March 10, 2026

ପରବ ପ୍ରସ୍ତୁତି ବୈଠକ, ଲୋକଙ୍କ ନିକଟରେ ମୁଣ୍ଡ ନୂଆଇଲା ବ୍ଲକ ପ୍ରଶାସନ l ବି ଡି ଓ ଡାକିଲେ ପ୍ରସ୍ତୁତି ବୈଠକ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ 

IMG-20251119-WA0029
Share

 

ତା ୧୮/୧୧ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ପରବ ପ୍ରସ୍ତୁତି ବୈଠକ l ବି ଡି ଓ ପି.ମନାସ୍ମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ରୁପୁ ଭତରା,ଭାରପ୍ରାପ୍ତ ଅଧ୍ୟକ୍ଷ ତରୁଣୀ ସେନ ବିଶୋୟୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ,ତହସିଲଦାର ବିନୋଦ କୁମାର ନାଏକ,ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ,ସାଂସଦ ପ୍ରତିନିଧି ଅମ୍ବୁ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ବୈଠକ ଧାର୍ଯ୍ୟ ସମୟ ଥିଲା ୧୧ ଟା ,ଘଣ୍ଟାଏ ବିଳମ୍ବରେ ୧୨ ଟାରେ ଆରମ୍ଭ ହୋଇଥିଲା ବୈଠକ l ଆଲୋଚନା ପୂର୍ବରୁ ବି ଏସ୍ ଏସ୍ ଓ ବଳିରାମ ଭତରା ଗତ ବର୍ଷର ବିବରଣୀ ପାଠ କରିଥିଲେ l ଆଲୋଚନା ଆରମ୍ଭ କରିଥିଲେ ବିଧାୟକ l ଜିଲ୍ଲା ସ୍ତରୀୟ ପରବ କୁନ୍ଦୁରା ବ୍ଲକରେ ଶୁଭାରମ୍ଭକୁ ନେଇ ଯାହା ଦାବୀ ହେଉଛି ତାହା ଯୁକ୍ତିଯୁକ୍ତ ଅଟେ l କୁନ୍ଦୁରା ବ୍ଲକର ଦାବି ସମ୍ପର୍କରେ ସେ ଅବଗତ ନ ଥିଲେ ଆସନ୍ତା ବର୍ଷ ଯେପରି କୁନ୍ଦୁରାରେ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ଓ କୁନ୍ଦୁରାରେ ଜିଲ୍ଲା ସ୍ତରୀୟ ପରବର ଶୁଭାରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ l ବର୍ତ୍ତମାନ ସୁଦ୍ଧା ଯାହାସବୁ ଘଟି ଯାଇଛି ସେ ସବୁକୁ ଭୁଲି ପରବ ସଫଳ କରିବା ପାଇଁ ବ୍ଲକ ବାସୀଙ୍କ ସହଯୋଗ ଲଢ଼ିଥିଲେ l ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସାମନ୍ତରାୟ ନିଜ ବକ୍ତବ୍ୟରେ ଜିଲ୍ଲା ପ୍ରଶାସନ ଚଳିତ ବର୍ଷ କୁନ୍ଦୁରାରେ ଜିଲ୍ଲା ସ୍ତରୀୟ ପରବ ଶୁଭାରମ୍ଭ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପାଳନ ନହେବାରୁ ବ୍ଲକର ବାଦବିବାଦ ଲାଗି ରହିଛି ତା ସତ୍ତ୍ଵେ ବି ଆଜି ପ୍ରସ୍ତୁତି ବୈଠକରେ ବହୁ ସଂଖ୍ୟାରେ ଯୋଗଦେଇଛନ୍ତି ଏହା ପରବ ପାଳନ ପାଇଁ ଶୁଭ ସଂକେତ ଦର୍ଶାଉଛି ସମସ୍ତଙ୍କ ସହଯୋଗରେ ପରବ ସଫଳ କରିବାକୁ କହିଥିଲେ l ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପେଣ୍ଠିଆ ଏ ନେଇ ସିଧାସଳଖ ବିଧାୟକଙ୍କୁ ଟାର୍ଗେଟ କରିଥିଲେ l ଜିଲ୍ଲା ସ୍ତରୀୟ ପରବ ପ୍ରସ୍ତୁତି