April 25, 2026

ଶ୍ରାବଣରେ ପରିବା ଦର ଆକାଶଛୁଆଁ, ଗରୀବଙ୍କ ପାଇଁ କଞ୍ଚା ଲଙ୍କା ସ୍ୱପ୍ନ।

IMG-20250721-WA0004
Share

ବୋଲଗଡ଼, ୨୧/୦୭(ଉପାନ୍ତ ଖବର) : ସାଧାରଣ ଗରିବ ଲୋକଟିଏ ଭାତ ସହ ଲୁଣ ଲଙ୍କା ଖାଇ ଜୀବନ କାଟୁଥିବା ବେଳେ ଶ୍ରାବଣ ମାସରେ ପନିପରିବା ଦର ଆକାଶ ଛୁଆଁ ଯୋଗୁଁ କଞ୍ଚାଲଙ୍କାଟିଏ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ିଛି।ଗରୀବ ଲୋକଙ୍କୁ ଚାଉଳ ମାଗଣାରେ ମିଳୁଥିବା ବେଳେ ଅଧିକ ଦର ଯୋଗୁଁ ପରିବା ରୋଷେଇ ଶାଳରୁ ଉଭାନ ହୋଇଯାଇଛି।ଯାହା ଫଳରେ ଅନେକଙ୍କୁ ସବୁଜ ପନି ପରିବା ତରକାରୀ ଚିନ୍ତା ଘାରୁଛି।କହିବାକୁ ଗଲେ ବର୍ତ୍ତମାନ ଆମିଷ ଦର କମ ଥିବା ବେଳେ ପରିବା ଦର ବୃଦ୍ଧି ପାଇଛି। ଶ୍ରାବଣ ମାସକ ପାଇଁ ଅଧିକାଂଶ ଲୋକ ଆମିଷ ଖାଦ୍ୟ ବର୍ଜନ କରୁଥିବା ବେଳେ ପରିବା ଦର ଆମିଷଠାରୁ ବଳି ଯାଇଛି। ଆଳୁ ଓ ପିଆଜକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପନିପରିବାର ଏଭଳି ଆକାଶଛୁଆଁ ଦରକୁ ନେଇ ସାଧାରଣ ଉପଭୋକ୍ତା ଚିନ୍ତାରେ ପଡ଼ିଛନ୍ତି। ବୋଲଗଡ଼,ରାଜସୁନାଖଳା,କଳାପଥର,ରଣପୁର ବଜାରରେ ଛୋଟ ଦେଶୀ କାଙ୍କଡ଼ କିଲୋ ୩ ଶହ ଟଙ୍କା ହୋଇଥିବାବେଳେ କଞ୍ଚାଲଙ୍କା କିଲୋ୨୦୦ ରୁ ୨୫୦ ଟଙ୍କା ରହିଛି। ସେହିପରି ବିନିସ୍ କିଲୋ ୧୨୦ ଟଙ୍କା, କଲରା ୬୦ ଟଙ୍କା, ସାରୁ ୭୦ ଟଙ୍କା, ବଡ କାଙ୍କଡ କିଲୋ ଶହେ ଟଙ୍କା, ବାଇଗଣ ୭୦ ରୁ ୮୦ଟଙ୍କା, କୁନ୍ଦୁରୁ ୬୦ ଟଙ୍କା, ପୋଟଳ ୬୦ ଟଙ୍କା, ସଜନା ଛୁଇଁ କିଲୋ ଶହେ ଟଙ୍କା, ପାଳ ଛତୁ ୩୨୦ ଟଙ୍କାରେ ବିକ୍ରି ହେଉଛି। ଏବେ ବଜାରରେ ଉପଲବ୍ଧ ହେଉଥିବା ଦେଶୀ ପଟୋଳ ଓ ଜହ୍ନି କିଲୋ ମଧ୍ୟ ୬୦ ଟଙ୍କାରୁ ତଳକୁ ଖସୁନି। ପରିବା ବଜାରରେ ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁ ନଥିବା କହିଛନ୍ତି ଗ୍ରାହକ। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ପନିପରିବା ଠିକ୍ ଭାବରେ ବାହାରି ପାରୁନାହିଁ ବୋଲି କହିଛନ୍ତି ପରିବା ଚାଷୀ ମାନେ। ଏପଟେ ଚାଷୀଙ୍କ ଠାରୁ ପରିବା କମ୍ ଟଙ୍କାରେ ଆଣି ମଧ୍ୟସ୍ଥି ମାନେ ଏହାକୁ ପରିବା ମଣ୍ଡିରେ ଉଚ୍ଚ ଦରରେ ବିକ୍ରି କରୁଥିବାରୁ ପରିବା ବ୍ୟବସାୟୀ ବାଧ୍ୟ ହୋଇ ଅଧିକ ଦରରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି ବୋଲି ପରିବା ବ୍ୟବସାୟୀ ମାନେ କହିଛନ୍ତି। ଗରିବ ଠାରୁ ଧନି ଏବଂ ସରକାରୀ ଚାକିରିଆ ଆରମ୍ଭ କରି ପେନସନ୍ ଭୋଗିଙ୍କ ଯାଏଁ ସମସ୍ତ ଙ୍କୁ ବର୍ତ୍ତମାନର ବଜାର ଦର ବାଧୁଛି। ବିଶେଷ କରି ଦରଦାମ ବୃଦ୍ଧି ପାଇଁ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ଜୀବନଶୈଳୀ ଉପରେ ପ୍ରଭାବିତ ହୋଇଛି। ମୋଟାମୋଟି କହିବାକୁ ଗଲେ ଶ୍ରାବଣ ମାସପାଇଁ ଆମିଷ ଉପରୁ ମୁହଁ ଫେରାଇ ନିରାମିଷ ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପନିପରିବା ଅହେତୁକ ମୂଲ୍ୟ ବୃଦ୍ଧି ସମସ୍ତଙ୍କୁ ବାଧୁଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed