September 12, 2026

ନିଜ ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚୋରାଚାଲାଣ….

size
Share

ମୋହନା ,ନିଜ ଗୋଡ଼ର ଅପରେସନ ପାଇଁ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ କିପରି ଟଙ୍କା ରୋଜଗାର କରିପାରିବ ସେଥିପାଇଁ ଗଞ୍ଜେଇ ଚୋରା ଚାଲାଣ କଲେ ଦିବ୍ୟାଙ୍ଗ। ହେଲେ ତାଙ୍କର ଏହି ଚୋରା ଚାଲାଣ ଯୋଜନା ଫେଲ୍‌ ମାରିଲା। ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ। ଏହି ଘଟଣା ଟି ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତି ଜଣକ ତାମିଲନାଡୁର ଏସ.ଆର.ମହାଦୀପ ନନ୍ଦ ନାଲ୍ଲାକୋଇ ବୋଲି ଜଣାଯାଇଛି। କିଛି ମାସ ପୂର୍ବେ ଟ୍ରେନ୍‌ ଦୁର୍ଘଟଣାରେ ମହାଦୀପ ନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇ ଯାଇଥିବା ବେଳେ ଅପରେସନ ପାଇଁ ଟଙ୍କା ନଥିଲା । ଯାହା ଫଳରେ ସହଜରେ ଟଙ୍କା ରୋଜଗାର କରିବା ପାଇଁ ସେ ଗଞ୍ଜେଇ ଚୋରା ଚାଲାଣ କୁ ଆପଣେଇ ଥିଲା। ଗଞ୍ଜେଇ କିଣିବା ପାଇଁ ତାମିଲନାଡ଼ୁ ରୁ ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଅଞ୍ଚଳକୁ ଆସିଥିଲେ। ସେଠାରୁ ପ୍ରାୟ ୮ କିଲୋ ୮୦୦ ଗ୍ରାମ ଗଞ୍ଜେଇ କିଣି ୪ ପ୍ୟାକେଟରେ ତାହାକୁ ଧରି ତାମିଲନାଡ଼ୁ କୁ ବାହାରିଥିଲେ । ହେଲେ ଡୁମିଗୁଡ଼ା ଛକ ରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରୁ ସେ ବ୍ରହ୍ମପୁର ଓ ପରେ ଟ୍ରେନ୍‌ରେ ତାମିଲନାଡ଼ୁ ଯିବାକୁ ଟିକେଟ କରିଥିଲେ। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଡୁମିଗୁଡ଼ା ଛକ ରୁ ଉଠାଇ ନେଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ଆଉ କିଏ କିଏ ଏହି ଚୋରା ଚାଲାଣ ରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ।( ସନ୍ତୋଷ ଗୌଡ଼)