ରଣଭୂମି କୁଦୋପାଲିରେ ମଶାଲ ଶୋଭାଯାତ୍ରା

ସମ୍ବଲପୁର,୨୦/୧୨ (): ଡିସେମ୍ବର ୧୮୫୭ମସିହାରେ କୁଦୋପାଲିର ରଣଭୂମିରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଗୌରବମୟ ଅଧ୍ୟାୟର ସାକ୍ଷୀ ହୋଇଥିଲା। ଏଠାରେ ଇଂରେଜ ଶାସନ ବିରୋଧରେ ପ୍ରଥମ ସମ୍ମୁଖ ଯୁଦ୍ଧ ହୋଇଥିଲା।ଯେଉଁଠାରେ ଇଂରେଜ ବାହିନୀ ପ୍ରତିରୋଧର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲେ।
ଏହି ଐତିହାସିକ ଯୁଦ୍ଧରେ ବୀର ଛବିଳ ସାଏଙ୍କର ପ୍ରଖର ରଣନୀତି, ଦୃଢ଼ ନେତୃତ୍ବ ଓ ସାହସିକ ପରିକଳ୍ପନା ଫଳରେ ସ୍ବାଧୀନତା ସଂଗ୍ରାମୀମାନେ ବିଜୟ ଲାଭ କରିଥିଲେ। ତଥାପି, ଏହି ପ୍ରଥମ ସମ୍ମୁଖ ଯୁଦ୍ଧରେ ଚାରିଜଣ ବୀର ସଂଗ୍ରାମୀ ବୀରଗତି ପ୍ରାପ୍ତ କରିଥିଲେ। ପ୍ରଥମ ଯୁଦ୍ଧର ବିଜୟ ଅବସରରେ ବିଜୟ ଉତ୍ସବ ପାଳନ ସହ ୪ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକତ୍ରିତ ହୋଇଥିଲେ ସ୍ଥାନୀୟ ବାସିନ୍ଦା।ଏହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ମହିଳା ଓ ଯୁବକମାନେ ଜାତୀୟ ପତାକା ଓ ମଶାଲ ଧରି ପଦଯାତ୍ରାରେ ବାହାରି ଥିଲେ । ଚାରିଦିଗରୁ ମଶାଲ ଧରି ଘାଟିକୁ ଆସୁଥିବା ଦୃଶ୍ୟ ଅତ୍ୟନ୍ତ ସ୍ମରଣୀୟ, ଭାବବିହ୍ବଳ ଓ ପ୍ରେରଣାଦାୟକ ଥିଲା |ଯାହାକି କୁଦୋପାଲିକୁ ଏକ ଜାତୀୟ ସହିଦ ସ୍ମୃତି ଭାବରେ ସ୍ଥାପିତ କରିବାର ଆବଶ୍ୟକତାକୁ ଆହୁରି ସ୍ପଷ୍ଟ କରିଥିଲା। ବୀର ଛବିଳ ସାଏ ସ୍ମୃତି କମିଟିର ଉପସଭାପତି ଲକ୍ଷ୍ମଣ ଦେହୁରୀ, କୋଷାଧ୍ୟକ୍ଷ ସାନୁର୍ଯ୍ୟ ତନସନା, ସାଧାରଣ ସଂପାଦକ ଜୟବ୍ରତ ଦେ’, ସଂପାଦକ କିଶୋର ମହାକୁର, ପ୍ରଦୀପ ସୂପକାର, ଗୋବିନ୍ଦ ଅଗ୍ରୱାଲ, ସରିତା ଦେ, ଭରତ ସାହୁ, ଚନ୍ଦନ ସାହାଣୀ,ସୁଦାମ ବାଗ, ଗଣେଶ ମିର୍ଦ୍ଧା, ବିଜୟ ମିର୍ଦ୍ଧା, ଶୈଳେନ୍ଦ୍ର ପୁରୋହିତ, ଅଜୟ ବଡ଼ଗୟାଁ, ପ୍ରଫୁଲ୍ଲ ସେଠ, ତରଣୀ ସେଠ, ବିଜୟ ସେଠ ପ୍ରମୁଖ ବୀର ସହିଦଙ୍କ ଜୟଗାନ କରିଥିଲେ।
