March 11, 2026

୨୪ତମ କାଦ୍ରାବାଦ୍ ବସନ୍ତ ଉତ୍ସବ ଉଦଯାପିତ: ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ 

IMG-20250520-WA0065
Share

ବାଲେଶ୍ୱର : ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା କାଦ୍ରାବାଦ୍ ୨୪ ତମ ବସନ୍ତ ଉତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବାଲେଶ୍ଵର ର ପୂର୍ବତନ ବିଧାୟକ ସ୍ୱରୂପ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଦ୍ରାବାଦ୍ ଅଞ୍ଚଳବାସୀ ଙ୍କ ପ୍ରଚେଷ୍ଟାରେ ସର୍ବପ୍ରଥମେ କାଉନସିଲର ଏବଂ ପରେ ବିଧାୟକ ହୋଇଥିବାରୁ ସେମାନଙ୍କ ନିକଟରେ ଚିର ଋଣୀ ବୋଲି ସେ କହିଥିଲେ। କଳା, ସାହିତ୍ୟ ଏବଂ ସଂସ୍କୃତିକୁ ଭୁଲିଗଲେ ନିଜର ପରିଚୟ କୁ ଭୁଲିଯିବା ସହ ସମାନ ବୋଲି ଏହି ଅବସରରେ ଶ୍ରୀ ଦାସ ଉଲ୍ଳେଖ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ସମୟରେ କଳା, ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଥିବା ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ଯେଉଁ ଅଞ୍ଚଳର ଯୁବକ ବନ୍ଧୁ ଯେତେ ସକ୍ରିୟ ସେ ଅଞ୍ଚଳର ସେତେ ଉନ୍ନତି ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ପୋୖରାଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠି, ପାଞ୍ଚ ନମ୍ବର ୱାର୍ଡ କାଉନସିଲର ମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଲଗାତାର ୨୪ ବର୍ଷ ଧରି ଏତେ ବଡ଼ ଉତ୍ସବ ସଫଳତାର ସହ ପାଳନ କରାଯିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଥିପାଇଁ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ସାଧୁବାଦ ର ପାତ୍ର। ଆସନ୍ତା ବର୍ଷ ରୋପ୍ୟ ଜୟନ୍ତୀ ଅନୁଷ୍ଠିତ ହେବାକୁ ଯାଉଛି, ସେଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ। ଆମର ପରମ୍ପରା ଏବଂ ସଂସ୍କୃତି କୁ ବଞ୍ଚାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ନିହାତି ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ସମ୍ମାନିତ ଅତିଥି କାଉନସିଲର ଶ୍ରୀମତୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ। ବସନ୍ତ ଉତ୍ସବ କମିଟିର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ଚୈାଧୁରୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଦେବାଶିଷ ଦାଶ ବାର୍ଷିକ ବିବରଣୀ ପାଠ ଏବଂ ଉପ ସଭାପତି ସୁମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ତିନି ଜଣ ପ୍ରତିଭାଙ୍କୁ ଶ୍ରୀ ଜଗନ୍ନାଥ ଜୀ ସ୍ମାରକୀ ପ୍ରତିଭା ସମ୍ମାନରେ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସଭା ପରେ ଓଲିଉଡ ଗାୟିକା ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକ ଝୁମିଥିଲେ।

ବାଲେଶ୍ବର ରୁ ଶେଖ ନାଜୀମ ଙ୍କ ରିପୋର୍ଟ