ଅନ୍ତର୍ଜାତୀୟ ପୁରୁଷ ଦିବସ : ପୌରୁଷର ସଜ୍ଞା ବଦଳିବା ଦରକାର
ସିଦ୍ଧାର୍ଥ ୱାର୍କ-ଫ୍ରମ୍-ହୋମ୍ରେ ରହି ଅଳ୍ପ ଦରମାରେ କାମ କରନ୍ତି । ତାଙ୍କ ପତ୍ନୀ ଉଚ୍ଚ ଶିକ୍ଷିତା ସୁପ୍ରଭା ଭଲ ଦରମାରେ ଚାକିରିଟିଏ କରିଛନ୍ତି । ସିଦ୍ଧାର୍ଥ ଦୀର୍ଘ ଦିନ ଧରି ଅବସାଦରେ ରହୁଥିଲେ । ଠିକ୍ରେ ଖାଉ ନଥିଲେ ଏବଂ ଚିନ୍ତାରେ ରାତି ରାତି ଉଜାଗର ରହୁଥିଲେ । ଗମ୍ଭୀର ଜଣାପଡ଼ୁଥିଲେ । ସୁପ୍ରଭା ବୁଝିପାରି ସିଦ୍ଧାର୍ଥଙ୍କୁ ଜଣେ ମନସ୍ତତ୍ତ୍ୱବିତ୍ଙ୍କ ନିକଟକୁ ନେଇଥିଲେ । କିଛି ଦିନର କାଉନସିଲିଂ ପରେ ସିଦ୍ଧାର୍ଥ ମୁହଁ ଖୋଲି ନିଜ କଥା ଡାକ୍ତରଙ୍କୁ କହିଥିଲେ । ସିଦ୍ଧାର୍ଥଙ୍କ ଅବସାଦ ପଛର ମୁଖ୍ୟ କାରଣ ଥିଲା ତାଙ୍କ ପରିବାର । ପତ୍ନୀ ସୁପ୍ରଭା ସିଦ୍ଧାର୍ଥଙ୍କଠାରୁ ପେସାଗତ ଜୀବନରେ ଅଧିକ ସଫଳ ଥିଲେ । ତାଙ୍କର ଦରମା ଅଧିକ ଥିବାରୁ ପିଲାମାନେ ସୁପ୍ରଭାଙ୍କୁ ପ୍ରାଧାନ୍ୟ ଦେଉଥିଲେ ଏବଂ ତାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଥିଲେ ।
ପିଲାମାନେ କଟାକ୍ଷ କରି କହୁଥିଲେ, ‘ଆମ ଘରେ ମମି ହେଉଛନ୍ତି ଡାଡି ।’ଏହା ହିଁ ଥିଲା ସିଦ୍ଧାର୍ଥଙ୍କ ଅବସାଦର ମୁଖ୍ୟ କାରଣ । ସାଙ୍ଗସାଥୀ, ପରିବାରର କଟାକ୍ଷ ସିଦ୍ଧାର୍ଥଙ୍କ ମନରେ ଆଘାତ ପହଞ୍ଚାଇଥିଲା । ସୁପ୍ରଭା ଓ ସିଦ୍ଧାର୍ଥଙ୍କ ଭିତରେ ପ୍ରେମ ଥିଲେ ମଧ୍ୟ ମାନସିକ ଶାନ୍ତି ନଥିଲା । ପୁରୁଷ କୈନ୍ଦ୍ରିକ ସମାଜରେ ସିଦ୍ଧାର୍ଥଙ୍କ ଭଳି ଅନେକ ପୁରୁଷ ଲୁଚି ଲୁଚି କାନ୍ଦୁଛନ୍ତି । ତଥାକଥିତ ପୁରୁଷତ୍ୱର ସଜ୍ଞା ପୁରୁଷଙ୍କ ମଧ୍ୟରେ ଚାପ ସୃଷ୍ଟି କରୁଛି । ନିଜକୁ ପୁରୁଷ ଦେଖାଇବା ଚାପରେ ସେମାନେ କାନ୍ଦିବାକୁ, ହାରିବାକୁ, ମନକଥା ଖୋଲି କହିବାକୁ, ଥକିବାକୁ ଭୟ କରୁଛନ୍ତି । କାଳେ ଏ ସମାଜ ତାଙ୍କ ପୁରୁଷପଣିଆକୁ ତାତ୍ସଲ୍ୟ କରିବ । ସିଦ୍ଧାର୍ଥ ୱାର୍କ-ଫ୍ରମ୍ ହୋମ୍ରେ ରହି ଅଫିସ୍ କାମ ସହ ଘର ମଧ୍ୟ ସମ୍ଭାଳୁଥିଲେ । ସ୍ତ୍ରୀ ଜାଗାରେ ଜଣେ ପୁରୁଷ ବି ଗୃହସ୍ଥ ଭଳି ଭାର ତୁଲାଇପାରିବ । ଏଥିରେ ଲଜ୍ଜାବୋଧ କିମ୍ବା ସାମାଜିକ ଅପବାଦ ମିଳିବା ଉଚିତ୍ ନୁହେଁ । ଏଭଳି ମାନସିକତା ଯୋଗୁ ଅନେକ କ୍ଷେତ୍ରରେ ପୁରୁଷମାନେ ଯନ୍ତ୍ରଣା ସହୁଛନ୍ତି । ଆମର ପୁରୁଷ ପ୍ରାଧାନ୍ୟ ସମାଜ ନାରୀଙ୍କ ସମେତ ସମ୍ବେଦନଶୀଳ ପୁରୁଷମାନଙ୍କ ପାଇଁ ମଧ୍ୟ ଆହ୍ୱାନ ସାଜିଛି । ପୁରୁଷ ନିର୍ଯାତନା ଏବଂ ଆତ୍ମହତ୍ୟାକୁ ନେଇ ଏନ୍ସିଆର୍ବି ୨୦୨୩ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୩ ହଜାର ୬୫୨ ପୁରୁଷ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୫୭୩ ଜଣ ପାରିବାରିକ ଅଶାନ୍ତି ଯୋଗୁ ଆତ୍ମହତ୍ୟା କରିଥିବା ବେଳେ ଅବଶିଷ୍ଟ ପରୀକ୍ଷାରେ ବିଫଳ, ପ୍ରେମଜନିତ ବିବାହ ଓ ବିଚ୍ଛେଦ ସମସ୍ୟା ଯୋଗୁ ଆତ୍ମହତ୍ୟା କରିଛନ୍ତି । ଏହା ବ୍ୟତୀତ ଏକ ଜାତୀୟସ୍ତରର ମାନସିକ ସ୍ୱାସ୍ଥ୍ୟ ହେଲ୍ପ୍ଲାଇନ୍ ସଂସ୍ଥାର ତଥ୍ୟ ଅନୁଯାୟୀ, ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ପୁରୁଷଙ୍କର ହେଲ୍ପ୍ଲାଇନ୍ କଲ୍ ସଂଖ୍ୟା ୧୨୬ ପ୍ରତିଶତ ବୃଦ୍ଧି ପାଇଛି । ଏହା କେବଳ ରେକର୍ଡ ହୋଇଥିବା ତଥ୍ୟ । କିନ୍ତୁ ଆମ ସମାଜରେ ନିର୍ଯାତନା ପାଇଁ ଚୁପ୍ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଅନେକ ପୁରୁଷ ଅଛନ୍ତି, ଯେଉଁମାନଙ୍କ ଅଭିଯୋଗ ରିପୋର୍ଟ ହୋଇନାହିଁ ।
ପୁରୁଷ ବି ହୋଇପାରେ ହୋମ୍-ମେକର୍
“ପୁରୁଷ ପ୍ରାଧାନ୍ୟ ସମାଜରେ ପୁରୁଷମାନେ ବି ଲୁଚି ଲୁଚି କାନ୍ଦନ୍ତି । ପୁରୁଷପଣିଆ ପଳେଇବା ଡରରେ ସେମାନେ କାହା ଆଗରେ କାନ୍ଦନ୍ତିନି । ମାନସିକ ଚାପଗ୍ରସ୍ତ ପୁରୁଷକୁ ମହିଳାଙ୍କ ତୁଳନାରେ ବେଶୀ ସମୟ ଲାଗେ ସୁସ୍ଥ ଓ ସ୍ୱାଭାବିକ ହେବାକୁ । ନିଜର ଭାବନା ବ୍ୟକ୍ତ ନ କରିବା କିମ୍ବା ଅତ୍ୟଧିକ ଚାପ ସହିବା ପୁରୁଷପଣିଆ ନୁହେଁ । ଅନ୍ୟର ସ୍ଥାନରେ ନିଜକୁ ରଖି ସବୁ ପରିସ୍ଥିତିକୁ ବିଚାର କରିବା ଉଚିତ୍ । ନିଜେ କେମିତି ନିଜକୁ ଖୁସି ରଖିବ ଏହା ନିଜର ଦାୟିତ୍ୱ । ଚେତନ ମନ ଏବଂ ଅବଚେତନ ମନରେ ଖୁସି ରହିବା ଆବଶ୍ୟକ । ମନରେ ଆନନ୍ଦ ରହିଲେ ଅବସାଦ ଆସିବ ନାହିଁ ।”
ପ୍ରଫେସର ଡା. ସମ୍ରାଟ୍ କର, ମାନସିକ ରୋଗ ବିଶେଷଜ୍ଞ
ପୌରୁଷର ସଜ୍ଞା ବଦଳିବା ଦରକାର
“ପୌରୁଷର ସଜ୍ଞା ଯିଏ ସବଳ, ସାହସୀ, କେବେ ଭାଙ୍ଗି ପଡ଼ିବନି । ଏ ଚିନ୍ତାଧାରା ବଦଳିବା ଆବଶ୍ୟକ । ପୁରୁଷ ମହିଳାଙ୍କ ଭଳି ହାରିପାରେ ବା ଅସହ୍ୟ ହୋଇପାରେ । ସମାଜ ନାରୀ ଓ ପୁରୁଷଙ୍କୁ ଅଲଗା କରିଛି । ଯାହା ପୁରୁଷଙ୍କ ମନରେ ଚାପ ସୃଷ୍ଟି କରୁଛି । କେବଳ ଶାରୀରିକ ବଳ, ଉନ୍ନତ ମାଂସପେଶୀ ବା ମାସିକ ଆୟ ପୌରୁଷର ସଜ୍ଞା ନୁହେଁ । ମାନବିକତା ଓ ସହାନୁଭୂତି ଥିବା ପୁରୁଷ ହିଁ ପ୍ରକୃତ ପୁରୁଷ ।”
ଡା. ସଙ୍ଗୀତା ରଥ, ବରିଷ୍ଠ ମନସ୍ତତ୍ତ୍ୱବିତ୍
