ଋଷିକୂଲ୍ୟା ନଦୀ ତଥା ବ୍ରହ୍ମପୁର ସହରର ପାନୀୟ ଜଳ ଯୋଗାଣକୁ ବିପଦ ସୃଷ୍ଟି କରିବାକୁ ଯାଉଥିବା ପିପଳପଙ୍କା ଡ୍ୟାମକୁ ବାତିଲ କରିବା ଦାବିରେ *ଦ୍ଵିତୀୟ ଦିନରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା*

,
ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ସୋରଡା ବ୍ଳକର ପିପଳପଙ୍କା ଠାରେ ଯେଉଁ ବୃହତ ଜଳଭଣ୍ଡାର କରିବାକୁ ଯାଉଛନ୍ତି, ତା’ରି ଫଳରେ ଋଷିକୂଲ୍ୟା ନଦୀ ମରିଯିବା ସହ ଗଞ୍ଜାମ ଜିଲ୍ଲାର କୃଷି, ଜଳସେଚନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ମତପ୍ରକାଶ ପାଇଛି । ଋଷିକୂଲ୍ୟା ନଦୀର ସୁରକ୍ଷା ଦାବିରେ ଆଜି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜିତ ଦୁଇ ଦିନିଆ ପଦଯାତ୍ରାର ଶେଷ ଦିନରେ ସହରର ବୁଦ୍ଧିଜୀବିଙ୍କ ସମେତ ଜିଲ୍ଲାର ବହୁ ଚାଷୀନେତା, ସାମାଜିକ କର୍ମୀ ଓ ପରିବେଶବିଦ୍ ଯୋଗଦେଇ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମକୁ ବିରୋଧ କରିଥିଲେ ।
ଏହି ଡ୍ୟାମ୍ ଜରିଆରେ ନଦୀର ଉପରମୁଣ୍ଡରୁ କମ୍ପାନୀଙ୍କୁ ପାଣି ଚାଲିଗଲେ ବର୍ତ୍ତମାନ ବର୍ଷସାରା ପ୍ରାୟତଃ ଶୁଖିଲା ରହୁଥିବା ନଦୀ ସମ୍ପୂର୍ଣ୍ଣ ରୂପେ ମରିଯିବ । ଯାରି ଫଳରେ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ସମଗ୍ର ଋଷିକୂଲ୍ୟା ନଦୀର ପାଣିର ଭୟଙ୍କର ସଂକଟ ଦେଖାଯିବ । ବର୍ତ୍ତମାନ ବ୍ରହ୍ମପୁର ସହର ସମେତ ଜିଲ୍ଲାର ଲକ୍ଷାଧିକ ଏକର ଜମିକୁ ପାଣି ଯୋଗାଉଥିବା ଋଷିକୂଲ୍ୟା ନଦୀର ଜାନିବିଲି ବ୍ୟାରେଜରେ ଡ୍ୟାମ୍ ଫଳରେ ପାଣି କମିଗଲେ ସେଠାରୁ ବାହାରିଥିବା ଋଷିକୂଲ୍ୟା କେନାଲ ବ୍ୟବସ୍ଥା ଓ ବ୍ରହ୍ମପୁର ସହରର ଜଳଯୋଗାଣ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ । ବର୍ତ୍ତମାନ ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ ନହେଉଣୁ ସହରରେ ପାନୀୟ ଜଳର ସଙ୍କଟ ଦେଖାଯାଉଥିବା ବେଳେ ଥରେ ଡ୍ୟାମ୍ ନିର୍ମାଣ ହୋଇଗଲେ, ଏହି ସମସ୍ୟା ଭୟଙ୍କର ରୂପ ଧାରଣ କରିବ । ବର୍ତ୍ତମାନ ଜାନିବିଲି ବ୍ୟାରେଜରେ ଆବଶ୍ୟକୀୟ ପାଣି ନଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ବ୍ରହ୍ମପୁର ସହରକୁ ଦୈନିକ ମାତ୍ର ଦୁଇ ଘଂଟା ପାଣି ଯୋଗାଇବାକୁ ଘୋଷଣା କରିଥିବା ବେଳେ ଭବିଷ୍ୟତରେ ଉପରମୁଣ୍ଡରେ ପିପଳପଙ୍କା ଡେମ୍ ନିର୍ମାଣ ହେଲେ ସହରରେ ପାନୀୟ ଜଳର ସଙ୍କଟ ଉତ୍କଟ ହେବ ।
