November 21, 2024

ଶ୍ରେଣୀ ଗୃହ ଅଭାବ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

Share

କୋଲନରା– ରାୟଗଡା ଜିଲ୍ଲା କୋଲନରା ବ୍ଲକ କାଟିକଣା ସଦର ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାରଣ୍ଡାରେ ବସି ପାଠ ପଢୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି | ବାରମ୍ବାର ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଥିଲେ ବି କେହିହେଲେ ସେମାନଙ୍କ କଥାକୁ କର୍ଣ୍ଣପାତ କରି ନଥିବା କୁହାଯାଇଛି | ସୂଚନା ଅନୁଯାୟୀ, କାଟିକଣା ବିଦ୍ୟାଳୟ ୧୯୭୦ ମସିହାରେ ସ୍ଥାପିତ ହୋଇ ଆଜକୁ ଦୀର୍ଘ ୫୪ ବର୍ଷର ଏହି ବିଦ୍ୟାଳୟରେ ଆଖି ଦୃଶିଆ ଭଳି ଉନ୍ନତି ଏ ପର୍ଯ୍ୟନ୍ତ ହୋଇପାରି ନାହିଁ | ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ଅତିରିକ୍ତ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଅଫିସ ରୁମରେ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଠ ପଢ଼ା ହେଉଥିବା ବେଳେ ଗୋଟିଏ ଶ୍ରେଣୀ ଗୃହରେ ପଞ୍ଚମ ଓ ଅନ୍ୟ ଏକ ଶ୍ରେଣୀ ଗୃହରେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନରତ | ଶ୍ରେଣୀ ଗୃହ ନ ଥିବା ଯୋଗୁଁ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ ବାରଣ୍ଡାରେ ବସି ନିଜ ନିଜ ଭବିଷ୍ୟତ ଗଠନ କରୁଥିବା ଦେଖିବାକୁ ମିଳିଛି | ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ଏମିତିକି ଗତ ବର୍ଷ କାଟିକଣା ପଞ୍ଚାୟତରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ପ୍ରଧାନ ଶିକ୍ଷକ ମିନାରାଓ ଉଲାକା ତତ୍କାଳୀନ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ଅତିରିକ୍ତ ଶ୍ରେଣୀ ଗୃହ ହୋଇପାରି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି | ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ସହ ଖାସ୍ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ବିଭିନ୍ନ ପ୍ରକାର ଯୋଜନା କରୁଥିଲେ ବି ଦୁର୍ଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ଏଥିରୁ ବାରିପଡୁଛି | କେବଳ ସେତିକି ନୁହେଁ ଉକ୍ତ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଇଂରାଜୀରେ କିଛି ଶବ୍ଦ ପଚାରିଲେ କହିପାରୁ ନାହାନ୍ତି | ନିଜ ନାମ, ନିଜ ବିଦ୍ୟାଳୟର ନାମ, ନିଜ ମାତୃ ଭାଷା, ଆମ ରାଜ୍ୟ, ଆମ ବ୍ଲକ କଣ ବୋଲି ଇଂରାଜୀରେ ପଚାରିଲେ କହିପାରୁ ନାହାନ୍ତି | ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଦୁଇଜଣ ସହକାରୀ ଶିକ୍ଷକ ଓ ଦୁଇଜଣ ଶିକ୍ଷୟିତ୍ରୀ ରହିଛନ୍ତି | କିନ୍ତୁ ଗୁଣାତ୍ମକ ଶିକ୍ଷା ପିଲାଙ୍କୁ ଦିଆଯାଉ ନ ଥିବା ଭଳି ପରିଲକ୍ଷିତ ହୋଇଛି | ମୋଟାମୋଟି କହିବାକୁ ଗଲେ ଉକ୍ତ ବିଦ୍ୟାଳୟର ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ଆବଶ୍ୟକ ବୋଲି ଅଭିଭାବକ ମାନେ କହିଛନ୍ତି | ଦୀର୍ଘ ବର୍ଷର ଦାବି ପରେ ଉକ୍ତ ବିଦ୍ୟାଳୟରେ ଗୋଟିଏ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଛି | ବିଦ୍ୟାଳୟର ଅଫିସ ରୁମ୍ ପଛ ପଟେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଗାତ ମଧ୍ୟ ଖୋଳା ଯାଇଛି | କିନ୍ତୁ ଗାତ ଖୋଳିବାର ଦୀର୍ଘ ୬ ମାସ ବିତି ଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ପ୍ରଧାନ ଶିକ୍ଷକ ମିନାରାଓ ଉଲାକା କହିଛନ୍ତି | ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଉକ୍ତ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ସହ ବିଦ୍ୟାଳୟର ଉନ୍ନତି ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଅଭିଭାବକ ମାନେ ଦାବି କରିଛନ୍ତି |

ରିପୋର୍ଟ କୋଲନରା ରୁ ସଞ୍ଜୀବ କଣ୍ଡାଗରୀ