ବଜ୍ରକାପ୍ତା ବିକ୍ରି ପାଇଁ ରଖିଥିବା ବେଳେ ବନ ବିଭାଗର ଚଢାଉ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୁଗୁଡ଼ା : ତା ୨୧/୦୭/୨୬ : ବଜ୍ରକାପ୍ତା ବିକ୍ରି କରିବା ପାଇଁ ଗ୍ରାହକ ଯୋଗାଡ଼ କରୁଥିବା ଖବର ପାଇ ବନ ବିଭାଗ ଟିମ ଚଡାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ବିକ୍ରି ଉଦେଶ୍ୟରେ ରଖିଥିବା ସନ୍ତୋଷ ଗୌଡ଼(୩୨)କୁ ଗିରଫ କରିଛି l ଗତକାଲି ବେଲଗୁଣ୍ଠା ଥାନା ଅନ୍ତର୍ଗତ କିରାପଲ୍ଲୀ ଗ୍ରାମରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ନେତୃତ୍ୱରେ ବାଲିପଦର ବନପାଳ ଅଭିରାମ ଖିଲ , ମାଣିତରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକ , ବୁଗୁଡ଼ା ବନପାଳ ସୁଧୀର କୁମାର ପଟ୍ଟନାୟକ ଚଢ଼ାଉ କରି ସନ୍ତୋଷଙ୍କ ଘର ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ l ଉକ୍ତ ମାଈ ବଜ୍ରକାପ୍ତାର ଓଜନ ୭ କେଜି ୧୦୦ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୩୫ ଲକ୍ଷ ଟଙ୍କା ହେବ ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ ମତବ୍ୟକ୍ତ କରିଛନ୍ତି l ଗତକାଲି କିରାପଲ୍ଲୀ ଗାଁ ପାଖ ରଙ୍କି ଘାଇ ନିକଟରୁ ବଜ୍ରକାପ୍ତାଟିକୁ ସନ୍ତୋଷ ଧରିଥିବା କହିଛି। ତେବେ ବୁଗୁଡ଼ା ରେଞ୍ଜ କାର୍ଯ୍ୟାଳୟରେ ଏସିଏଫ ପ୍ରଶାନ୍ତ କୁମାର ସାହୁ ଓ ପ୍ରଦୀପ ବେହେରା ପହଞ୍ଚି ଅଭିଯୁକ୍ତ ସନ୍ତୋଷକୁ ପଚାରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି l ଏ ନେଇ କେସ ନଂ – ଓଆର ୧୦୦/୨୬-୨୭ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ଆଇନ ଦଫା ୯, ୩୯, ୪୪, ୪୯, ୪୯ଏ, ୪୯ବି, ୫୨ ପ୍ରକାରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l
