March 9, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଅର୍ଥ ରୋଜଗାର ସହ ସମ୍ପର୍କର ଡୋରୀରେ ବାନ୍ଧିଛି ପଲ୍ଲୀ ମହିଳାଙ୍କୁ ପାରମ୍ପାରିକ ଧାନ ରୁଆ କାର୍ଯ୍ୟ……..

IMG-20250722-WA0031
Share

 

ନବରଂଗପୁର:-(ଏମ୍ .ଦୀନା°ଶୁ ଆଚାରୀ) :- ଆଦିବାସୀ ବହୁଳ ଜିଲ୍ଲା ନବରଙ୍ଗପୁର ଜିଲ୍ଲାବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁଧ ହେଉଛି କୃଷି। ୯୦ ପ୍ରତିଶତ ଜିଲ୍ଲାବାସୀଙ୍କ ବୃତ୍ତି ଓ ଜୀବନ ଜୀବିକାର ପ୍ରଧାନ ପନ୍ଥା କୃଷି ହୋଇଥିବା ବେଳେ ଧାନ ମକା ଉତ୍ପାଦନ ପ୍ରଧାନ ଚାଷ ଭାବେ ଅଞ୍ଚଳବାସୀ କରିଆସୁଛନ୍ତି। ମଣିଷ ସଭ୍ୟତାର ଅସ୍ଥିତ୍ୱ ପାଇଁ ଆଦ୍ୟରୁ କୃଷି ଉପରେ ନିର୍ଭର କରି ଆସୁଥିବା ବେଳେ ସମୟର ସ୍ରୋତରେ ଆଧୁନିକ କୃଷି ଯନ୍ତ୍ରପାତି , କୃଷି ପଦ୍ଧତି ନୂତନ ବୈଷୟିକ ଜ୍ଞାନ କୌଶଳ ଆଧୁନିକ କୃଷି ପ୍ରଣାଳୀ ବୈଜ୍ଞାନିକ ଦୃଷ୍ଟିକୋଣ କୃଷି କ୍ଷେତ୍ରରେ ସମୟ ଲାଘବ କରିବା ସହ ଶ୍ରମଦାନ ସ୍ତରକୁ ହ୍ରାସ କରିଛି। ଅନ୍ୟପକ୍ଷେ ହଜାରେ ବର୍ଷରୁ ଚାଲି ଆସୁଥିବା ପାରମ୍ପାରିକ କୃଷି ପ୍ରଣାଳୀ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଯାନ୍ତ୍ରିକ ଯୁଗର ବିକାଶ ଫଳରେ ଆଧୁନିକ ଚାଷ ପଦ୍ଧତି ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ଆଜିବି ୭୦ ପ୍ରତିଶତ ଗରିବ ଅତି ଗରିବ ଶ୍ରେଣୀ ଚାଷୀ ପରିବାର ଆଜିବି ପୁରାତନ ପାରମ୍ପାରିକ ଚାଷ ପଦ୍ଧତି ଅବଲମ୍ବନ କରି ଆସୁଛନ୍ତି। କ୍ଷେତ ପ୍ରସ୍ତୁତ ପାଇଁ ବଳଦ ହକ ,ମଇଁଷି ହକ , ଶ୍ରମଦାନ ରେ ଧାନ ରୁଆ,ଗୋରୁ ଗୋଠ ଚଲାଇ ଓ ନିଦା ଗୋଲେଇ କାଠ ସାହାଯ୍ୟରେ ଧାନ ମଳା,ଇଲା କଟୁରିରେ ଧାନ କାଟିବା ଆଦି କୃଷିକର୍ଯ୍ୟ ଆଜିବି ଝରିଗାଁ ବ୍ଲକର ଉପାନ୍ତ ଗ୍ରାମାଞ୍ଚଳ ପଲ୍ଲୀ ଗାଁ ଗୁଡିକରେ ଚାଷୀ ପରିବାର ଏହି ପାରମ୍ପାରିକ ପୁରାତନ ପଦ୍ଧତି ଅନୁସରଣ କରୁଛନ୍ତି। ଏସବୁ କୃଷି ଭିତ୍ତିକ କାର୍ଯ୍ୟରେ ପଲ୍ଲୀ ମହିଳା ଙ୍କ ଅଂଶୀଦାର ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ। ବ୍ଲକ କୃଷି ବିଭାଗ ସୂଚନା ପ୍ରକାରେ ବ୍ଲକରେ ଧାନ ଚାଷ ୮,୬୫୨ ହେକ୍ଟର ରହିଥିବା ବେଳେ କାଗଜ କଲମରେ ୪,୭୨୬ ହେକ୍ଟର ଜଳସେଚିତ ରହିଛି। ତେଣୁ ବର୍ଷା ଋତୁ ଉପରେ ଅଂଚଳର ପ୍ରମୁଖ ଧାନ ଚାଷ ନିର୍ଭର କରୁଛି। ସଦ୍ୟ ଆସିଛି ବର୍ଷା ଋତୁ ।ଧାନ ରୁଆ ପାଇଁ କେଉଁଠି ଚାଷୀ କ୍ଷେତ ପ୍ରସ୍ତୁତ କରୁଥିବା ବେଳେ କେଉଁଠି ଚାଷୀ ଜମି ରେ ଧାନ ରୋଇ ସାରିଲାଣି ତ କେଉଁଠି ଚାଲିଛି ଧାନ ରୁଆ କାର୍ଯ୍ୟ। ପୁରାତନ ପାରମ୍ପାରିକ ଚାଷ ପ୍ରଣାଳୀ ରେ ଏବେ ବି ଚାଷ କାର୍ଯ୍ୟ ଚାଲିଛି। ଗାଁ ମହିଳା ଦଳଗତ ଭାବେ ଅର୍ଥ ରୋଜଗାର କରିବାକୁ ଧାନ ରୁଆ କାର୍ଯ୍ୟରେ ବ୍ୟସ୍ତ ଥିବା ଚିତ୍ର ଦେଖିବାକୁ ମିଳୁଛି। ପଲ୍ଲୀ ଗୃହିଣୀ ପଲ୍ଲୀ ଯୁବତୀ ଗାଁ ର ବୟସ୍କ ମହିଳା ଦଳଗତ ଭାବେ ଧାନ ରୁଆ କାର୍ଯ୍ୟ କରିବାକୁ ଯାଇଥାନ୍ତି। ଗୋଟିଏ ଦଳରେ କେତେ ମହିଳା ରହିବେ ଜମି ମାଲିକ ସହ ଆଲୋଚନା ପରେ ସ୍ଥିର କରିଥାନ୍ତି। ଦୈନିକ ମଜୁରୀ ପ୍ରକାରେ ହେଉ କି ଠିକା ପ୍ରକାରେ ହେଉ ରୋଇବା କାର୍ଯ୍ୟ ଜାରି ରଖନ୍ତି। ଭୋର ସକାଳୁ ଉଠି ଘର କାମ ସହ ରୋଷେଇ କାମ ସାରି ଗଣ୍ଡେ ଖାଇ ମଧ୍ୟାହ୍ନ ଭୋଜନ ଧରି ଦିନ ଦଶଟା ମଧ୍ୟରେ କ୍ଷେତରେ ପହଞ୍ଚିଥାନ୍ତି। ଆଠ ଘଣ୍ଟା ଧରି ରୁଆ କାର୍ଯ୍ୟ ଚାଲିଥାଏ । ଅପରାହ୍ନରେ ସାମାନ୍ୟ ବିଶ୍ରାମ ସହ ଘରୁ ଆଣିଥିବା ଖାଦ୍ୟ ଜମି ହୁଡ଼ା କି ଘାସ ଉପରେ ବସି ଖାଇଥାନ୍ତି। ହାଣ୍ଡିଶାଳ ଶାଗ ତରକାରୀ ପରସ୍ପର ମଧ୍ୟରେ ଦିଆନିଆ ହୋଇ ଖାଇଥାନ୍ତି। ପାଣି କାଦୁଅରେ ହାତ ପାଦ ଭିଜି ବତୁରି ଯାଏ। ଘଣ୍ଟା ଘଣ୍ଟା ଧରି ପାଣି କାଦୁଅରେ ଧାନ ରୁଆ କାର୍ଯ୍ୟ କଷ୍ଟସାଧ୍ୟ ହେଲେ ମଧ୍ୟ ଗରିବ ଅତି ଗରିବ ଶ୍ରେଣୀ ମହିଳା ବର୍ଷା ରୁତୁ ଆସିଲେ ଏହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। ଠେକାରେ ଯଦି ଧାନ ରୁଆ ହୋଇଥାଏ ଦୈନଦିନ ନିର୍ଦ୍ଧାରିତ ମଜୁରୀ ଅପେକ୍ଷା ସାମାନ୍ୟ ଅଧିକ ଟଙ୍କା ପାଇଥାନ୍ତି ମହିଳା। ଦିନ ମଜୁରୀ ଗାଁ ଦେଖି କେଉଁଠି ଦୁଇ ଶହ ଟଙ୍କା ତା ଆଉ କେଉଁ ଠାରେ ୨୫୦ ଟଙ୍କା ମଜୁରୀ ଚାଲିଛି। ଏକକାଳୀନ ରୁଆ କାର୍ଯ୍ୟ ଚାଲୁଥିବାରୁ ବଡ଼ ଚାଷୀ ମଧ୍ୟମ ଚାଷୀ ଏମାନଙ୍କ ନିକଟକୁ ଆସି ଦିନ ମଜୁରୀ ଓ ଠେକା ଆକାରରେ ଛିଡାଇ ଆଡଭଂସ୍ ଟଙ୍କା ଦେଇଥାନ୍ତି। ଦଳର ନେତୃତ୍ବ ନେଉଥିବା ମୁଖିଆ ଏବଂ ସହଯୋଗୀ ମହିଳା କିଛି ଜମିର କ୍ଷେତ୍ରଫଳ ଦେଖି ରୁଆ ଖର୍ଚ୍ଚ ନିର୍ଦ୍ଧାରଣ କରିଥାନ୍ତି। ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥ ରୋଜଗାର ର ଏହା ଅନୁକୂଳ ସମୟ ହୋଇଥିବାରୁ କଷ୍ଟସାଧ୍ୟ ହେଲେ ମଧ୍ୟ ଦଳ ମଧ୍ୟରେ ପରସ୍ପର ଭାବ ଦିଆନିଆ ମଧ୍ୟରେ ନିଆରା କାହାଣୀ କିଛି ସତ କିଛି କଳ୍ପିତ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ପ୍ରାଚୀନ ଘଟଣା ମଣିଷର ଚରିତ୍ର ଜୀବନ ଘଟଣାବଳୀ ରାଜାରାଣୀ କଥା ହେଉକୀ ପ୍ରେମିକ ପ୍ରେମିକା ଙ୍କ ଇତିହାସ ଗୀତ ବା କାବ୍ୟ ସୁର ଓ ଭାବ ସହ ଶୁଣିବାକୁ ମିଳେ ଆଞ୍ଚଳିକ ଭାଷାରେ ଏହି ମହିଳାଙ୍କ ଧାନ ରୁଆ ମେଳିରେ। ନିର୍ଦ୍ଧିଷ୍ଟ ଦଳ ମଧ୍ୟରେ ସ୍ବତନ୍ତ୍ର ଦକ୍ଷତା ବା କଳା ନିପୂଣ ମହିଳା ରହିଥାନ୍ତି। ଯେଉଁମାନେ କୌଣସି ଘଟଣାର କାହାଣୀ ଓ ଚରିତ୍ର ଗୁଡ଼ିକୁ କବିତା ମାଧ୍ୟମରେ ଜୀବନ୍ତ କରି ଉପସ୍ଥାପନ କରିଥାନ୍ତି। ମନ୍ତ୍ରମୁଗ୍ଧ ହୋଇ ଶୁଣି ଶୁଣି ରୁଆ ଦଳ କାର୍ଯ୍ୟରେ ଧ୍ୟାନ ଦିଅନ୍ତି। କଠିନ ହେଲେ ମଧ୍ୟ ଏହି କବିତା ର ଭାବ ଭାବବିହୋର କରିଥାଏ। କବିତା ଗାଉଥିବା ମହିଳା କି ଯୁବତୀ ଦଳର ମନୋରଞ୍ଜନ କରୁଥିବା ବେଳେ କିଛି ସମୟ ପରସ୍ପରର ଭଲମନ୍ଦ ବୁଝିବା ସାନ୍ତ୍ଵନା ଦେବା ଦୁଃଖ ସୁଖରେ ସହଭାଗୀ ହେବା ଏପରି ବ୍ୟକ୍ତିଗତ ପାରିବାରିକ ଜୀବନ ଭଲମନ୍ଦ ଆଲୋଚନା ଏବଂ ପରାମର୍ଶ ଦିଆନିଆ ଚାଲେ। ଜମିରେ ବିତାଉଥିବା ଏକ ଲମ୍ବା ସମୟ ୮ ଘଣ୍ଟା ଏଭଳି ଭାବେ ଜମିରେ ପଲ୍ଲୀ ଗାଁ ମହିଳା ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ଯାଇ କାର୍ଯ୍ୟ କରି ଆସୁଛନ୍ତି । ଚଟାପଟ୍ କାମ ସାରି ପୁଣି ଘର କାମ କରିବାକୁ ଜମିରୁ ସଞ୍ଜ ନଇଁବା ବେଳକୁ ଘର ଅଭିମୁଖେ ଫେରିଥାନ୍ତି।