ସାବିତ୍ରୀ ବ୍ରତ ପାଇଁ ବଜାର ଦର ଆକାଶଛୁଆଁ।

ରାଜସୁନାଖଳା,୨୩/୦୫(ଉପାନ୍ତ ଖବର):ଆଉ ୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା କଡ଼, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ ଆଦି ଦୋକାନ,ବଜାରରେ ଦର ଆକାଶଛୁଆଁ ହୋଇଛି। ଏ ସମୟରେ ସମସ୍ତ ପ୍ରକାର ଜିନିଷର ଚାହିଦା ଅଧିକ ଥିବାରୁ ବ୍ୟବସାୟୀମାନେ ଦର ବୃଦ୍ଧି କରିବାକୁ ପଛାଉନାହାନ୍ତି। ରାଜସୁନାଖଳା,ବୋଲଗଡ଼,ପିଚୁକୁଳି,କଳାପଥର ଆଦି ବଜାରରେ ସୀମିତ ପରିମାଣରେ ଫଳ ରହିଥିବାରୁ ବ୍ୟବସାୟୀମାନେ ଫଳ ଓ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଇଛି। ଆମ୍ବ, ପଣସ, ସପୁରି, ଲିଚୁ, କମଳା, ସପେଟା, ଅଙ୍ଗୁର, କଦଳୀ, ଖଜୁରି, ତାଳ ଆଦି ଫଳମୂଳ ସହ ଗଜା ମୁଗର ଦର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ଏ ସମୟରେ ବିଶେଷ ଭାବେ ନୂଆ କରି ବିବାହ କରିଥିବା କନ୍ୟା ପିତାଙ୍କୁ ପାଇଁ ଏଭଳି ପରିସ୍ଥିତି ଆର୍ଥତ୍କ ବୋଝ ମନେ ହୋଇଥାଏ। କାରଣ ଦର ଯେତେ ଅଧିକ ହେଲେ ମଧ୍ୟ ସାବିତ୍ରୀ ଭାର ଦେବାକୁ ହିଁ ପଡ଼ିବ। ସ୍ତ୍ରୀ ମନ ରଖିବାକୁ ବିଚରା ସ୍ବାମୀମାନଙ୍କୁ ମଧ୍ୟ ଏ ସବୁ ଜିନିଷ କିଣିବାକୁ ପଡ଼ିବ। ଅବଶ୍ୟ ବିଭିନ୍ନ ସ୍ଥାନର ଚାହିଦା ଅନୁସାରେ କେଉଁଠାରେ ଦର କମ୍ ଓ ଅଧିକ ରହିଛି। ତେବେ ଆମ୍ବ କିଲୋ ପ୍ରତି ୪୦ରୁ ୫୦ଟଙ୍କା ଥିବାବେଳେ ସେଓ, ଅଙ୍ଗୁର, କମଳା କିଲୋ ପ୍ରତି ଶହେ ଟଙ୍କାରୁ ଅଧିକ, କଦଳୀ ଡର୍ଜନ ପ୍ରତି ସର୍ବନିମ୍ନ ୩୦ରୁ ୬୦ଟଙ୍କା , ସପୁରି ଗୋଟା ୩୦ରୁ ୪୦ଟଙ୍କା, ସପେଟା ୧୫୦ ଟଙ୍କା,ଗୋଟାତାଳ ୧୦ରୁ ୨୦ଟଙ୍କା, ନଡିଆ ଗୋଟା ୨୫ରୁ୩୫ଟଙ୍କା,କାକୁଡି କିଲୋପିଛା ୩୦ରୁ ୪୦ଟଙ୍କା,ପଣସ ଗୋଟିଏ ପିଛା ୫୦ ରୁ ୩୫୦ଟଙ୍କା ରହିଛି। ଦରଦାମ ଯାହା ହେଉନା କାହିଁକି ଯେ କୌଣସି ମତେ ଓଡ଼ିଆ ବୋହୂ ଟିଏ ଉପରୋକ୍ତ ଜିନିଷ କିଣି ପାରମ୍ପାରିକ ସାବିତ୍ରୀ ବ୍ରତ ପାଳନ କରିବେ। ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ପରିବାରର ବିବାହିତ ମହିଳା ମାନେ ସ୍ୱାମୀଙ୍କ ଶୁଭମନାସୀ ନୀତି ନିୟମ ଅନୁସାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।
ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।