September 22, 2026

ଉଦୟନଗର ପୋଖରୀ ହୁଡ଼ା କାମର ମାନକୁ ନେଇ ପ୍ରଶ୍ନ ସ୍ୱଚ୍ଛତା, ପାନୀୟଜଳ ଓ ଷ୍ଟ୍ରିଟ୍‌ଲାଇଟ୍‌ ସମସ୍ୟାର ସମାଧାନ ଦାବି

IMG-20260922-WA0001
Share

 

ସମ୍ବଲପୁର, ତା. ୨୨/୦୯ : ଉଦୟନଗରସ୍ଥିତ ପୋଖରୀ ହୁଡ଼ା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଅଞ୍ଚଳରେ ସ୍ୱଚ୍ଛତା, ପାନୀୟଜଳ ଯୋଗାଣ ଓ ଷ୍ଟ୍ରିଟ୍‌ଲାଇଟ୍‌ ଭଳି ମୌଳିକ ନାଗରିକ ସେବାରେ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ ଦାବି ହୋଇଛି। ଏନେଇ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଧ୍ୟକ୍ଷ ଜୟବ୍ରତ ଦେ ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖାତ୍ରୀଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି।

 

ଅଭିଯୋଗ ଅନୁଯାୟୀ, ଗତ ୧ ସେପ୍ଟେମ୍ବରରେ ଉଦୟନଗରବାସୀଙ୍କ ପକ୍ଷରୁ ଅଞ୍ଚଳର ପୋଖରୀ, ରାସ୍ତା, ନାଳ ଓ ସ୍ୱଚ୍ଛତା ସମସ୍ୟା ନେଇ ମହାନଗର ନିଗମକୁ ସ୍ମାରକପତ୍ର ଦିଆଯାଇଥିଲା। ଏହାପରେ ମାତ୍ର ଦୁଇଦିନ ସଫେଇ କାର୍ଯ୍ୟ ହୋଇଥିବାବେଳେ ପୁଣି ଝାଡ଼ୁଦାରୀ, ନାଳ ସଫେଇ ଓ ଆବର୍ଜନା ଉଠାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଆବର୍ଜନା ଜମି ରହିବା, ଦୁର୍ଗନ୍ଧ, କୀଟପତଙ୍ଗ ଓ ମଶାଙ୍କ ପ୍ରାଦୁର୍ଭାବ ନେଇ ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି।

 

ଏଥିସହ ବିଭିନ୍ନ ସ୍ଥାନରେ ପାନୀୟଜଳ ଯୋଗାଣରେ ବାଧା,କାଦୁଆ ପାଣି, କମ୍‌ ଚାପରେ ପାଣି ଯୋଗାଣ ଓ ପାଣିର ଯଥାଯଥ ବିଶୋଧନକୁ ନେଇ ନାଗରିକଙ୍କ ମଧ୍ୟରେ ଚିନ୍ତା ଥିବା ଦର୍ଶାଯାଇଛି। ବିଭିନ୍ନ ସ୍ଥାନରେ ଅଚଳ ଷ୍ଟ୍ରିଟ୍‌ଲାଇଟ୍‌ ଯୋଗୁଁ ଲୋକେ ଅସୁବିଧାରେ ପଡ଼ୁଥିବା ଓ ସୁରକ୍ଷା ସମସ୍ୟା ସୃଷ୍ଟି ହେଉଥିବା ମଧ୍ୟ ଅଭିଯୋଗ କରାଯାଇଛି।

 