ବୈଠକରେ ବିଧାୟକ ସଦସ୍ୟ ରହିଛନ୍ତି I ବ୍ଲକରୁ ବି ଡି ଓ, ଅଧ୍ୟକ୍ଷ କିମ୍ବା ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କୁ ଡକାଯାଉନାହିଁ ତେବେ ସେଠାରେ ସେ ଦାବୀ ଉପସ୍ଥାପନ କଲେ ନାହିଁ କାହିଁକି l ସେ ଯଦି ଉପସ୍ଥିତ ନଥିଲେ ତେବେ ତାଙ୍କ ପ୍ରତିନିଧି ଦାବୀ ଉପସ୍ଥାପନ କରିବାର ଥିଲା ଏହା କାହିଁକି ହେଲା ନାହିଁ ବୋଲି କହିଥିଲେ l ଏହାକୁ ନେଇ ବିଧାୟକ ଜିଲ୍ଲା ପରିଷଦ ସଭ୍ଯା ଭୁଲ ତଥ୍ୟ ଦେଉଛନ୍ତି ତାହା ଠିକ୍ ନୁହେଁ l ଜିଲ୍ଲା ପରିଷଦ ସଭ୍ଯ ସଭ୍ଯା ଜିଲ୍ଲା ପରିଷଦର ସଦସ୍ୟ ସେମାନେ ପ୍ରସ୍ତୁତି ବୈଠକରେ ଦାବୀ ଜଣାଇ ପାରିଥାନ୍ତେ କାହିଁକି ଅନ୍ୟକୁ ଦୋଷ ଦେଉଛନ୍ତି ବୋଲି କହିଥିଲେ l ଶେଷରେ ସେ ଜାଣି ପାରିଥିଲେ କି ଜିଲ୍ଲା ପ୍ରସ୍ତୁତି ବୈଠକରେ ବ୍ଲକର କାହାକୁ ବି ଡକା ଯାଇନାହିଁ l ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବିଶୋୟୀ ଆଜି ବୈଠକରେ ବହୁ ସଂଖ୍ୟାରେ ଯୋଗଦାନ ବ୍ଲକ ପାଇଁ ବହୁ ସୌଭାଗ୍ୟର ବିଷୟ ସମସ୍ତେ ସୁଚିନ୍ତିତ ମତାମତ ଓ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଥିଲେ l ସେ ଉପାଧ୍ୟକ୍ଷ ଦାୟିତ୍ଵରେ ଥିଲେ ପରବ ପରିଚାଳନା ତାଙ୍କ ପାଇଁ ନୂଆ l ସେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ତେଣୁ ଯାହା ସବୁ ତୃଟି ଘଟିଛି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ l ପରବ ପାଳନ ହେଉଛି ବ୍ଲକର ସ୍ୱାଭାବିକର ବିଷୟ ଏଣୁ ଚଳିତ ବର୍ଷ ପରବକୁ ବହୁ ଭଲଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ବହୁ ସଂଖ୍ୟାରେ ଉପସ୍ଥିତିକୁ ନେଇ ଅନ୍ୟ କାହାରି ମତାମତ ନନେଇ ଆସନ୍ତା ୨୪ ରୁ ଡିସେମ୍ବର ୪ ତାରିଖ ଭିତରେ ବ୍ଲକ ସ୍ତରୀୟ ପରବ ପାଳନ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି ଏହାକୁ ନେଇ କେଉଁ ତାରିଖରେ କରାଯିବ ସେନେଇ ସମସ୍ତଙ୍କ ମତ ଲୋଡିଥିଲେ ବି ଡି ଓ l ଏହା ସ୍ଥିର ହେବା ପୂର୍ବରୁ ପରବ ପାଳନରେ ବ୍ଲକ ବାସୀଙ୍କ ସହମତି ରହିଛି କି ନାହିଁ ସେ ନେଇ ମତାମତ ନିଆଯାଉ ବୋଲି କହିଥିଲେ ଉପସ୍ଥିତ ସଦସ୍ୟ l ଏହା ପରେ ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘର କର୍ମକର୍ତ୍ତା,କଳାକାର ସଂଘ,ରାଜନୈତିକ ଦଳର ମୁଖ୍ୟ,ଯୁବକ ସଂଘ, ବୁଦ୍ଧିଜୀବୀ ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ l ଏହି ବ୍ଲକରେ ଭରି ରହିଛି ଆଦିବାସୀ କଳା ଓ ସଂସ୍କୃତି,ଏଠାକାର ଆଦିବାସୀ ରିଞ୍ଜୋଡ଼ି,ଢେମସା,ଦୁରୁଆ,ଦଣ୍ଡା ହଳିଆ ଆଦି ନୃତ୍ୟ l ରାଜ୍ୟ,ଜାତୀୟ ଓ ଅନ୍ୟ ରାଜ୍ୟ ମାନଙ୍କରେ ପ୍ରଦର୍ଶିତ ହେଉଛି l ଏଠାରେ ବହୁ ପୁରାତନ ରାଜାରାଜୁଡ଼ା ଅମଳରୁ ପୂଜାପାଇ ଆସୁଥିବା ଦେବାଦେବୀ ପିଠ ରହିଛି l ଏ ବ୍ଲକରେ ଯଦି ଏ ସବୁ ରହିଛି ତେବେ ଜିଲ୍ଲା ପ୍ରଶାସନର ଅଣଦେଖା ବ୍ଲକ ବାସୀଙ୍କ ଭାବନା,ସ୍ୱାଭାବିକ ପ୍ରତି କୁଠାର ଘାତ କରୁଛି l ବ୍ଲକର ଦାବୀକୁ ନେଇ ପ୍ରତିବର୍ଷ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ଏହା କଣ ଜିଲ୍ଲା ପ୍ରଶାସନ ଦେଖିପାରୁ ନାହିଁ କି I ଅନ୍ୟ ପକ୍ଷେ ୨୯ ବର୍ଷର ଇତିହାସକୁ ଭାଙ୍ଗି ପ୍ରଥମ ଥର ପାଇଁ ପୂର୍ବ ବର୍ଷ ଗୁଡ଼ିକର ପରବ ଫାଇଲ ନଦେଖି ପ୍ରସ୍ତୁତି ବୈଠକ ଡକାଗଲା l ମଶାଲକୁ ପ୍ରତିବର୍ଷ କୁନ୍ଦୁରା ଦେବୀ ପିଠରେ ରଖାଯାଉଥିଲା l ଏ ବର୍ଷ କାହିଁକି ବ୍ଲକରେ ରଖାଯାଇଛି l ପୁଲିସ୍ ସୁରକ୍ଷା ବଳରେ ମଶାଲ ଅଣାଗଲା,ବିଧାୟକଙ୍କୁ ପରବରେ ଅତିଥି ଭାବେ ନିମନ୍ତ୍ରଣ କରାଯାଏ l ପୂର୍ବରୁ ହୋଇଥିବା କୌଣସି ପ୍ରସ୍ତୁତି ବୈଠକ ଗୁଡ଼ିକରେ କେବେ ବିଧାୟକ ଉପସ୍ଥିତ ରହୁନଥିଲେ ଏହା ମଧ୍ୟ ବ୍ଲକ ପାଇଁ ପ୍ରଥମ l ଦଳମତ ନିର୍ବିଶେଷରେ ବହୁ ଆଡ଼ମ୍ବରରେ ପାଳନ ହୋଇ ଆସୁଥିବା ପରବର ସମସ୍ତ ପ୍ରକ୍ରିୟାକୁ ଏହି ବର୍ଷ ବଦଳା ଯାଇଛି ଏସବୁ ପାଇଁ ଦାୟୀ କିଏ ପ୍ରଥମେ ଏହା ଉପରେ ଆଲୋଚନା କରାଯାଉ ବୋଲି ମତ ରଖିଥିଲେ l ପରବ ବର୍ଜନ ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଦାବିପତ୍ର ଦେବା ପରେ ବି ବ୍ଲକ ବାସୀଙ୍କ କଥାକୁ ପାଦରେ ଆଡ଼େଇ ଦେଇ ଜିଲ୍ଲା ପ୍ରଶାସନର ଆଦେଶ ପାଳନ କରିବାକୁ ଯାଇ ମଶାଲ ଆଣିଲା ପ୍ରଶାସନ I ଏଥିରେ ପୂର୍ଣ୍ଣ ସହଯୋଗ କଲେ ଦୁଇ,ତିନୋଟି ପଞ୍ଚାୟତ,ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ ବିଧାୟକ ପ୍ରତିନିଧି ଏହା କଣ ବ୍ଲକ ବାସୀଙ୍କ ପ୍ରତି ଅସମ୍ମାନ ନୂହେଁ କି l ଏଭଳି ମୌଖିକ ପ୍ରତିଶୃତି ଗତ ୨୦୦୫ ମସିହାରୁ ଶୁଣି ଆସୁଛି କୁନ୍ଦୁରା ବ୍ଲକ l ଗତ ୨୦୧୭ ଜିଲ୍ଲା ବୈଠକରେ ଦୃଢ଼ ଦାବୀ ରଖିଥିଲେ ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜା,ଅନ୍ୟ ବ୍ଲକ ମାନଙ୍କରେ ଦୁଇରୁ ତିନି ଥର ଜିଲ୍ଲା ପରବ ହେଲାଣି ତେବେ ଏହି ବ୍ଲକ କଣ ଜିଲ୍ଲା ବାହାରେ କି, କାହିଁକି ଏଭଳି ଅଣଦେଖା କରାଯାଉଛି l ଜିଲ୍ଲପାଳ ଲିଖିତ ପ୍ରତିଶୃତି ଦିଅନ୍ତୁ ତେବେ ଯାଇ ପରବ ପାଳନ ହେବ କି ନାହିଁ ତାହା ସ୍ଥିର କରାଯିବ ବୋଲି ନିଜ ଜିଦରେ ଅଟଳ ଥିଲେ ସମସ୍ତ ମୁଖିଆ l ଏବର୍ଷ ଯଦି ପରବ ପାଳନ ନ ହୁଏ ତେବେ ଆଗକୁ ଆଉ କେବେ ପରବ ନ ହେଉ ବୋଲି କହିଥିଲେ ବି ଜେ ପି କର୍ମୀ ଓ ନେତା I ଏହାକୁ ନେଇ କିଛି ସମୟ ଯୁକ୍ତିତର୍କ ହୋଇଥିଲା l ପୁଲିସ୍ ଓ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଥିଲା l ଏସବୁ ବିଷୟକୁ ନେଇ ପ୍ରାୟ ଦୁଇ ଘଣ୍ଟା ଆଲୋଚନା ପରେ ଆଗକୁ ଆଉ ଏଭଳି ହେବ ନାହିଁ ସମସ୍ତଙ୍କ ମତାମତ ଓ ସହଯୋଗରେ ପରବ ପରିଚାଳନା କରାଯିବ ବୋଲି ବି ଡି ଓ କହିବା ପରେ ଆସନ୍ତା ଡିସେମ୍ବର ୨ ତାରିଖରେ ପାଳନ କରାଯିବ ବୋଲି ନିଷ୍ପତ୍ତି ହେଲା l ଆଜିର ଏହି ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ଯ ସଭ୍ଯା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜା, ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଡ.ରାଜେନ୍ଦ୍ର ପାଢ଼ୀ,ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ କାର୍ଯ୍ୟକାରୀ ସଭାପତି ଭଜମନ ସାନ୍ତା,ସମ୍ପାଦକ ତ୍ରିନାଥ ସମରଥ, ଉପ ସଭାପତି ଚନ୍ଦ୍ର ସଗରିଆ, ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ଧନୀରାମ ବାରିକ,ସଭ୍ୟା ଲକ୍ଷ୍ମୀ ମିନରବାଲିଆ,ବରିଷ୍ଠ ଶିକ୍ଷାବିତ୍ତ ପଞ୍ଚାନନ ଗୌଡ଼,ସାଥି ସଙ୍ଗଠନ ସଭାପତି ଚନ୍ଦ୍ର ଶେଖର ରଥ, ଗୁପ୍ତେଶ୍ଵର ପାଣିଗ୍ରାହୀ,ବ୍ଲକ ବି ଜେ ଡି ସଭାପତି ବୃନ୍ଦାବନ ମଲ୍ଲିକ,ବରିଷ୍ଠ କଂଗ୍ରେସ ନେତା ଭବାନୀ ଶଙ୍କର ରଥ,ବରିଷ୍ଠ କଳାକାର ଅକ୍ଷୟ ପଟ୍ଟନାୟକ, ଯୁବକ ସଂଘ ସଭପତି ସବୁଜ ଦାସ,ବ୍ଲକ କଂଗ୍ରେସ ଯୁବ ସଭାପତି ରାଜେଶ ଗୁରୁ,କଳାକାର ସଂଘ ଉପ ସଭାପତି ଭୀମ ନାୟକ,ପି ସି ସି ସଦସ୍ୟ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ,ବ୍ଲକ ବି ଜେ ଡି ଯୁବ ସଭାପତି ବିକ୍ରମ କୁମାର ବେହେରା, ବି ଜେ ପି ମଣ୍ଡ ଳ ସଭାପତି ପଦ୍ମନ ବିଶୋୟୀ,ଧନପତି ପରଜା,ସମସ୍ତ ବିଭାଗୀୟ ମୁଖ୍ୟ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ବ୍ଲକର ସମସ୍ତ ଖେଳ ଶିକ୍ଷକ ଓ ଅନ୍ୟ ସଂଗଠନ ମୁଖ୍ୟ ଓ ସର୍ବଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l ପୁର୍ବତନ ପରବ ପରିଚାଳନା କମିଟି ତାଲିକା ପାଠ କରାଯାଇଥିଲା l ପରବ ପରିଚାଳନା, ଖାଦ୍ୟ,ଖାଦ୍ୟ ବଣ୍ଟନ,ଅର୍ଥ,ମଞ୍ଚ ସଜ୍ଜା,ଅତିଥି ନିମନ୍ତ୍ରଣ ଓ ସ୍ଵାଗତ,ସାଂସ୍କୃତିକ,ମୂଲ୍ୟାଙ୍କନ ଆଦି କମିଟିରେ ନୂତନ ଭାବେ ଅନ୍ୟ ସଦସ୍ୟ ମାନଙ୍କୁ ସାମିଲ କରାଗଲା l ବି ଡି ଓ ଧନ୍ୟବାଦ ଅର୍ପଣ କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l