଚାଷ ଲାଗି ଲୋକଙ୍କ ଜୀବନଜୀବିକା ବିପନ୍ନ ଅବସ୍ଥାରେ ପହଞ୍ଚିବା ଆଶଙ୍କା ରହୁଛି। ଦଶନ୍ଧି ଦଶନ୍ଧି ଧରି ମକା ଚାଷ ପାଇଁ ବହୁଳ ପରିମାଣରେ ରାସାୟନିକ ସାର ଓ ଘାସ ମରା ଔଷଧ ପ୍ରୟୋଗ ରେ ମାଟିର ପୋଷାକ ତତ୍ତ୍ଵ କ୍ଷୟ ପାଇଛି। ଜଙ୍ଗଲ ନଷ୍ଟ ସହ ଭୂମି ଚାଷ ଯୋଗ୍ୟ ନ ରହିବା ଅଞ୍ଚଳବାସୀଙ୍କ ପାଇଁ ଭବିଷ୍ୟତ ପାଇଁ ଏକ ଭୟଙ୍କର ବିଷୟ ହେବାକୁ ବସିଲାଣି।