ଏହା ବ୍ୟତୀତ ଡେମ୍ ଫଳରେ ଗାଜଲବାଡ଼ି ପଞ୍ଚାୟତର ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଘଞ୍ଚ ଜଙ୍ଗଲ ସବୁଦିନ ପାଇଁ ଜଳମଗ୍ନ ହେବା ସହ ତା’ରି ମଧ୍ୟରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ୨୩ଟି ଗାଁର ତିନି ହଜାରରୁ ଅଧିକ ଲୋକଙ୍କ ଜୀବିକା ଚାଲିଯିବ ।
ଏ଼ହି କ୍ରମରେ ଋଷିକୂଲ୍ୟା ନଦୀର ଜଳ ଉପରେ ନିର୍ଭରଶୀଳ ବ୍ରହ୍ମପୁର ସହରର ନାଗରିକମାନଙ୍କୁ ନେଇ ଏକ ଦୁଇ ଦିନିଆ ପଦଯାତ୍ରାର ଆୟୋଜନ କରାଯାଇଛି । ଆଜି ପଦଯାତ୍ରାର ଦ୍ଵିତୀୟ ଦିନରେ ପୂର୍ବାହ୍ନରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଠାରୁ ପଦଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେ୍, ଗିରିଜା ଛକ, ଗିରି ମାର୍କେଟ୍, ସାନ ବଜାର ଓ ବଡ ବଜାର ଛକ ଦେଇ ହରିଡ଼ାଖଣ୍ଡିରେ ପହଞ୍ଚିଥିଲା । ରାସ୍ତାରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ସହରର ବିଭିନ୍ନ ବର୍ଗର ନାଗରିକଙ୍କ ସମେତ ଜିଲ୍ଲାର ଅନେକ ବୁଦ୍ଧିଜୀବି, ଚାଷୀ ନେତା ଓ ପରିବେଶ କର୍ମୀମାନେ ଯୋଗଦେଇଥିଲେ । କମିଟିର ଆବାହକ ସୁଧୀର ରାଉତଙ୍କ ସମେତ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଋଷିକୂଲ୍ୟା ରୟତ ସଂଘର ସମ୍ପାଦକ ସୀମାଞ୍ଚଳ ନାହାକ, କୃଷକ ନେତା ଲଡୁ କିଶୋର ଡାକୁଆ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା, ସାମାଜିକ କର୍ମୀ ଆଦିତ୍ୟ ରଥ, କେ ନାନ୍ଦେଶୁ ସେନାପତି, ସାମାଜିକ କର୍ମୀ ମିନି ମହାପାତ୍ର, ଅଶୋକ ଦଳାଇ, ସ୍ଵରାଜ୍ୟ ସୁବୁଦ୍ଧି, ଲକ୍ଷ୍ମୀ ନୃସିଂହ ରଥ, ଗଗନ ଚନ୍ଦ୍ର ମଲ୍ଲିକ, ଆଦିବାସୀ ନେତା ଲିଙ୍ଗା ଗମାଙ୍ଗ, କବିରାଜ ନାୟକ, ଦଳିତ ନେତା ଡ୍ରାଇଭର ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଧନ୍ୟବାଦ ସହ
*ସୁଧୀର ରାଉତ*
ଆବାହକ
*ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି*
ଫୋନ ନମ୍ବର : 9437498885