ଖୋର୍ଦ୍ଧା ପୌରାଞ୍ଚଳ ରେ ଉତ୍କଟ ରୂପ ଧାରଣ କରିଛି ଡ୍ରେନେଜ ସମସ୍ୟା
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) -ପୌରାଞ୍ଚଳ ମଧ୍ୟରେ ଜଳ ନିଷ୍କାସନ ନିମନ୍ତେ ନିର୍ମାଣ କରାଯାଇଥିବା ଡ୍ରେନେଜ ଗୁଡିକ ନିୟମିତ ଭାବରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସଫା କରା ଯାଉନଥିବାରୁ ଅଳିଆ, ଆବର୍ଜନା ଗୁଡିକ ଦ୍ୱାରା ପୋତି ହୋଇପଡିଛି l ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତା ରେ ପ୍ରବାହିତ ହେବା ଦ୍ୱାରା ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡୁଛି l ଏପରିକି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନେଜ ଗୁଡିକ କଥା ନକହିଲେ ଭଲ l ସହର ମଧ୍ୟରେ ଥିବା ଅଧିକାଂଶ ଡ୍ରେନେଜ ଗୁଡିକ ଅସମ୍ପୂର୍ଣ ହୋଇ ପଡି ରହିଥିବା ବେଳେ ଜଳ ନିଷ୍କାସନ ରେ ସମସ୍ୟା ଉପୁଜିଛି l ପଲ୍ଲା ହନୁମାନ ମନ୍ଦିର ଆଡୁ ଆସିଥିବା ଡ୍ରେନେଜ ଟିକୁ ଅସମ୍ପୂର୍ଣ ଭାବରେ କଣ୍ଟା ଛକ ଠାରେ ଛାଡି ଦିଆଯାଇଛି, ଫଳରେ ବର୍ଷା ଜଳ ସେହିବାଟ ଦେଇ ଲୋକେଶ୍ୱର ମନ୍ଦିର ସମ୍ମୁଖ ରାସ୍ତା ରେ ପ୍ରବାହିତ ହେବା ଦ୍ୱାରା ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରୁଛି l ଏ ସମ୍ପର୍କ ରେ ସ୍ଥାନୀୟ ଜନ ସାଧାରଣ ଖୋର୍ଦ୍ଧା ପୌରପରିଷଦ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିପାରି ନାହିଁ l ଏ ସମ୍ପର୍କ ରେ ଖୋର୍ଦ୍ଧା ଜ଼ିଲ୍ଲାପାଳ ବିଶେଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
