ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ..
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ “ବିଶ୍ଵ ମତ୍ସ୍ୟ ଦିବସ-୨୦୨୪” ପାଳନ ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଶ୍ରୀମତୀ ଲିସା ବେହେରା ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଜଳ ସମ୍ପଦର ସୁରକ୍ଷା , ମତ୍ସ୍ୟ ଚାଷୀଙ୍କ ଆୟବୃଦ୍ଧି ଏବଂ ମତ୍ସ୍ୟ ଉତ୍ପାଦନ ସମ୍ପର୍କରେ ଉପସ୍ଥିତ ଚାଷୀ ଓ ଅନ୍ୟ ସଂପୃକ୍ତ ଅନୁଷ୍ଠାନ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାରେ ଛୋଟବଡ ଜଳାଶୟ ଥିବା ଯୋଗୁଁ ମାଛଚାଷ କରିବା ପାଇଁ ବହୁ ଉପଯୋଗୀ ରହିଛି । ମାଛ ଏକ ଅର୍ଥକାରୀ ତଥା ଲାଭଜନକ ଚାଷ ହୋଇଥିବା ଯୋଗୁଁ ସରକାର ଏଦିଗରେ ବିଭିନ୍ନ ସୁବିଧା ଓ ସହାୟତା ଦେଇ ଆସୁଛନ୍ତି । ଏଥିପାଇଁ ଗଜପତି ଜିଲ୍ଲାର ମାଛଚାଷୀ ମାନେ ଅଧିକରୁ ଅଧିକ ମାଛ ଚାଷ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ । ନିଜେ ମାଛଚାଷ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଆଦର୍ଶ ହୋଇ ମାଛ ଚାଷର ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହେବାକୁ ପ୍ରୋତ୍ସାହିତ କରିଥିଲେ । ମାଛ ଚାଷୀ ସେମାନଙ୍କ ଚାଷ ସମ୍ପର୍କିତ ସମସ୍ୟା ଜାଣିବା ପାଇଁ ହେଲ୍ପ ନମ୍ବର ୧୫୫୧ କୁ ଯୋଗାଯୋଗ କରି ଆବଶ୍ୟକ ଏବଂ ଅଧିକ ତଥ୍ୟ ଜାଣିବା ସହାୟତା ନେଇପାରିବେ । ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼ାଃ ତୁଷାର ରଞ୍ଜନ ସାହୁ-ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି , ଶ୍ରୀ ରାମ ପ୍ରାସାଦ ପାତ୍ର-ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଶ୍ରୀ ସୁରେଶ କୁମାର ପଟ୍ଟନାୟକ -ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜଳ ବିଭାଜିକା , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ଉପ ନିର୍ଦ୍ଦେଶକ- ଜିଲ୍ଲା ଉଦ୍ୟାନ ବିଭାଗ , ଶ୍ରୀ ମହେଶ୍ବର ମଣ୍ଡଳ-ଲିଡ ବ୍ୟାଙ୍କ ପରିଚାଳକ ଗଜପତି ଓ ଏସୋସିଏଟ ପ୍ରଫେସର ତଥା ଡିନ ଡ଼ଃ ସମ୍ବିତ ସ୍ୱାଇଁ-ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀ ତଥା ସବାଣି ମଣ୍ଡଳ, ନୂଆଗଡ ବ୍ଲକ୍, ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ରାୟଗଡ ବ୍ଲକ ଓ କୃଷ୍ଣ ଚନ୍ଦ୍ର ନାୟକ ଗୁମ୍ମା ବ୍ଲକ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ , ଚାଷୀ , ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ସହକାରୀ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
——————————————-