November 15, 2024

୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

Share

ତା ୨୩/୮: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତହସିଲ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକର ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି l ଜଙ୍ଗଲ ଅଧିକାର ଆଇନ ୨୦୦୬ ସପ୍ତାହ ସମାରୋହ, ମୋ ଜଙ୍ଗଲ ଜମି ଯୋଜନା ଅଧୀନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ କୋରାପୁଟ ପକ୍ଷରୁ ଏକ ବୈଠକର ଆୟୋଜନ ହୋଇଥିଲା l ଅନୁଷ୍ଠାନର ରାଜ୍ଯ ସମ୍ପାଦକ ବିଦ୍ୟୁତ୍ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ବିନୋଦ କୁମାର ନାୟକ ଯୋଗଦେଇ ଥିଲେ l ଲୋକଙ୍କ ସୁରକ୍ଷା ହେଲେ ଜଙ୍ଗଲର ସୁରକ୍ଷା ହୋଇପାରିବ l ଜଙ୍ଗଲ ଓ ପରିବେଶ ମାନବ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ସମ୍ପର୍କ ରହିଛି l ଅନ୍ୟ ଜିଲ୍ଲା ତୁଳନାରେ କୋରାପୁଟର ପରିବେଶ ବହୁ ମନଲୋଭା l ଏହି ଜଙ୍ଗଲ ଓ ପରିବେଶକୁ କ୍ଷୟ ନ କରି ସୁରକ୍ଷା ଦେବାକୁ ପଡ଼ିବ l ଜଙ୍ଗଲ ଅଧିକାର ଆଇନ ୨୦୦୬ ରୁ ଲାଗୁ ହୋଇଥିଲେ ସୁଦ୍ଧା ଆଶାନୁରୂପ ସଫଳତା ମିଳି ନ ଥିବାରୁ ଏହାକୁ ତ୍ୱରାନ୍ୱିତ କରି ଲୋକଙ୍କୁ ଅଧିକ ସେବା ଯୋଗାଇଦେବା ନିମନ୍ତେ ମୋ ଜଙ୍ଗଲ ଜମି ଯୋଜନା ସାମିଲ କରାଯାଇଛି l ଏଥି ସହ ଘର ଡିହ ପଟ୍ଟା ପ୍ରଦାନ ନିମନ୍ତେ ବସୁନ୍ଧରା ଯୋଜନାରେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି l ଆଜି ବ୍ଲକର ବିଭିନ୍ନ ଅଞ୍ଚଳରୁ ୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି l ୭୭ ଆବେଦନ ପତ୍ର ପଟ୍ଟା ନିମନ୍ତେ ପ୍ରକ୍ରିୟା ଚାଲୁ ରହିଛି ତାହା ଖୁବ୍ ଶୀଘ୍ର ପ୍ରଦାନ କରାଯିବ l ଏଥି ସହ ୧୫୦ ଟି ଆବେଦନ ପତ୍ର ରହିଛି ତାହା ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଲୋକଙ୍କୁ ସମସ୍ତ ପ୍ରକାର ସେବା ପ୍ରଦାନ ନିମନ୍ତେ ସବୁବେଳେ ପ୍ରସ୍ତୁତ ଅଛି ରାଜସ୍ୱ ବିଭାଗ l ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି l ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରନ୍ଧାରୀ, ମଙ୍ଗଳ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲି, ସରପଞ୍ଚ ଲବ ପରଜା, ସମିତି ସଭ୍ୟ ଦାମୋଦର ଗଣ୍ଡା, ଜଙ୍ଗଲ ଅଧିକାର କମିଟି ବ୍ଲକ ସଭାପତି