ବୁଗୁଡ଼ା ଅଞ୍ଚଳରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳିତ

ବୁଗୁଡ଼ା ଅଞ୍ଚଳରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳିତ
ବୁଗୁଡା: ତା ୨୦/୦୬/୨୩ : ଚଳିତ ବର୍ଷ ବୁଗୁଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ଅପରାହ୍ନରେ ପୁରୋହିତ ରାମାନୁଜ ମହାପାତ୍ରଙ୍କ ଦ୍ବାରା ରଥ ପ୍ରତିଷ୍ଠା କାର୍ଯ୍ୟ ସଂପାଦନ ହୋଇଥିଲା । ତା’ପରେ ମନ୍ଦିର ପୂଜକମାନେ ବାଦ୍ୟ ବାଜଣା ସହ ମହନ୍ତ ଭକ୍ତରାମ ଦାସଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ। ତା’ ପରେ ବଳଦେବ, ସୁଭଦ୍ରା, ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ ମାଧ୍ୟମରେ ସେମାନଙ୍କୁ
ରଥାରୁଢ କରାଯାଇଥିଲା । ରଥ ଉପରେ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ,ଆଳତି କରାଯିବା ସହ ମହନ୍ତଙ୍କ ଦ୍ବାରା ଛେରା ପହଁରା କାର୍ଯ୍ୟ ହୋଇଥିଲା । ଏହାପରେ ଭକ୍ତମାନେ ଉତ୍ସାହର ସହ ହରିବୋଲ ହୁଳହୁଳି ପକାଇ ଠାକୁରଙ୍କ ରଥ ଟାଣି ମାଉସୀ ମାଆ ମନ୍ଦିର ନିକଟରେ ପହଞ୍ଚାଇଥିଲେ । ମନ୍ଦିର ପରିଚାଳନା କମିଟିର ସଂପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ , ମନ୍ଦିରର ପୂଜକ ଗୋଷ୍ଠୀ ଏବଂ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ରଥଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୂତୟନ ହୋଇଥିଲେ। ସେହିପରି ବୁଗୁଡ଼ା ବ୍ଲକର ଗୋଲିଆ , କାଦପଡା , କତକଲା , ବୀରଧନଞ୍ଜୟପୁର , ହରିଶରଣପୁର , ଆଦିପୁର , ଅନ୍ତରପଡା , ସଦାଶିବପୁର ଆଦି ଗ୍ରାମରେ ମଧ୍ୟ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।