ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ମରଣଯନ୍ତାରେ ପରିଣତ l ରାସ୍ତା ମରାମତି ହେବାର ମାସକ ମଧ୍ୟରେ ପିଚୁ ଉଠିଗଲାଣି ..

ବୋଲଗଡ଼,(ଉପାନ୍ତ ଖବର):ଲୋକମାନଙ୍କର ଗମନା ଗମନ ସୁବିଧା ପାଇଁ କେନ୍ଦ୍ର ସରକାର ଓ ଓଡିଶା ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ ବିଭାଗ ମାଧ୍ୟମରେ ପ୍ରତିବର୍ଷ ଜାତୀୟ ରାଜପଥ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସଫଳ ରାସ୍ତା କାମ ହୋଇପାରୁ ନାହିଁ l ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଜାତୀୟ ରାଜପଥର ସ୍ଥାୟିତ୍ୱ ଦିନକୁ ଦିନ କମି ଯାଉଅଛି l ଫଳରେ ଏହି ଜାତୀୟ ରାଜପଥରେ ଦୈନିକ ଯାତାୟତ କରୁଥିବା ଛୋଟ ବଡ଼ ଯାନ ବାହାନ ରାସ୍ତା ଦୃଘଟଣାର ସମ୍ମୁଖୀନ ହେଉଅଛନ୍ତି l ଗତ ଲଘୁଚାପ ଜନିତ ବର୍ଷାରେ ୫୭ନମ୍ବର ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମେଣ୍ଟାଲ, ସିପ୍ସ ଓ ପିଚୁ ଉଠିଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଅଛି ଓ ବର୍ଷା ଜଳ ଜମି ରହୁଛି l ୫୭ନମ୍ବର ଖୋର୍ଦ୍ଧା -ବଲାଙ୍ଗୀର ରାଜପଥର ବାଘମାରି ବଜାର ଠାରୁ ଇଟାମାଟି ବଜାର ପର୍ଯ୍ୟନ୍ତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଅଛି l ଆଜି ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥରେ ରହିଥିବା ଖାଲ ଗୁଡିକ ଓ ପିଚୁ ଛାଡ଼ିଥିବା ସ୍ଥାନ ଗୁଡିକ ମରାମତି ହୋଇପାରି ନାହିଁ l ଏହି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସୁପର ଠିକାଦାର ସଂସ୍ଥା ଏ.ଆର. ସ.ସ କମ୍ପାନୀ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା l ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏକ ମାସ ମଧ୍ୟରେ ହୋଇଥିବା ପିଚୁ କାମ ସମ୍ପୂର୍ଣ୍ଣ ଉଠିଯାଇ ଜାତୀୟ ରାଜପଥରେ ପୁନର୍ବାର ଖାଲ ସୃଷ୍ଟି ହେଲାଣି ଅନ୍ଧାର ରାତିରେ ଯାତାୟତ କରୁଥିବା ଜନ ସାଧାରଣ, ସାଇକେଲ ଚାଳକ ଓ ଛୋଟ ବଡ଼ ଯାନ ବାହାନ ରାସ୍ତା ଦୃଘଟଣାର ସମ୍ମୁଖୀନ ହେଉଅଛନ୍ତି l ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୁଇ ମିଟର ଓସାରରେ ମୋହରମ ପକାଇବାର ନିୟମ ଥିଲେ ମଧ୍ୟ ଠିକାଦାର ଏ. ଆର. ସ.ସ ସଂସ୍ଥା ତାହା କାର୍ଯ୍ୟକାରୀ କରି ନାହାନ୍ତି l ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ନୟାଗଡ ଜିଲ୍ଲାପାଳ, ଜାତୀୟ ରାଜପଥ ଉଚ୍ଚ କର୍ତ୍ତ୍ୟୁପକ୍ଷ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଏହି ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ପ୍ରତି ଦୃଷ୍ଟି ଦେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ କରିଅଛନ୍ତି l