ରକ୍ଷଣାବେକ୍ଷଣ ଅଭାବ,କାଦୁଅ କରି ଧାନ ତଳି ରୋଇଲେ ଚାଷୀ
କୋଲନରା: ( ସଞ୍ଜୀବ କଣ୍ଡାଗରୀ ) ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସରକାରୀ ରାଜ କୋଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ରାୟଗଡା କ୍ଷୁଦ୍ର ଜଳ ସେଚନ ବିଭାଜନ ତରଫରୁ ୨୦୧୬ ମସିହାରେ ନିର୍ମାଣ ହୋଇଥିଲା ମୁଖ୍ୟମନ୍ତ୍ରୀ ଆଡ଼ି ବନ୍ଧ ଯୋଜନାରେ ଚେକ ଡ୍ୟାମ। କିନ୍ତୁ ଏହାର ନିର୍ମାଣ ପର ଠାରୁ ୯ ବର୍ଷ ମଧ୍ୟରେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ପୋତି ହୋଇଯିବା ପରେ ଗଛ ଲତା ସଫା କରି ଏଠାରେ ଚାଷୀ ଧାନ ତଳି ଲଗାଇ ଚାଷ କରିଛନ୍ତି।
କୋଲନରା ବ୍ଲକ କୈଳାସ ପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଲିବି ନାଳରେ ୨୦୧୬ ମସିହା ରେ ରାୟଗଡା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ୨୪୭୯ ଲକ୍ଷ ବ୍ୟୟରେ ମୁଖ୍ୟମନ୍ତ୍ରୀ ଆଡ଼ି ବନ୍ଧ ଯୋଜନାରେ ଏକ ଡ୍ୟାମ ନିର୍ମାଣ ହୋଇଥିଲା। ଏହି ଡ୍ୟାମ ନିର୍ମାଣ ହେବା ଫଳରେ ଲାଲିବି ଗାଁର ଚାଷ ଜମି ସମେତ କୋଲନରା ପଞ୍ଚାୟତ ର କନ୍ଧ ଚମ୍ପିଆ, ଘୋଡାବାଡ଼ି ଓ ରାୟଗଡା ବ୍ଲକ କୁଲି ପଞ୍ଚାୟତର ଉତକାପାଡୁ ଗାଁର ପ୍ରାୟ ୪୦ ରୁ ୫୦ ଏକର ରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ସେଚନ ହୋଇପାରିବ ବୋଲି ଲକ୍ଷ୍ୟ ରଖା ଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ ଏହାର ରକ୍ଷଣା ବେକ୍ଷଣ କରା ନ ଯିବା ଯୋଗୁଁ ଏହା ଧୀରେ ଧୀରେ ପୋତି ହୋଇ ଯିବା ପରେ ଗାଁ ଲୋକେ ଏଠାରେ ହୋଇଥିବା ବଣ ବୁଦା ଲତା ସଫାକରି ଧାନଗଛ ଲଗେଇ ଥିବା ଜଣା ପଡିଛି। ସରକାରଙ୍କ ଯୋଜନା ବାଟେ ଯୋଜନା କାର୍ଯ୍ୟକାରୀ ହେଉଛି ସତ, କିନ୍ତୁ ଲୋକଙ୍କ କାର୍ଯ୍ୟରେ ଆସୁନଥିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଥିବା ଲୋକେ କହିଛନ୍ତି।
