ବୁଗୁଡ଼ା ବ୍ଲକର ବିଚିତ୍ର ମନରେଗା ଯୋଜନା , ପୋଖରୀ ନାଁ ବଦଳାଇ ଚାଲିଛି ହରିଲୁଟ ,କାମ ବନ୍ଦ ହେଲେ ବି ଚାଲିଛି ମଷ୍ଟର ରୋଲ
ବୁଗୁଡ଼ା ବ୍ଲକର ବିଚିତ୍ର ମନରେଗା ଯୋଜନା , ପୋଖରୀ ନାଁ ବଦଳାଇ ଚାଲିଛି ହରିଲୁଟ ,କାମ ବନ୍ଦ ହେଲେ ବି ଚାଲିଛି ମଷ୍ଟର ରୋଲ
ବୁଗୁଡ଼ା : ତା ୨୧/୦୬/୨୩ : ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି l ତେବେ ଏହି ଯୋଜନାରେ କେଉଁଠି ମେସିନ ଲଗାଇ କାମ କରାଯାଇ କେବଳ କାଗଜ କଲମରେ ଶ୍ରମିକ ନିଯୁକ୍ତି ହେଉଥିବା ବେଳେ କେଉଁଠି କିଛି କାମ ନକରି କେବଳ ମଷ୍ଟର ରୋଲ ପ୍ରସ୍ତୁତି କରି ଲକ୍ଷାଧିକ ଟଙ୍କା ହରିଲୁଟ ହେଉଛି l ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ଦଶୀପୁର ଗ୍ରାମରେ l ଗ୍ରାମର ଜେନା ସାହି ବନ୍ଧ ପୁନଃ ଉଦ୍ଧାର ପାଇଁ ଆର୍ଥିକ ବର୍ଷ -୨୦୨୨-୨୩ରେ ୫ ଲକ୍ଷ ଟଙ୍କା ଅଟକଳ କରାଯାଇଛି l ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ପୋଖରୀକୁ ଦଶୀପୁର ବନ୍ଧ ନାମରେ ଦର୍ଶାଯାଇ ଗାର୍ଡ ୱାଲ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିଲ ହୋଇଥିଲା । ପୁଣି ଚଳିତ ବର୍ଷ ଏହି ପୋଖରୀର ନାମ ପରିବର୍ତ୍ତନ କରି ଦଶିପୁର ଜେନା ସାହି ବନ୍ଧ ଭାବେ ନାମ କରଣ କରି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ତେବେ କିଛି ଦିନ ତଳେ ଗାର୍ଡ ୱାଲ ବାହାରେ ମେସିନ ଲଗାଇ କିଛି ମାଟି ଖୋଳା ହେଲା ଏବଂ ଭୂତ ଶ୍ରମିକ ନିୟୋଜିତ କରି ମଷ୍ଟର ରୋଲ ପ୍ରସ୍ତୁତି ଆରମ୍ଭ ହେଲା । ଏ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ କାମ ବନ୍ଦ ହୋଇଗଲା ସିନା ପ୍ରତ୍ୟେକ ଦିନ ଭୁତ ଶ୍ରମିକ ଲଗାଇ ମଷ୍ଟର ରୋଲ ପ୍ରସ୍ତୁତି ଚାଲିଛି ଏବଂ କିଛି କାମ ନ କରି ଦଶୀପୁର ଜେନା ସାହି ପୋଖରୀ ପଙ୍କ ଉଦ୍ଧାର ନାମରେ ମିଥ୍ୟା ବିଲମଧ୍ୟ ପ୍ରସ୍ତୁତ ହୋଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମିଥ୍ୟା ମଷ୍ଟର ରୋଲ ମାଧ୍ୟମରେ ସମୁଦାୟ ୨୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଦର୍ଶାଯାଇ ୨ ଲକ୍ଷ ୨୫ ହଜାର ୮୬୧ ଟଙ୍କା ପ୍ରଦାନ କରାଯାଇ ୧୦୬୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ମନରେଗା ୱେବ ସାଇଟରୁ ଗ୍ରାମବାସୀ ଦେଖିବା ପରେ ତାଜୁବ ହୋଇଯାଇଛନ୍ତି l ଗୋଟିଏ ପଟେ କାମ ବନ୍ଦ ଥିବା ବେଳେ କୌଣସି ସୂଚନା ଫଳକ ନ ଲଗାଇ କେବଳ କାଗଜ ପତ୍ରରେ କାମ ଚାଲିଥିବା ଦର୍ଶାଇ ହରିଲୁଟ ଯୋଜନା ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l