ବରିଷ୍ଠ ସମାଜସେବୀ ଓ ଶିକ୍ଷାବିତ୍ ସୌଦାମିନୀ ନନ୍ଦଙ୍କ ପରଲୋକ ସମ୍ବଲପୁରର ସାମାଜିକ, ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି
ସମ୍ବଲପୁର, ୨୩.୦୭ : ବରିଷ୍ଠ ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ବିଶିଷ୍ଟ ସାହିତ୍ୟିକା ଓ ମହିଳା ସଂଗଠକ ସୌଦାମିନୀ ନନ୍ଦଙ୍କ ଆଜି ଚିକିତ୍ସାଧୀନ ସମୟରେ ଭୁବନେଶ୍ୱର ଠାରେ ସକାଳ ୬. ୧୫ ସମୟରେ ପରଲୋକ ହୋଇଯାଇଛି।ଏହା ଜଣା ପଡିବା ପରେ ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଶିକ୍ଷା, ସମାଜସେବା, ମହିଳା ସଶକ୍ତିକରଣ ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ବହୁମୁଖୀ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
୧୯୪୪ ଏପ୍ରିଲ ୧୧ରେ ସମ୍ବଲପୁରରେ ଜନ୍ମିତ ସୌଦାମିନୀ ନନ୍ଦ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ଦୟାନନ୍ଦ ଶତପଥୀଙ୍କ କନ୍ୟା ଥିଲେ। ସ୍ୱାମୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଜଣେ ସୁପରିଚିତ ସମାଜସେବୀ ଓ ସାମ୍ବାଦିକ ଥିଲେ।
୧୯୬୯ ମସିହାରେ ସମ୍ବଲପୁର ମ୍ୟୁନିସିପାଲିଟି ଅଧୀନରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଜୀବନ ଆରମ୍ଭ କରି ସେ ଫାଟକ ଏମ୍.ଇ. ସ୍କୁଲରୁ ୨୦୦୨ରେ ଅବସର ଗ୍ରହଣ କରିଥିଲେ। ଦୀର୍ଘଦିନ ସମ୍ବଲପୁର ମ୍ୟୁନିସିପାଲିଟି ମାଧ୍ୟମିକ ଶିକ୍ଷକ ସଂଘର ସମ୍ପାଦିକା, ସମ୍ବଲପୁର ନାରୀସେବା ସଂଘର ସକ୍ରିୟ ସଂଗଠକ, ଓଡ଼ିଶା ସାଂସ୍କୃତିକ ସମାଜର ଉପସଭାପତି ଓ ଉତ୍କଳ ମହିଳା ସମିତିର ଅନ୍ୟତମ ପ୍ରତିଷ୍ଠାତ୍ରୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ।
ସେ ଆକାଶବାଣୀ ସମ୍ବଲପୁରର ନିୟମିତ ଆଲୋଚକ ଥିବା ସହ ବିଭିନ୍ନ ପତ୍ରପତ୍ରିକାରେ ପ୍ରବନ୍ଧ ଓ କବିତା ଲେଖୁଥିଲେ। ତାଙ୍କ ରଚିତ ‘ସାଉଁଟା ସ୍ମୃତି’ ଓ ‘ବିବିଧ ପ୍ରସଙ୍ଗ’ ପୁସ୍ତକ ପାଠକମାନଙ୍କ ଆଦୃତ ହୋଇଥିବାବେଳେ ମହିଳା ଲେଖିକା ଭାବେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ରାଜ୍ୟର ଅଗ୍ରଣୀ ମହିଳା ସମାଜସେବୀ ଭାବେ ତତ୍କାଳୀନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ହସ୍ତରୁ ମଧ୍ୟ ସମ୍ବର୍ଦ୍ଧନା ପାଇଥିଲେ।
ତାଙ୍କ ପରଲୋକ ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ରାଜନେତା ସିଦ୍ଧାର୍ଥ ଦାସ ଓ ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ପୁତ୍ର ଶିବଶଙ୍କର ଓ ପ୍ରେମଶଙ୍କର, କନ୍ୟା ବିଜୟଲକ୍ଷ୍ମୀ, ଜ୍ୱାଇଁ ଧୀରେନ୍ଦ୍ର ମହାପାତ୍ର, ବୋହୂ ମଞ୍ଜରୀ ଓ ଭାରତୀ ନାତି ନାତୁଣୀ ଅମ୍ଲାନ ଓ ଅଦିତି ବିପ୍ପା, ଡା.ଶ୍ରେୟା ନନ୍ଦ ଙ୍କ ସମେତ ଏକ ସୁସମୃଦ୍ଧ ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି।
