ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ
ପାରଳାଖେମୁଣ୍ଡି:୨୩/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା। ଏଠାରେ ସକାଳୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ସାଢେ଼ ୩ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏହି ଅବସରରେ ୱାଲ୍ଟିୟର ରେଳବାଇ ଡିଭିଜନ୍ର ଡି.ଆର୍.ଏମ୍ ଅନୁପ କୁମାର ଶତପଥୀ, ଏ.ଡି.ଆର୍.ଏମ୍ ମନୋଜ କୁମାର ସାହୁ, ପୂର୍ବତନ ମୁଖ୍ୟ ଆୟକର କମିଶନର ପ୍ରସନ୍ନ କୁମାର ଦାଶ ଓ ଆୟକର କମିଶନର ରାଜୀବ ସିଂହ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପହଣ୍ଡି କାର୍ଯ୍ୟରେ ସହଯୋଗ କରିଥିଲେ। ଏଠାରେ ଜୟପୁରର ରାଜମାତା ମୟଙ୍କ ଦେବୀ ଉପସ୍ଥିତ ରହି ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିଥିଲେ।ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ଚାରି ହଜାର ଦର୍ଶକଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସିମା’ ମନ୍ଦିରକୁ ନେଇଥିଲେ ।ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଦର୍ଶକ ମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମାନେ କରୁଥିବା ଏବଂ ଭକ୍ତି ଭାବ ଦ୍ଵାରା ଅଭିଭୂତ ହେଉଥିବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଚଳିତ ବର୍ଷ ରଥ ଶୋଭାଯାତ୍ରାର ସ୍ବତନ୍ତ୍ର ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଯୋଡ଼ି ଶଙ୍ଖ ବାଜାଳି ତଥା ଓଡ଼ିଶାରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ଓ ସୃଜନଶୀଳ ପାରଦର୍ଶିତାର ଭବ୍ୟ ପ୍ରଦର୍ଶନ ଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନଙ୍କୁ ରଥରୁ ପୁଣି ପହଣ୍ଡି କରି ନିଆଯାଇ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ୨୮ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି। ଚଳିତବର୍ଷ ଘୋଷଯାତ୍ରାର ଆୟୋଜନରେ ସ୍ଥାନୀୟ ମାରୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ସଂଘ ସକ୍ରୀୟ ସହଯୋଗ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡଃ କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।