ବିହାର ରାଜନୀତିରେ ରୋଚକ ଦୃଶ୍ୟ, ଏୟାରପୋର୍ଟକୁ ଛାଡିବାକୁ ଗଲେ, ପାଦ ଛୁଇଁ ମୁଣ୍ଡିଆ ମାରିଲେ…
ନୂଆଦିଲ୍ଲୀ : ଗୁରୁବାର ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏନଡିଏ ନିଜର ଶକ୍ତି ପ୍ରଦର୍ଶନ କରିଛି। ଶପଥ ଗ୍ରହଣ ଉତ୍ସବ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିବା ଏବେ ଏକ ଆଲୋଚନାର ବିଷୟ ପାଲଟିଛି।
ପିଏମ ମୋଦି ପାଟନା ବିମାନବନ୍ଦରକୁ ଫେରିବା ସମୟରେ ନୀତିଶ କୁମାର ବ୍ୟକ୍ତିଗତ ଭାବରେ ତାଙ୍କୁ ବିଦାୟ ଦେବାକୁ ଯାଇଥିଲେ, ଯେତେବେଳେ କି ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିଥିଲେ । ହେଲେ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ଅଟକାଇ ଦେଇଥିଲେ, ଯାହା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ରାଜନୈତିକ ଶିଷ୍ଟାଚାର ଉପରେ ମଧ୍ୟ ବିତର୍କ ଆରମ୍ଭ ହୋଇଛି ।
ନୂତନ ସରକାରଙ୍କ ୨୬ ଜଣ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ନେତାଙ୍କ ସହିତ ୧୦ ଜଣ ନୂତନ ମୁହଁ ସାମିଲ ଅଛନ୍ତି । ଜାତି ଏବଂ ଆଞ୍ଚଳିକ ସନ୍ତୁଳନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।
