March 12, 2026

ଉଦ୍ଘାଟିତ ହେଲା କପ୍ତିପଦା ଉପଖଣ୍ଡ ସ୍ତରୀୟ ବାର୍ଷିକ ମହୋତ୍ସବ ଧୁମୁସା ୨୦୨୩

hihii
Share

 

କପ୍ତିପଦା ( ଦର୍ଶନ )ବହୁ ପ୍ରତିକ୍ଷିତ କପ୍ତିପଦା ଉପଖଣ୍ଡ ସ୍ତରୀୟ ବାର୍ଷିକ ମହୋତ୍ସବ ଧୁମୁସା ୨୦୨୩, ବୁଧବାର ଦିନ ଉଦଳା ସ୍ଥିତ ଆଦିବାସୀ ସମ୍ବଳ ବିକାଶ କେନ୍ଦ୍ର ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ମହୋତ୍ସବର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ବିନୀତ ଭରଦ୍ୱାଜ (ଭା.ପ୍ର.ସେ.) ଯୋଗଦାନ କରି ଏହି ତିନି ଦିନ ବ୍ୟାପି ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ବାର୍ଷିକ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ମହୋତ୍ସବ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହି ମହୋତ୍ସବରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ (ଭା. ପୋ.ସେ), ସ୍ୱତନ୍ତ୍ର ଅତିଥି ଭାବେ ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମୁଖ୍ୟ ବକ୍ତା ଭାବେ, ଉଦଳା ବିଜ୍ଞାପିତ ଅଂଚଳ ପରିଷଦ, ନଗରପାଳିକା ଶ୍ରୀମତୀ ପ୍ରମିଳା ପଣ୍ଡା ଯୋଗ ଦେଇଥିଲେ। ଏହି ସଭାରେ ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ (ଓ.ପ୍ର.ସେ., ବରିଷ୍ଠ) ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇ.ଟି.ଡ଼ି.ଏ, ପ୍ରକଳ୍ପ ପ୍ରଶାସକ ଶ୍ରୀ ନରେନ୍ଦ୍ର ଖମାରି (ଓ.ପ୍ର.ସେ.) ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାର୍ଥକ ରାୟ (ଓ.ପୋ.ସେ), ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସୁକାନ୍ତ ରଥ ଯୋଗ ଦେଇ ଏହି ମହୋତ୍ସବ ସଂଧ୍ୟାର ଶୋଭା ବର୍ଦ୍ଧିତ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ମହୋତ୍ସବର ଉଦ୍ଘାଟନୀ ହେବା ସହିତ ମହୋତ୍ସବର ସ୍ମରଣିକା ଉନ୍ମୋଚନ ହୋଇଥିଲା। ଏହି ମହୋତ୍ସବ ମାଧ୍ୟମରେ ଉପଖଣ୍ଡ ତଥା ଜିଲ୍ଲାର ଲୋକକଳା, ଭାସ୍କର୍ଯ୍ୟ ଏବଂ ସାହିତ୍ୟ ର ବିକାଶ ହେବା ସହିତ ଜନମାନସରେ ଆଦୃତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ। ପୂର୍ବ ନିର୍ଧାରିତ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦଳା ଟାଉନ କ୍ଲବ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଧୁମୁସା ମାଦଳର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜର ସ୍ଥାନୀୟ ଲୋକକଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ଧୁମୁସା ମାଦଳ ଶୋଭାଯାତ୍ରା ଅତି ପ୍ରଶଂସନୀୟ ଏବଂ ମନୋରଞ୍ଜକ ଯାହା ପ୍ରକୃତରେ ଏହି ମାଟିର କଳା ଓ ସଂସ୍କୃତିର ସୁନ୍ଦର ନିଦର୍ଶନ ବୋଲି ଉପଜିଲ୍ଲାପାଳ ଶ୍ରୀ ବାରିକ କହିଥିଲେ। ଏହି ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସ୍ୱରାଜ ବାରିକଙ୍କ କଳାତ୍ମକ ପରିବେଷଣ ସମସ୍ତ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିବା ବେଳେ ବିଭିନ୍ନ କଳାକାର ମାନେ ନିଜ ନିଜ କଳା ଦ୍ଵାରା ସମସ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିବା ସୂଚନା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।