June 29, 2024

ରାଜ୍ୟରେ ଚାଲିଥିବା ସରପଞ୍ଚମାନଙ୍କ ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସମର୍ଥନ, ସରକାରଙ୍କ ହସ୍ତକ୍ଷେପ ଦାବି

Share

ରାଜ୍ୟରେ ଚାଲିଥିବା ସରପଞ୍ଚମାନଙ୍କ ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସମର୍ଥନ, ସରକାରଙ୍କ ହସ୍ତକ୍ଷେପ ଦାବି

ବ୍ରହ୍ମପୁର, 21/9 : ସାରା ରାଜ୍ୟରେ ଚାଲିଥିବା ସରପଞ୍ଚ ସଂଗଠନର ଆନ୍ଦୋଳନକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ସମର୍ଥନ ଜଣାଇ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସରପଞ୍ଚମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ।
ନବୀନ ପଟ୍ଟନାୟକ ମଧ୍ୟ କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ବର୍ତମାନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ 50ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଠୀର ବ୍ୟବସ୍ଥା, ଦରମା 20 ହଜାର କରାଯାଉ, ୱାର୍ଡ ମେମ୍ୱରମାନଙ୍କୁ 5 ହଜାର ଦରମା ପ୍ରଦାନ କରାଯାଉ, ପିଅନ ଓ ରାତ୍ର ଜଗୁଆଳିଙ୍କ ଦରମା ବ୍ୟବସ୍ଥା କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠୀ 10ଲକ୍ଷ ଟଙ୍କା ଓ 5ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।
ଶ୍ରୀ ରଥ କହିଛନ୍ତି ଗଣତନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚମାନେ ହେଉଛନ୍ତି ମୂଳ ପିଢ଼ି । ଏମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଅଙ୍କୁଶ ଥିବାରୁ ସରପଞ୍ଚମାନେ କୌଣସି କାମ କରି ପାରୁନାହାନ୍ତି । ପଞ୍ଚାୟତିରାଜକୁ କ୍ଷମତା ପ୍ରଦାନ ପାଇଁ ଯେଉଁ ସାମ୍ୱିଧାନିକ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ସରପଞ୍ଚଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି । ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ସେ ଦାବି କରିଛନ୍ତି ।

(ରବି ରଥ)
ସଭାପତି
ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା