ବଡ଼ କୁଜେନ୍ଦ୍ରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ….
ଗୁଣପୁର,-ରାମନାଗୁଡା ବ୍ଲକ ବଡ କୁଜେନ୍ଦ୍ରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରହିଥିବା ଅଭିଯୋଗ ହୋଇଛି। ଆଜକୁ ୧୦ ଦିନ ହେଲା ଲୋକେ ନାହିଁ ନଥିବା ଅସୁବିଧା ସମସ୍ୟା ଭୋଗୁଛନ୍ତି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାନ କୁଜେନ୍ଦ୍ରୀ ଗ୍ରାମରେ ବସୁଧା ଯୋଜନାରେ ଗଭୀର ନଳ କୂପ ରହିଥିବା ବେଳେ ସେଠାରୁ ବଡ଼ କୁଜେନ୍ଦ୍ରୀ ଗ୍ରାମକୁ ଭୂତଳ ପାଇପ ଯୋଗେ ଜଳ ଯୋଗାଣ କରାଯାଇଛି। ତେବେ ଗତ ୧୦ ଦିନ ହେଲା ଆଦୌ ଜଳ ଯୋଗାଣ ହୋଇ ପାରୁନଥିବା ଯୋଗୁଁ ଲୋକେ ହୀନସ୍ତା ହୋଇ ପଡୁଥିବା ଜଣାପଡିଛି। ଗ୍ରାମ ନିକଟରେ ଥିବା ନାଳ ପୋଖରୀ କେବେଠାରୁ ଶୁଷ୍କ ହୋଇ ପଡ଼ିଥିବା ବେଳେ ବସୁଧା ଯୋଜନାରେ ଥିବା ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ରହିଛି। ଏନେଇ ସ୍ଥାନୀୟ ସରପଞ୍ଚ, ବିଭାଗୀୟ ଯନ୍ତ୍ରୀ, ରାମନାଗୁଡା ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଫଳ ମିଳିନି ବୋଲି ଗ୍ରାମବଶୀ ଅଭିଯୋଗ କରିଛନ୍ତି। ତେବେ ଯେଉଁ ଘରେ ବ୍ୟକ୍ତିଗତ ଭାବେ ଗଭୀର ନଳ କୂପ ରହିଛି ତାଙ୍କ ଘରେ ଗରା ମାଠିଆ ଧରି ମହିଳାଙ୍କ ଲମ୍ବା ଲାଇନ ଲାଗିରହିଥିବା ଦେଖିବାକୁ ମିଳିଛି। ଅସହ୍ୟ ଗରମ ଯନ୍ତ୍ରଣା ଠାରୁ ଜଳ ଯନ୍ତ୍ରଣା ଯୋଗୁଁ ଗ୍ରାମବାସୀ ଙ୍କ ସମସ୍ୟା ଦ୍ବିଗୁଣିତ କରୁଛି ବୋଲି ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟଯେ ଗ୍ରାମରେ ୨ଶହରୁ ଉର୍ଦ୍ଧ ଘର ରହିଥିବା ବେଳେ ୪ଶହ ରୁ ଉର୍ଦ୍ଧ୍ବ ଜନସାଧାରଣ ରହିଛନ୍ତି। ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ କରୁଣ ନିବେଦନ କରିଛନ୍ତି।(ସୁରେନ୍ଦ୍ର ମହାନ୍ତି )