May 21, 2025

ସଚିବଙ୍କ କ୍ଷମତାରେ ଚୋଟ, ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚାରେ ପରିବର୍ତ୍ତନ..

Share

 

ଆଉ ଚାଲିବନି ବାବୁରାଜ । ବିଭାଗୀୟ ସଚିବଙ୍କ ଉପରେ ଲାଗିଲା ଅଂକୁଶ । ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ ।

 

 

 

କ୍ୟାବିନେଟରେ ଆଉ ଚାଲିବନି ବାବୁରାଜ । ବିଭାଗୀୟ ସଚିବଙ୍କ ଉପରେ ଲାଗିଲା ଅଂକୁଶ । ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

 

 

ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସହ ସଚିବ ବି ବସୁଥିଲେ । ଆଉ କ୍ୟାବିନେଟ୍ ପ୍ରସ୍ତାବ ସଂକ୍ରାନ୍ତରେ ହେଉଥିଲା ଆଲୋଚନା । ଅଳ୍ପ ସମୟ ଭିତରେ ସରୁଥିଲା କ୍ୟାବିନେଟ ବୈଠକ । ତାପରେ ସଚିବ କିମ୍ବା ମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ଏଥିରେ ସଚିବ ସର୍ବେସର୍ବା ବୋଲି ବିଜେପି ବାରମ୍ବାର ଅଭିଯୋଗ ଆଣିଥିଲା ।

 

ମୋହନଙ୍କ କ୍ୟାବିନେଟର ଦୃଶ୍ୟପଟ ଅଲଗା ରହିଛି । ସବୁ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବସିଛନ୍ତି ମୁଖ୍ୟ ଶାସନ ସଚିବ । ହେଲେ ନାହାନ୍ତି କେହି ବିଭାଗୀୟ ସଚିବ । ଆବଶ୍ୟକ ପଡ଼ିବା ପରେ ଉଚ୍ଚଶିକ୍ଷା ସଚିବ ଆସି ବୈଠକରେ ସାମିଲ ହୋଇଥିଲେ । ଆଉ ଦୀର୍ଘ ସମୟ ଧରି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ସରକାର ଅମଳରେ ଚାଲିଥିବା ବାବୁରାଜ ଯୁଗ ଶେଷ ହୋଇଛି । ମୋହନ ସରକାରରେ ମନ୍ତ୍ରୀ ହିଁ ସର୍ବେସର୍ବା ବୋଲି ସ୍ପଷ୍ଟ କରିଦିଆଯାଇଛି ।

 

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ । ନିର୍ଦ୍ଦେଶାନାମା ଅନୁସାରେ,

 

୫ ଦିନ ପୂର୍ବରୁ କ୍ୟାବିନେଟ୍ ବସିବାର ତାରିଖ ଧାର୍ଯ୍ୟ ହେବ

୩ ଦିନ ପୂର୍ବରୁ କ୍ୟାବିନେଟର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ

୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବର ପୂରା ଫାଇଲ

ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବ ନାହିଁ

ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସିପାରିବେ ନାହିଁ

ପ୍ରସ୍ତାବଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି । ମେ ୮ ତାରିଖର ଏହି ନିର୍ଦ୍ଦେଶନାମା ଆଧାରରେ ୧୪ ତାରିଖ ଦିନ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ ।

 

ବିଜେଡି ସରକାର ସମୟରେ କ୍ୟାବିନେଟ ଏଜେଣ୍ଡା ମନ୍ତ୍ରୀମାନଙ୍କ ପାଖକୁ ଯାଉନଥିବାର ଅଭିଯୋଗ କରୁଥିଲେ ବିରୋଧୀ । ପୂର୍ବ ସରକାରରେ ମନ୍ତ୍ରୀ କହୁଥିଲେ, କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସଚିବଙ୍କୁ ପଚାର । ଏହି ଧାରାକୁ ବଦଳାଇଦେଇଛନ୍ତି ମୋହନ ସରକାର