November 23, 2024

ପିପୁଲ୍ସ କଲେଜର ୪ଟି ଆକ୍ବାଗାର୍ଡ ଅଚଳ , ପାଣି ପାଇଁ ଛାତ୍ରଛାତ୍ରୀ ଡହଳ ବିକଳ, ତୁରନ୍ତ ପ୍ରତିକାର ଦାବି

Share

ବୁଗୁଡ଼ା : ତା ୨୨/୦୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜରେ ପାଣି ପାଇଁ ଛାତ୍ରଛାତ୍ରୀ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତା ହେତୁ ଦିନେ କି ଦିଦିନ ନୁହେଁ, ଦୀର୍ଘ ଛଅ ମାସରୁ ଉର୍ଦ୍ଧ କାଳ ହେଲା ଅଚଳ ହୋଇ ପଡିଥିବା ୪ଟି ଆକ୍ବାଗାର୍ଡକୁ ବ୍ୟବସ୍ଥିତ କରାଇ ଛାତ୍ରଛାତ୍ରୀଙ୍କୁ ପାନୀୟ ଜଳ ଯୋଗାଇବା ସମ୍ଭବପର ହୋଇପାରୁନାହିଁ । କଲେଜରେ +୨ ଓ +୩ ର ମୋଟ ୨୦୫୯ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ପାଇଁ ଉପର ମହଲାର ରିଡିଙ୍ଗ୍ ରୁମ୍ ଭିତରେ ଓ କନଫରେନ୍ସ ହଲ ବାହାରେ ଗୋଟିଏ ଲେଖାଏଁ ଆକ୍ବାଗାର୍ଡ ଏବଂ ତଳଭାଗର କେମେଷ୍ଟ୍ରି ରୁମ୍ ଓ ଗାର୍ଲସ୍ କମନ୍ ରୁମ୍ ଆଗରେ ଗୋଟିଏ ଲେଖାଏଁ ଆକ୍ବାଗାର୍ଡ ରହିଥିଲେ ହେଁ ସେଗୁଡିକ କାମରେ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କଲେଜ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ଏଭଳି ଅବ୍ଯବସ୍ଥା ସହ ଖାପ ଖୁଆଇବାକୁ ଯାଇ ଅଧିକାଂଶ ଛାତ୍ରଛାତ୍ରୀ ପାଣି ବୋତଲ ନେଇ କଲେଜକୁ ଯାଉଥିଲେ ହେଁ ପାଣି ସରିଗଲା ପରେ ପୁଣି ସେହି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ତେଣୁ, ଛାତ୍ରଛାତ୍ରୀଙ୍କ ପାନୀୟ ଜଳ ସମସ୍ୟାକୁ କଲେଜ କର୍ତ୍ତୃପକ୍ଷ ଅଣଦେଖା କରି ଆସୁଥିବା ବେଳେ ପରିଚାଳନା କମିଟି ଆଉ ହାତ ବାନ୍ଧି ନ ବସି ମାର୍ଚ୍ଚ ମାସ ତଥା ଗ୍ରୀଷ୍ମ ଋତୁର ଆଗମନ ପୂର୍ବରୁ ଏହାର ପ୍ରତିକାର ବ୍ଯବସ୍ଥା କରିବା ନିହାତି ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।