ପିପୁଲ୍ସ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ବୁଗୁଡ଼ା : ତା ୨୦/୦୩/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରସ୍ଥ ସମ୍ମିଳନୀ କକ୍ଷରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ ଦ୍ବୟ “ରୋଲ୍ ଅଫ୍ ଆନ୍ସିଏଣ୍ଟ୍ ସିଭିଲାଇଜେସନ୍ ଇନ୍ ପ୍ଲାଣ୍ଟ୍ ସାଇନ୍ସ” ଏବଂ “ଏଣ୍ଡୋସ୍ପର୍ମ ଏ ବିଲ୍ଡିଂ ବ୍ଲକ୍ ଅଫ୍ ହିଉମାନ୍ ବଡି” ଉପରେ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଆଇକ୍ୟୁଏସି ସହବନ୍ଧିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ରଜନୀ କାନ୍ତ ଦାଶ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ନାକ୍ ମେଣ୍ଟର ଭାବେ ଗଜପତି ଜିଲ୍ଲା ଚାନ୍ଦିପୁଟ କଲେଜ ପ୍ରିନ୍ସିପାଲ ପୂର୍ଣଚନ୍ଦ୍ର ତ୍ରିପାଠୀ , ସମ୍ମାନିତ ଅତିଥି ଭାବେ କୋଦଳା ଡିଗ୍ରୀ କଲେଜ ଅଧ୍ଯାପକ ବିଷ୍ଣୁ ନାରାୟଣ ସେଠୀ , ସାଧନ କର୍ମୀ ଭାବେ କନ୍ଧମାଳ ଜିଲ୍ଲା ଟିକାବାଲି କଲେଜ ଅଧ୍ଯାପକ ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗ ଦେଇ ପାଠଚକ୍ରର ଉଭୟ ଶୀର୍ଷକର ସାରଗର୍ଭକ ବିଷୟବସ୍ତୁ ସମ୍ପର୍କେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସେମିନାର କୋ-ଅଡିନେଟର ଅଧ୍ଯାପିକା ଅନୀତା ଦେବୀ ସ୍ବାଗତ ସମ୍ଭାଷଣ ଏବଂ ସେମିନାର କନଭରନର୍ ତଥା ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏ ଅବସରରେ ପୃଥକ୍ ଶୀର୍ଷକ ସମ୍ବଳିତ ଦୁଇଟି ସନ୍ଦର୍ଭ ପୁସ୍ତିକା ଉନ୍ମୋଚନ କରାଯାଇଥିବା ବେଳେ ଦୁଇ ଛାତ୍ରୀ ମୋନାଲିସା ସାହୁ ଓ ପ୍ରଯୁକ୍ତା ନାୟକ ସନ୍ଦର୍ଭ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏଥି ସହ ପିପୁଲ୍ସ କଲେଜର ଆଇକ୍ୟୁଏସି ସହ-ସଂଯୋଜକ ଅଧ୍ଯାପକ ଆତ୍ମ ପ୍ରକାଶ ନାୟକ ଓ ସଦସ୍ୟ ଅଧ୍ଯାପକ ପ୍ରଭଞ୍ଜନ ମୁନି ପ୍ରମୁଖ ଆଲୋଚ୍ୟ ବିଷୟବସ୍ତୁ ଉପରେ ସ୍ବ ସ୍ବ ଦୃଷ୍ଟିଭଙ୍ଗୀକୁ ବ୍ଯକ୍ତ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ସନ୍ଦର୍ଭ ପାଠିକା ଦ୍ବୟ ଏବଂ ମଞ୍ଚାସୀନ ସମ୍ମାନିତ ବ୍ଯକ୍ତିଗଣଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଭାଗୀୟ ଅଧ୍ଯାପକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।