ଚନ୍ଦ୍ର ସଗରିଆ, ପ୍ରମୁଖ ମଞ୍ଚାସୀନ ଥିଲେ l ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ଵପ୍ନ ଥିଲା ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ତାଙ୍କ ଜଙ୍ଗଲ ଓ ଜମିର ଭୋଗ ଓ ଦଖଲର ଅଧିକାର ମିଳୁ l ମାନବ ସମାଜ ଓ ଜଙ୍ଗଲ ଜମିକୁ ସମନ୍ଵୟ ରଖିବା ନିମନ୍ତେ ଜଙ୍ଗଲ ଅଧିକାର ଆଇନ ଲାଗୁ ହୋଇଛି l ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଦଖଲରେ ଥିବା ଲୋକଙ୍କୁ ସେହି ଜମି ଓ ଗୋଷ୍ଠୀଗତରେ ଜଙ୍ଗଲର ଅଧିକାର ଦେବାକୁ ନିୟମ ରହିଛି l ଏହି ଜମି ବିକ୍ରି କରି ପାରିବେ ନାହିଁ l ଜଙ୍ଗଲରେ ୬୨ ପ୍ରକାରର ବନଜାତ ଦ୍ରବ୍ୟ ମିଳେ ସେ ଗୁଡ଼ିକର ସୁରକ୍ଷା ଓ ସେଥିରୁ ରୋଜଗାର ପାଇପାରିବେ ତାହା ମଧ୍ୟ ନିୟମ ରହିଅଛି l ତେଣୁ ଗ୍ରାମବାସୀ,ଏଥିସହ ସମ୍ପୃକ୍ତ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଏହି ଆଇନରେ ଲୋକ ଉପକୃତ ହୋଇ ପାରିବେ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ l କୁନ୍ଦୁରା ତହସିଲ ଅଧିନରେ ଆଜି ସୁଦ୍ଧା ୭୧୦ ଜଣ ଆବେଦନ କରିଥିଲେ ସେଥିମଧ୍ୟରୁ ୪୭୯ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି l ଅନ୍ୟ ମାନଙ୍କୁ ୨ ମାସ ମଧ୍ୟରେ ପ୍ରଦାନ କରାଯିବ l ଗୋଷ୍ଠୀ ଗତରେ ୭୦ ଟା ଧାର୍ଯ୍ୟ ରହିଛି ସେଥିରୁ ୩ ଟି ସମସ୍ତ ପ୍ରକ୍ରିୟା ଶେଷ ହୋଇ ଉପ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି, ଜିଲ୍ଲା ସ୍ତରରେ ଅନୁମୋଦନ ପରେ ପଟ୍ଟା ପ୍ରଦାନ କରାଯିବ l ୧୮ ଟି ଜଏଣ୍ଟ ଭେରୀଫିକେସନ ସରିଥିବା ସୂଚନା ଦେଇଛନ୍ତି ବ୍ଲକ ସଂଯୋଜକ ରମେଶ ଚନ୍ଦ୍ର ପାଣିଗ୍ରାହୀ I ଆଜିର ଏହି କାର୍ଯ୍ୟକ୍ରମରେ ଫୁଲଭଟ୍ଟା ଓ କେରମେଟି ପଞ୍ଚାୟତର ୫୦ ଜଣ ହିତାଧିକାରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପଟ୍ଟା ଓ ଆମ୍ବ, ପଣସ, ଭଳି ଫଳ ଚାରା ଗୋଟିଏ ଲେଖାଏଁ ଦିଆଯାଇଛି l ଆଜିର ଦିନକୁ ମନେ ରଖିବା ପାଇଁ ନିଜ ନିଜ ବାଡ଼ିରେ ଲଗାଇ ଯତ୍ନ ନେବେ ବୋଲି କହିଛନ୍ତି l କାର୍ଯ୍ୟକ୍ରମକୁ ସ୍ପ୍ରେଡ ଅନୁଷ୍ଠାନ ଜିଲ୍ଲା ସଂଯୋଜିକା ଚିନ୍ମୟୀ ପଟ୍ଟନାୟକ ପରିଚାଳନା କରିଥିଲେ l ବ୍ଲକ ସଂଯୋଜକ ପଦ୍ମନାଭ ଖିଲ, ତହସିଲ୍ କାର୍ଯ୍ୟାଳୟ ଡି ଓ ସଂଗୀତା ପଣ୍ଡା, ଏବଂ ବୈପାରିଗୁଡା, କୋଟପାଡ ବ୍ଲକ ସଂଯୋଜକ ପ୍ରମୁଖ ସହଯୋଗ କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l