ଅନ୍ୟପକ୍ଷରେ ଉଦୟନଗର ପୋଖରୀରୁ ପାଣି ଲିକ୍‌ ହୋଇ ରାସ୍ତା ଉପରେ ଜମି ରହୁଥିବାରୁ ରାସ୍ତା କାଦୁଆ ଓ ଅସୁରକ୍ଷିତ ହୋଇପଡ଼ିଛି। ଲିକେଜ୍‌ ରୋକିବା ଓ ପୋଖରୀ ହୁଡ଼ାକୁ ବୈଜ୍ଞାନିକ ପଦ୍ଧତିରେ ସୁଦୃଢ଼ କରିବା ପରିବର୍ତ୍ତେ ମାଟି ଉପରେ ସିଧାସଳଖ ୬ରୁ ୭ ଇଞ୍ଚ୍‌ ମୋଟା କଂକ୍ରିଟ୍‌ ପଟିଆ କରାଯାଇଥିବା ଶ୍ରୀ ଦେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟର ଫଟୋ ଓ ଭିଡିଓ ଅଭିଯୋଗପତ୍ର ସହ ସଂଲଗ୍ନ କରାଯାଇଥିବା ସେ ଦର୍ଶାଇଛନ୍ତି।

 

ପୋଖରୀ ହୁଡ଼ା ନିର୍ମାଣ କାର୍ଯ୍ୟ ସ୍ୱୀକୃତ ଅଟକଳ, ବିଓକ୍ୟୁ, ଅନୁମୋଦିତ ଡିଜାଇନ୍‌ ଓ ନିର୍ଦ୍ଧାରିତ ବୈଷୟିକ ମାନଦଣ୍ଡ ଅନୁଯାୟୀ ହୋଇଛି କି ନାହିଁ, ତାହା ଯାଞ୍ଚ ପାଇଁ ତୁରନ୍ତ ସ୍ଥଳ ପରିଦର୍ଶନ ସହ ସ୍ୱାଧୀନ ବୈଷୟିକ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏହାସହ ଭିତ୍ତି, ମାଟି ସଂଘନନ, ରିଇନ୍‌ଫୋର୍ସମେଣ୍ଟ୍‌ ଓ କଂକ୍ରିଟ୍‌ର ଗୁଣବତ୍ତା ଯାଞ୍ଚ ସହ ୱାର୍କ ଅର୍ଡର, ସ୍ୱୀକୃତ ଅଟକଳ, ବିଓକ୍ୟୁ ଓ ମେଜରମେଣ୍ଟ ବୁକ୍‌ (ଏମ୍‌ବି) ଯାଞ୍ଚ କରିବାକୁ ଦାବି ହୋଇଛି।

 

ଯାଞ୍ଚରେ କୌଣସି ବୈଷୟିକ କିମ୍ବା ଆର୍ଥିକ ଅନିୟମିତତା ପ୍ରମାଣିତ ହେଲେ ସମ୍ପୃକ୍ତ ଜେଇ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଠିକାଦାରଙ୍କ ବିରୋଧରେ ବ୍ଲାକ୍‌ଲିଷ୍ଟିଂ/ଡିବାରମେଣ୍ଟ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

 

ସହରରେ ନିୟମିତ ସଫେଇ, ନାଳ ସଫେଇ ଓ ଆବର୍ଜନା ଉଠାଣ ସୁନିଶ୍ଚିତ କରିବା, ମଶା ଓ କୀଟପତଙ୍ଗ ସମସ୍ୟା ଦୂର କରିବା, ନିରାପଦ ଓ ବିଶୋଧିତ ପାନୀୟଜଳ ଯୋଗାଣ ସହ ଘୋଳା ପାଣିର କାରଣ ଚିହ୍ନଟ କରିବା ଏବଂ ଅଚଳ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ମରାମତି କରିବାକୁ ସେ ଦାବି କରିଛନ୍ତି।

 

ଏହି ସମସ୍ତ ମୌଳିକ ନାଗରିକ ସେବା ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ, ମନିଟରିଂ ଓ ଦାୟିତ୍ୱ ନିର୍ଦ୍ଧାରଣ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଶ୍ରୀ ଦେ ଦର୍ଶାଇଛନ୍ତି। ଏହି ଅଭିଯୋଗର ନକଲ ଉତ୍ତରାଞ୍ଚଳ ଆର୍‌ଡିସି ସଙ୍ଗ୍ରାମ କେଶରୀ ମହାପାତ୍ର ଓ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

You may have missed